ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସଦର ଥାନା ଅଧୀନ କୁରୁଡ଼ାସ୍ଥିତ ଶାନ୍ତି ଢାବା ନିକଟରେ ଥିବା ଏକ ଡ୍ରେନ୍‌ ପାର୍ଶ୍ବରୁ ଆଜି ଗଞ୍ଜେଇ ଭର୍ତ୍ତି ହୋଇଥିବା ୩ଟି ବ୍ୟାଗ୍‌ ଜବତ କରାଯାଇଛି। ଜବତ ଗଞ୍ଜେଇର ପରିମାଣ ୧୨ କେଜି ୯୪୬ ଗ୍ରାମ୍‌ ହୋଇଥିବା ବେଳେ ଉକ୍ତ ବ୍ୟାଗ୍‌ରୁ ପୁରୁଷ ଓ ମହିଳାଙ୍କର ୪/୫ଟି ଡ୍ରେସ୍‌ ଏବଂ ଅତର ମିଳିଥିବା ପୁଲିସ ସୂଚନା ପ୍ରଦାନ କରିଛି। ତେବେ କିଏ, କେତେବେଳେ ଏବଂ କାହିଁକି ଏହି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ଏପରି ଅବସ୍ଥାରେ ଏଠାରେ ପକାଇଛି ସେନେଇ ତନାଘନା ଚଳାଇଛି ପୁଲିସ।

Advertisment

୧୬ ନମ୍ବର ଜାତୀୟ ରାଜପଥର କୁରୁଡ଼ା ଓଭରବ୍ରିଜ୍‌ ନିକଟରେ ରହିଛି ଶାନ୍ତି ଢାବା। ଏହି ଢାବା ନିକଟ ରାସ୍ତାପାର୍ଶ୍ବରେ ଥିବା ଘାସ ଭର୍ତ୍ତି ନାଳରେ ୩ଟି ବଡ଼ବଡ଼ ବ୍ୟାଗ୍‌ ସନ୍ଦେହଜନକ ଭାବେ ପଡ଼ିଥିବା ସ୍ଥାନୀୟ ବଣପାରିଆ ଅଞ୍ଚଳର ଜଣେ ଯୁବକ ଦେଖିବାକୁ ପାଇଥିଲେ। ଏହାପରେ ଆଖପାଖର ଲୋକମାନେ ଏକତ୍ରିତ ହୋଇଥିଲେ। ତେବେ ଖବର ପାଇ ସଦର ଥାନା ଆଇଆଇସି ଅଶୋକ କୁମାର ନାୟକ ଏବଂ ତାଙ୍କ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ପାଣିରୁ ଉକ୍ତ ବ୍ୟାଗଗୁଡ଼ିକ ଜବତ କରାଯିବା ପରେ ତା ଭିତ‌ରୁ ୧୨ଟି ଗଞ୍ଜେଇ ଭର୍ତ୍ତି ପ୍ୟାକେଟ୍‌ (ପ୍ରତି ପ୍ୟାକେଟ୍‌ ୧କେଜି) ବାହାରିଥିଲା। ସଦର ଅତିରିକ୍ତ ତହସିଲଦାର ଅତନୁ କୁମାର ରାଉତଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ଏନେଇ କେସ୍‌ ନମ୍ବର ୨୨୧/୨୨ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।