କେନ୍ଦ୍ରାପଡ଼ା: ଗ୍ୟାଙ୍ଗୱାରକୁ ନେଇ ପୁଣି ରକ୍ତରଞ୍ଜିତ ହୋଇଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍‌ ପାଟକୁରା ଥାନା ନୂଆପଡ଼ା ବଜାର। ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ସାର୍ପସୁଟର ବିଭୁ ଓ ପ୍ରଶାନ୍ତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ହଳଦିଆ ପଞ୍ଚାୟତ ଭଗବାନପୁରର ସାର୍ପସୁଟର ପ୍ରତାପ ସାହୁ ଓରଫ ବିଭୁ ଓ ତା’ର ଭାଇ ପ୍ରଭାତ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ସେମାନଙ୍କ ଗାଡ଼ିର ଡ୍ରାଇଭର ଆହତ ଅବସ୍ଥାରେ ଗାଡ଼ିଧରି ଘଟଣାସ୍ଥଳରୁ ପଳାଇଛି। ଏହାକୁ ନେଇ ନୂଆପଡ଼ା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଦୋକାନ ବଜାର ବନ୍ଦ ସହିତ ରାସ୍ତାଘାଟ ଶୂନଶାନ ହୋଇଯାଇଛି।

Advertisment

ସୂଚନା ଅନୁଯାୟୀ ସାର୍ପସୁଟର ବିଭୁ ଜେଲ୍‌ରେ ଥିବାବେଳେ କିଛିଦିନ ତଳେ ଜାମିନରେ ଆସିଥି‌ଲା। ଆଜି ବିଭୁ ଓ ତା’ର ଭାଇ ପ୍ରଭାତ ଏକ କାର୍‌ରେ ନୂଆପଡ଼ା ବଜାରକୁ ଆସୁଥିଲେ। ବାଟରେ ତାଳସଙ୍ଗା ଛକରେ ସେମାନେ ପ୍ରଶାନ୍ତ ବେହେରାକୁ ଦେଖି ଅଟକିବା ସହିତ ତାକୁ ଆକ୍ରମଣ କରିଥିଲେ। ପ୍ରଶାନ୍ତ ପ୍ରାଣ ବଂଚାଇ ନିକଟସ୍ଥ ଖରଦା ସାହିସ୍ଥିତ ନିଜ ଘରକୁ ଦୌଡ଼ି ପଳାଇଥିଲା। ବିଭୁ ଓ ତା’ର ଭାଇ ପ୍ରଶାନ୍ତର ବାଇକ୍‌ ଭଙ୍ଗାରୁଜା କରି ନଦୀବନ୍ଧ ତଳକୁ ଫିଙ୍ଗିଦେଇ ନୂଆପଡ଼ା ବଜାରକୁ ଯାଇଥିଲେ। କିନ୍ତୁ କିଛି ସମୟ ପରେ ପ୍ରଶାନ୍ତ ନିଜର ୫/୬ଜଣ ସହଯୋଗୀଙ୍କ ସହ ତାଳସଙ୍ଗା ଛକରେ ପହଞ୍ଚିଥିଲା। ନୂଆପଡ଼ା ବଜାରର ମୁଖ୍ୟ ଛକ ନିକଟରେ ଥିବା ମାଛ ଗଦି ନିକଟରେ ବିଭୁ ଥିବାବେଳେ ପ୍ରଶାନ୍ତ ଓ ତା’ର ସହଯୋଗୀ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଶାନ୍ତ ଓ ତା’ର ସହଯୋଗୀମାନେ ଠେଙ୍ଗା, କାଠ ଫାଳିଆ ଓ ଅନ୍ୟ ମାରଣାସ୍ତ୍ରରେ ବିଭୁ, ପ୍ରଭାତ ଓ କାର୍‌ ଡ୍ରାଇଭରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଭୁ ଓ ତାର ଭାଇ ପ୍ରଭାତ ରାସ୍ତା ଉପରେ ପଡ଼ି ଚିତ୍କାର କରୁଥିବାବେଳେ କାର୍‌ ଚାଳକ ସେଠା‌ରୁ ଗାଡ଼ି ଧରି ପଳାଇ ଯାଇଥିଲେ। ପ୍ରଶାନ୍ତ ଓ ତା’ର ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଘଟଣାକୁ ନେଇ ଆତଙ୍କ ଖେଳି ଯାଇଥିଲା। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯାଇଥିଲା। ଖବର ପାଇ ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ ଓ ମାର୍ଶାଘାଇ ଥାନା ଆଇଆଇସି ପି.କେ. କାନୁନଗୋ ଘଟଣାସ୍ଥଳରେ ପହଞ୍ଚି ଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସଙ୍କଟାପନ୍ନ ଅବସ୍ଥାରେ ବିଭୂ ଓ ପ୍ରଭାତଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ପ୍ରଶାନ୍ତ ମାର୍ଫତରେ ଏବେ ବିଚଣା ବାଲିଘାଟ ଚାଲୁଥିବାବେଳେ ଅନ୍ୟପଟେ ବିଭୁ ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ଭାବେ ଅଂଚଳରେ ପତିଆରା ରଖିବାକୁ ଉଦ୍ୟମ କରି ଆସୁଥିଲା। ଏଥିପାଇଁ ଦୀର୍ଘଦିନ ଧରି ପ୍ରଶାନ୍ତ ଓ ବିଭୁ ମଧ୍ୟରେ ବିବାଦ ଲାଗି ରହିଛି। ବିଭୁ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ବି ରହିଛି।