ବଡ଼ଦାଣ୍ଡରେ ଗ୍ୟାଙ୍ଗ ୱାର୍‌: ଗୋଡ଼େଇ ଗୋଡ଼େଇ ହାଣିଲେ, ଦୁଇ ଗୁରୁତର, ଜଣେ ସଙ୍କଟାପନ୍ନ

ପୁରୀ : ଶ୍ରୀକ୍ଷେତ୍ରର ସବୁଠାରୁ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନ ବଡ଼ଦାଣ୍ଡ ମାର୍କେଟ ଛକରେ ଘଟିଛି ଗ୍ୟାଙ୍ଗ ୱାର୍‌। ଭକ୍ତଙ୍କ ଆଗରେ ହୋଇଛି ହଣାକଟା। ଖୋଲାଖୋଲି ବୁଲିଛି ଖଣ୍ଡା, ଭୁଜାଲି। ଶନିବାର ଭୋର୍‌ରୁ ଦୁଇ ଅପରାଧୀ ଗୋଷ୍ଠୀ ହୋଇଛନ୍ତି ମୁହାଁମୁହିଁ। ଖଣ୍ଡା ଓ ଭୁଜାଲି ଚୋଟରେ ଦୁଇ ପକ୍ଷର ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଆହତ ତିନିଜଣ ହେଲେ, ଟାଉନ ଥାନା ଅନ୍ତର୍ଗତ ଦୋଳବେଦି କୋଣର ସମୀର ଦାସ(୨୮), ପଞ୍ଚଚଉରା ଛକର ଖଗେଶ୍ବର ସାହୁ(୩୫) ଓ ମାର୍କେଟ ଛକ ଦଇତାପଡ଼ାସାହିର ହୃଷୀକେଶ ପଣ୍ଡା(୨୮)। ସେମାନଙ୍କ ମଧ୍ୟରୁ ସମୀର ସଙ୍କଟାପନ୍ନ ହେବାରୁ ତାକୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ପ୍ରକାଶ ଯେ ଗତ ଗତକାଲି ସଦର ଥାନା ଅନ୍ତର୍ଗତ ଖଡ଼ିପଦାରେ ସମୀର ଜୁଆ ଖେଳ କରୁଥିବା ବେଳେ ଟାଉନ ଥାନା ଅନ୍ତର୍ଗତ ଚୁଡ଼ଙ୍ଗସାହିସ୍ଥିତ ମାମୁଁ ଘରେ ରହୁଥିବା ବଳଙ୍ଗାର ସୁନୀଲ ଦାସ(୨୩) ୨ଶହ ଟଙ୍କା ହାରିଯାଇଥିଲା। ଏହିସମୟରେ ସେଠାରେ ହୃଷୀକେଶ, ଖଗେଶ୍ବର ଓ ସେମାନଙ୍କ ଗୋଷ୍ଠୀ ପହଞ୍ଚି ସୁନୀଲକୁ ସମର୍ଥନ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ସେଠାରେ ହାତାହାତି ହୋଇଥଲେ। ମାତ୍ର, ସେଠାରୁ କୌଶଳକ୍ରମେ ଅଟୋଚାଳକ ହୃଷୀକେଶ ତା’ର ଅଟୋରେ ସମସ୍ତଙ୍କୁ ନେଇ ପୁରୀକୁ ଚାଲି ଆସିଥିଲା। କିନ୍ତୁ, ବିବାଦ ସେମାନଙ୍କ ମଧ୍ୟରେ କମିନଥିଲା। ରାତିରେ ଉଭୟଙ୍କ ମଧ୍ୟରେ ଫୋନ୍‌ରେ ଗାଳିଗୁଲଜ ହୋଇଥିଲେ। ଏହି ଘଟଣାକୁ ନେଇ ଆଜି ସକାଳେ ହୃଷୀକେଶ ଗୋଷ୍ଠୀ ମାର୍କେଟ ଛକ ନିକଟରେ ଥିବାବେଳେ ସମୀର ଗୋଷ୍ଠୀ ସହ ବଚସା ହୋଇଥିଲା। ସମୀର ଗୋଷ୍ଠୀ ମାର୍କେଟ ଛକରେ ପହଞ୍ଚିବାରୁ ଉଭୟ ଗୋଷ୍ଠୀ ପରସ୍ପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ସମୀର, ହୃଷୀକେଶ ଓ ହୃଷୀକେଶ ଗୋଷ୍ଠୀର ଖଗେଶ୍ବର ଆହତ ହୋଇଥିଲେ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତିନି ଜଣ ମାର୍କେଟ ଛକରେ ପଡ଼ିଥିବା ବେଳେ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଖବର ପାଇ ଏଠାରେ ପୁଲିସ ପହଞ୍ଚି ସୁନୀଲ ଓ ରବିକୁ ଉଠାଇନେଇଥିଲା। ଅନ୍ୟପଟେ ତିନି ଜଣଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ଭୁବନେଶ୍ବର ଓ କଟକକୁ ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ୧୫ ତାରିଖ ବିଳମ୍ବିତ ରାତିରେ ଗୁଡ଼ିଆ ସାହିରେ ହଣାକଟା ହୋଇ ୪ ଜଣ ଆହତ ‌େହାଇଥିଲେ।

ସମ୍ବନ୍ଧିତ ଖବର