କଟକ: ଗଂଜେଇ ଚାଲାଣର କୌଶଳ ବଦଳାଇଲେଣି ଗଂଜେଇ ମାଫିଆ । କଲେଜ ଛାତ୍ରଙ୍କୁ ଏବେ ଚାଲାଣର ମାଧ୍ୟମ କଲେଣି । ଗତ ଆଠ ମାସରେ ୧୧ ଜଣ କଲେଜ ଛାତ୍ର କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଚୌଦ୍ୱାର ଜେଲ୍‌ ହାଜତକୁ ପଠାଇଲାଣି । ସମସ୍ତଙ୍କ ବିରୋଧରେ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍‌ ବି ଦାଖଲ ହୋଇଛି । ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ଦୁଇ କୁଇଣ୍ଟାଲ୍‌ରୁ ଅଧିକ ଓଜନର ଗଂଜେଇ ଜବତ କରାଯାଇଛି । ଜବତ ଗଂଜେଇର ମୂଲ୍ୟ ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ମାଫିଆମାନେ ବିଭାଗ ପଞ୍ଝାରୁ ଖସିବା ପାଇଁ ଛାତ୍ରଙ୍କୁ ବ୍ୟବହାର କରୁଛନ୍ତି। ଛାତ୍ରଙ୍କୁ ପକେଟ୍‌ ଖର୍ଚ୍ଚ ଦେଇ ଲକ୍ଷାଧିକ ଟଙ୍କା ଗଞ୍ଜେଇ କନ୍ଧମାଳ ଓ ବୌଦ୍ଧରୁ ପଡ଼ୋଶୀ ବିହାର ଏବଂ କଲିକତାକୁ ଚାଲାଣ କରାଯାଉଛି। ଏୟାର ବ୍ୟାଗ୍‌ରେ ଗଂଜେଇ ଚାଲାଣ ହେଉଥିବା ବେଳେ ଗଂଜେଇ ବାସ୍ନା ନହେବାକୁ ବ୍ୟାଗ୍‌ରେ ହଳଦୀ ଗୁଣ୍ଡ ସ୍ପ୍ରେ କରାଯାଉଛି । ଯାହା ଫଳରେ ବ୍ୟାଗ୍‌ରେ ହଳଦୀ ବାସ୍ନା ହେଉଥିବାରୁ ଗଂଜେଇ ଚାଲାଣ ସମ୍ପର୍କରେ ସାମନ୍ୟତମ ସୁରାଗ ମିଳିପାରୁନାହିଁ ।

Advertisment

କନ୍ଧମାଳ ଓ ବୌଦ୍ଧ ଭଳି ଉପାନ୍ତ ଜିଲ୍ଲାରୁ କଲେଜ ଛାତ୍ରଙ୍କୁ ଗଂଜେଇ ଚାଲାଣ ଘଟଣାରେ ଗିରଫ କରିବା ପରେ ବିଭାଗ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଗଲା ବର୍ଷ ମେ ୮ ତାରିଖରେ ବିଭାଗ ହାତରେ ଦୁଇଟି ପୃଥକ ଛାତ୍ର ଗୋଷ୍ଠୀ ଗଂଜେଇ ଚାଲାଣ ଅଭିଯୋଗ ଗିରଫ ହୋଇଥିଲେ। କନ୍ଧମାଳ ଗୋଛାପଡ଼ା କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ଅଜୟ ଦିଗାଲ ଏବଂ ବୌଦ୍ଧ ଜିଲ୍ଲା ବାଉଁଶୁଣି କଲେଜ ଯୁକ୍ତ ଦୁଇ ତିନି ତୃତୀୟ ବର୍ଷ କଳା ଛାତ୍ରଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ମୋଟ ୮୦ ହଜାର ଟଙ୍କାର ୧୨ କେଜି ଗଂଜେଇ ଜବତ କରାଯାଇଥିଲା । ସେହି ଦିନ କନ୍ଧମାଳ ଗୋଛାପଡ଼ା କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳା ଛାତ୍ର ରାଜୁ କଅଁର, ବୌଦ୍ଧ ଜିଲ୍ଲାର ଯୁକ୍ତ ତିନି ଛାତ୍ର ଦିଲ୍ଲୀପ କୁମାର ମହାନନ୍ଦିଆ ଏବଂ ହରିଶ୍ଚନ୍ଦ୍ର ପେରାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫୦ ହଜାର ଟଙ୍କା ମୂଲ୍ୟର ମୋଟ ୮ କେଜି ଗଞ୍ଜେଇ ଜବତ କରାଯାଇଥିଲା । ସେହି ବର୍ଷ ମେ ୨୯ ତାରିଖରେ କନ୍ଧମାଳ ଗୋଛାପଡ଼ା କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳା ଛାତ୍ର ଅମରେନ୍ଦ୍ର ବଗର ଏବଂ ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳା ଛାତ୍ର ରଜତ କୁମାର ବେହେରାକୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ମୋଟ ୩୫ କେଜି ଗଞ୍ଜେଇ ଏବଂ ଇଣ୍ଡିକା ଗାଡ଼ି ଜବତ କରାଯାଇଥିଲା । ୨୦୧୭ ଅକ୍ଟୋବର ୩୧ ତାରିଖରେ କନ୍ଧମାଳର ଟିକାବାଲି କଲେଜର ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ନିଳକଣ୍ଠ ହଂସ ଏବଂ ସହଯୋଗୀ କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ବସନ୍ତ ମହାନ୍ତିିଙ୍କୁ ବିଭାଗ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଏକ ହୋଣ୍ଡାସିଟି ସମେତ ୭୦ କେଜି ଗଞ୍ଜେଇ ଜବତ କରିଥିଲା । ଚଳିତ ମାସ ୧୫ ତାରିଖରେ ତିନି ଜଣ ଯୁକ୍ତ ଦୁଇ କଲେଜ ଛାତ୍ରଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କଟ୍ରିଙ୍ଗିଆର ପିଲୁ ଦିଗାଲ ଫୁଲବାଣୀ ସ୍ୱୟଂଶାସିତ ସରକାରୀ କଲେଜ୍‌ରେ ଯୁକ୍ତ ଦୁଇ କଳା ଦ୍ୱିତୀୟ ବର୍ଷ ଛାତ୍ର ଅଟନ୍ତି । ସେହିପରି ଅନିଲ କୁମାର ମଲ୍ଲିକ ଓଡ଼ଙ୍ଗା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳାର ଛାତ୍ର ଏବଂ ରାମଚନ୍ଦ୍ର ଦିଗାଲ ଟିକାବାଲି କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ବୋଲି ଜଣାପଡ଼ିଥିଲା ।

ଗିରଫ ହୋଇଥିବା ଅଧିକାଂଶ ଛାତ୍ର ନିଜ ପ୍ରେମିକାଙ୍କୁ ଦାମୀ ସାମଗ୍ରୀ ଉପହାର, କଲେଜ୍‌ ଫି, ପକେଟ୍‌ ଖର୍ଚ୍ଚ ଉଠାଇବା ପାଇଁ ଗଂଜେଇ ଚାଲାଣ ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ବୟାନରେ କହିଛନ୍ତି । ମାଫିଆମାନେ ସମ୍ପୃକ୍ତ ଛାତ୍ରଙ୍କୁ ଗଂଜେଇ ପ୍ୟାକେଟ୍‌ ଦେବା ସହିତ ଖାଇବା ଖର୍ଚ୍ଚ ଏବଂ ବସ୍‌ ବା ଟ୍ରେନ୍‌ ଭଡ଼ା ଆଗୁଆ ଦେଉଛନ୍ତି । ଠିକଣା ସ୍ଥଳରେ ଗଂଜେଇ ପହଞ୍ଚିବା ପରେ ଚାଲାଣ ବାବଦ ଟଙ୍କା ଛାତ୍ରଙ୍କୁ ଦିଆଯାଉଛି। ପ୍ରତି ଚାଲାଣ ପିଛା ହାରାହାରି ୨ରୁ ୩ ହଜାର ଟଙ୍କା ଛାତ୍ରଙ୍କୁ ଦିଆଯାଉଛି । ବିହାରରେ ସମସ୍ତ ମାଦକଦ୍ରବ୍ୟ ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ଉକ୍ତ ଅଞ୍ଚଳରେ ଚୋରା ଗଂଜେଇର ଚାହିଦା ଅଧିକ ରହିଛି । ତେଣୁ ସେଠାକୁ ଛାତ୍ରଙ୍କୁ ଅଧିକ ସଂଖ୍ୟାରେ ଗଂଜେଇ ଚାଲାଣ କରିବାକୁ ନିୟୋଜିତ କରାଯାଉଥିବା କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ରିପୋର୍ଟରୁ ସୂଚନା ମିଳିଛି ।