ଖାକିରେ ପୁଣି ଗଂଜେଇ ଛିଟା : ୧.୧୩ ଲକ୍ଷ ଜାଲ୍‌ ନୋଟ୍‌ ଜବତ, କନେଷ୍ଟବଳ ସମେତ ୩ ଗିରଫ

ସୁମୋ ଗାଡ଼ିରେ ୩୦ କିଲୋ ଗଂଜେଇ, ଫୁଲବାଣୀରେ ଛପା ହେଉଛି ଜାଲ୍‌ ନୋଟ!

ଫୁଲବାଣୀ : କନ୍ଧମାଳରେ ଖାକିରେ ପୁଣି ଗଂଜେଇ ମହକ। ଜଣେ ପୁଲିସ କନେଷ୍ଟବଳ ୨ ଜଣ ସହଯୋଗୀଙ୍କ ସହ ଫିରିଙ୍ଗିଆ ଅଞ୍ଚଳରୁ ବାହାରକୁ ଗଞ୍ଜେଇ ଚାଲା‌ଣ କରୁଥିବା ବେଳେ ଧରା ପଡ଼ିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମାନଙ୍କ ପାଖରୁ ୧ ଲକ୍ଷ ୧୩ ହଜାର ଟଙ୍କାର ଜାଲ୍‌ ନୋଟ ଜବତ ହୋଇଛି। ଏଥିସହ ପୁଲିସ ଏକ ଟାଟା ସୁମୋ ଗାଡ଼ି ସହ ୩୦ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ମାଫିଆ ପୁଲିସ କନେଷ୍ଟବଳ ଜଣକ ହେଉଛନ୍ତି ବସନ୍ତ ନାହାକ। ଗଞ୍ଜେଇ ଚାଲାଣ ଓ ଚାନ୍ଦା ମାଗିବା ଭଳି ତାଙ୍କ ନାମରେ ପୂର୍ବରୁ ଅଭିଯୋଗ ଅଛି। ଏ ନେଇ ୨ରୁ ୩ଟି ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି।

ଏଭଳି କାମ ପାଇଁ ତାଙ୍କୁ ଏସ୍‌.ପି ପୂର୍ବରୁ ନିଲମ୍ବିତ କରିଥିଲେ। ନିଲମ୍ବିତ ପୁଲିସ କନେଷ୍ଟବଳ ବସନ୍ତ ନାହାକ ଓ ତାଙ୍କର ୨ ସହଯୋଗୀ ଫୁଲବାଣୀର ମଧୁସୂଦନ ଦିଗାଲ ଓ ବଳଭଦ୍ର ସାହାଣୀ ମିଶି ଗତକାଲି ଏକ ଟାଟା ସୁମୋ(ଓଆର୦୨ଏଟି୯୩୬୯)ରେ ଗଞ୍ଜେଇ ଧରି ଫୁଲବାଣୀକୁ ଆସୁଥିଲେ। ବିଶେଷ ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନାଧିକାରୀ ଶ୍ୟାମସୁନ୍ଦର ରାଓ ସଦଳବଳେ ସିମିଳିସାହି-ଡିମିରିଗୁଡା ରାସ୍ତାରେ ଜଗି ଟାଟା ସୁମୋକୁ ଅଟକାଇ ଥିଲେ। ଯାଞ୍ଚ ପରେ ଗାଡ଼ିରୁ ୩୦ କିଲୋ ଗଞ୍ଜେଇ ଓ ୧ ଲକ୍ଷ ୧୩ହଜାର ଟଙ୍କା ମିଳିଥିଲା। ମିଳିଥିବା ଟଙ୍କା ସବୁ ଜାଲ୍‌ ନୋଟ ବୋଲି ପରେ ଜଣା ପଡିଥିଲା। ଏ ନେଇ ପୁଲିସ କେସ୍‌ ନମ୍ବର ୪୮/୨୦୨୦ରେ ଏକ ମାମଲା ରୁଜୁ କରିବା ଅଭିଯୁକ୍ତ ପୁଲିସ କନେଷ୍ଟବଳ ବସନ୍ତ ନାହାକ ଓ ତାଙ୍କର ୨ ସହଯୋଗୀ ମଧୁସୂଦନ ଓ ବଳଭଦ୍ରଙ୍କୁ ଗିରଫ କରିଥିଲା । ଗିରଫ ୩ ଜଣଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି। ଗଂଜେଇ ଓ ଜାଲ୍‌ ନୋଟ ନେଇ ପୁଲିସ ତଦନ୍ତ ଚଳାଇଛି।

ଫୁଲବାଣୀରେ ଛପା ହେଉଛି ଜାଲ୍‌ ନୋଟ!
ଫୁଲବାଣୀ :ଗଞ୍ଜେଇ ଭର୍ତ୍ତି ଟାଟା ସୁମୋ ଗାଡିରୁ ୧ ଲକ୍ଷ ୧୩ ହଜାର ଜାଲନୋଟ୍ ବାହାରିବା ଘଟଣାକୁ ପୁଲିସ ଗୁରୁତ୍ବର ସହ ନେଇଛି। ଜବତ ଜାଲନୋଟ ମଧ୍ୟରେ ୨ହଜାର, ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ ରହିଛି। ସେଥି ମଧ୍ୟରୁ ୫୦୦ ଟଙ୍କିଆ ନୋଟ ଅଧିକ ରହିଛି। ଜାଲନୋଟ ସବୁ ନୂଆ ଟଙ୍କା। ଠିକ ଏବେର ଟଙ୍କା ଭଳି। ଅସଲି ଓ ନକଲି ସହଜରେ ଜାଣିବା ସମ୍ଭବ ନୁହେଁ। ଏଥିରେ ନିଲମ୍ବିତ ପୁଲିସ କନେଷ୍ଟବଳ ବସନ୍ତ ନାହାକ ଓ ତାଙ୍କର ୨ ସହଯୋଗୀ ଫୁଲବାଣୀର ମଧୁସୂଦନ ଦିଗାଲ ଓ ବଳଭଦ୍ର ସାହାଣୀଙ୍କୁ ଗିରଫ କରିଛି। ଜାଲ୍‌ ନୋଟ କେଉଁଠି ଆସିଲା ବୋଲି ପଚରାଉଚୁରାରେ ଗିରଫ ଅଭିଯୁକ୍ତମାନେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ବି ଫୁଲବାଣୀରୁ ଆଣିଥିଲୁ ବୋଲି କହିଛନ୍ତି। ତେଣୁ ଫୁଲବାଣୀରେ କୌଣସି ଏକ ସ୍ଥାନରୁ ଜାଲନୋଟ ଛପା ହେଉଥିବା ସନ୍ଦେହ କରାଯାଉଛି। ଜାଲ୍‌ ନୋଟ ଛପା ହୋଇ ଗଂଜେଇ କାରବାରରେ ବ୍ୟବହାର କରାଯାଉଛି। ଆଉ ବାହାରକୁ ମଧ୍ୟ ପଠାଯାଉଥିବା ସନ୍ଦେହ କରି ପୁଲିସ ଏ ନେଇ ତନାଘନା ଆରମ୍ଭ କରି ଦେଇଛି। ଏଥିରେ ବଡ଼ ରାକେଟ୍‌ କାମ କରୁଥିବା ପୁଲିସ ସନ୍ଦେହ କରୁଛି। ଜାଲନୋଟ ଛପା ଜାଗା ଓ ରାକେଟ୍‌ ପାଖରେ ତୁରନ୍ତ ପୁଲିସ ପହଞ୍ଚିବ ଓ ପର୍ଦ୍ଦାଫାସ୍‌ କରିବ ବୋଲି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି।

ସମ୍ବନ୍ଧିତ ଖବର