ଗଞ୍ଜେଇ ଟଙ୍କାରେ ମାଓବାଦୀ ମାଲାମାଲ୍‌, ୯ ରାଜ୍ୟକୁ ବିଛାଇ ଦେଲେଣି ଜାଲ

ଢୋଲ ଭିତରେ ମୂଷା: ବେପାର ପଛରେ ପୁଲିସ, ଅବକାରୀ କର୍ମଚାରୀ

ଭୁବନେଶ୍ୱର : ଗତ ଫେବ୍ରୁଆରି ମାସରେ ନୂଆଦିଲ୍ଲୀରେ ସ୍ୱତନ୍ତ୍ର ସ୍କ୍ଵାଡ ୫୪୦ କେଜି ଗଞ୍ଜେଇ ଜବତ କରିଥିଲେ। ଜୁନ୍‌ରେ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୯୭୦ କିଲୋଗ୍ରାମ୍‌ ଗଞ୍ଜେଇ ଜବତ ହୋଇଥିଲା ସେହି ଦିଲ୍ଲୀରୁ। ସୂଚନା ମିଳିଥିଲା, ଏସବୁ ଗଞ୍ଜେଇ ଓଡ଼ିଶାରୁ ବିଭିନ୍ନ ରାଜ୍ୟ ଦେଇ ଯାଇ ସେଠାରେ ପହଞ୍ଚିଛି।

କେବଳ ନୂଆଦିଲ୍ଲୀ ନୁହେଁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ହରିଆଣା, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନକୁ ଓଡ଼ିଶାରୁ ନିୟମିତ ବ୍ୟବଧାନରେ ଶହ ଶହ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଚାଞ୍ଚଲ୍ୟକର ସୂଚନା ମିଳିଛି। ନିକଟରେ କୋରାପୁଟରୁ ଜବତ ୩ ହଜାର କେଜି ଗଞ୍ଜେଇ ଘଟଣାରେ ମଧ୍ୟ ଯେଉଁ ଅଭିଯୁକ୍ତ ଗିରଫ ହୋଇଥିଲେ, ସେମାନେ ମଧ୍ୟପ୍ରଦେଶ ଓ ପଶ୍ଚିମ ଦିଲ୍ଲୀର।

ଓଡ଼ିଶାରୁ ଗଞ୍ଜେଇ ଚାଲାଣ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ବିଚାର କରାଯିବାର କାରଣ ଏୟା ଯେ ଗୋଟିଏ ପଟେ ମାଓ ଦମନ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯବାନ ଦିନରାତି ସେମାନଙ୍କୁ ନିପାତ ଲାଗି ଉଦ୍ୟମ ଚଳାଇଛନ୍ତି। ସହିଦ ହେଉଛନ୍ତି ପୁଲିସ, ନିରୀହ ଜନତା। ଅନ୍ୟପଟରେ ଓଡ଼ିଶାର ଗଞ୍ଜେଇ ଚାଷୀ, ବେପାରୀ ଏବଂ ମାଫିଆଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ନେଇ ମାଓବାଦୀ ଓଡ଼ିଶା ବିରୋଧରେ ଯୁଦ୍ଧ କରୁଛନ୍ତି। ଅବକାରୀ ବିଭାଗର ନିରବତା, ନିଷ୍କ୍ରିୟତାର ଫାଇଦା ନେଇ ଗୃହ ବିଭାଗକୁ ଟାର୍ଗେଟ କରୁଛନ୍ତି ମାଓବାଦୀ। ଅର୍ଥାତ୍‌ ରାଜ୍ୟ ସରକାରଙ୍କ ବାମ ହାତ ଏବେ ଡାହାଣ ହାତ ପାଇଁ ବିପଦ ସାଜିଛି। ବଡ଼ କଥା ହେଲା, ଗଞ୍ଜେଇ ଘଟଣାରେ କନ୍ଧମାଳ, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାରେ ପୁଲିସ କନଷ୍ଟେବଳ, ଅବକାରୀ ଅଧିକାରୀ ଗିରଫ ହେବା ଘଟଣା ପୁଲିସ ବିଭାଗରେ ଢୋଲ ଭିତରେ ମୂଷା ଭଳି ହୋଇଛି।

ହେଲେ ଏତେ ବଡ଼ ଘଟଣାକୁ ପୁଲିସ ଯେଭଳି ଗୁରୁତ୍ୱ ଦେବା କଥା ତାହା ଦେଖାଯାଉନାହିଁ। କାଁ ଭାଁ ଜବତ ଓ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି ସିନା, ଏ ଘଟଣାର ମୂଳ ପର୍ଯ୍ୟନ୍ତ କେହି ପହଞ୍ଚିପାରୁନାହାନ୍ତି। ଏହାର ଫାଇଦା ନେଉଛନ୍ତି ମାଓବାଦୀ, ମାଫିଆ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଗଞ୍ଜେଇ ଚାଷର ମୂଳୋତ୍ପାଟନ ହେବା ତ ଦୂରର କଥା ବରଂ ଓଡ଼ିଶା ଏ କ୍ଷେତ୍ରରେ ସବୁ ରାଜ୍ୟକୁ ଟପିଗଲାଣି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏଭଳି ସୂଚାଉଛି।

ନକ୍ସଲ ଅଧ୍ୟୁଷିତ ମାଲକାନଗିରି ଓ କନ୍ଧମାଳ ଜିଲ୍ଲା ଏବେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କ୍ଷେତ୍ରରେ ଅନ୍ୟ ସମସ୍ତଙ୍କୁ ଟପିଯିବାକୁ ବସିଛି। ବୌଦ୍ଧ, ରାୟଗ଼ଡା, କୋରାପୁଟ ଆଦି ଜିଲ୍ଲାରେ ମଧ୍ୟ ବ୍ୟାପକ ଗଞ୍ଜେଇ ଚାଷ ହେଉଛି। କେବଳ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ଯେତିକି ଗଞ୍ଜେଇ ନଷ୍ଟ କରିଛି, ସେ ପରିସଂଖ୍ୟାନକୁ ଦେଖିଲେ ଏହି ଚାଷ କିଭଳି ଭୟାନକ ଭାବେ ବଢିଚାଲିଛି, ତାହା ଅନୁମାନ କରାଯାଇପାରିବ। ୨୦୧୨-୧୩ ମସିହାରେ ୩୬.୫ ଏକର ଜମିରେ ପ୍ରଶାସନ ଗଞ୍ଜେଇ ଚାଷ ନଷ୍ଟ କରିଥିଲା। ସ୍ୱାଭାବିକ ଭାବେ ଆଶା କରାଯିବା କଥା ଯେ ପ୍ରଶାସନର ଏଭଳି ଦମନମୂଳକ କାର୍ଯ୍ୟାନୁଷ୍ଠାନ ପରେ ଗଞ୍ଜେଇ ଚାଷ କମିବ। ମାତ୍ର ୨୦୧୩-୧୪ରେ ପ୍ରଶାସନ ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ ଅଧିକ ଜମିରେ ଚାଷ କଲେ ଓ ସେହି ବର୍ଷ ୨୪୩ ଏକ ଗଞ୍ଜେଇ ନଷ୍ଟ କରାଯାଇଥିଲା। ୨୦୧୪-୧୫ରେ ୭୨୭ କ୍ୱିଣ୍ଟାଲ, ୨୦୧୫-୧୬ରେ ୧୩୪୧ କ୍ୱିଣ୍ଟାଲ ଓ ୨୦୧୬-୧୭ରେ ଏହା ୨୦୭୨ କ୍ୱିଣ୍ଟାଲ ନଷ୍ଟ କରିଛି ପ୍ରଶାସନ।

ସେହିଭଳି କୋରାପୁଟ ଜିଲ୍ଲାର ପରିସଂଖ୍ୟାନ ବି ଆଖି ଖୋସି ଦେବା ଭଳି। ବର୍ଷକ ଭିତରେ କେବଳ ଗଞ୍ଜେଇ ଚାଲାଣ ଘଟଣାରେ ୪୭ଟି ମାମଲା ରୁଜୁ ହୋଇଛି। ୯୭ ଜଣଙ୍କୁ ଗିରଫ କରିଛି ପୁଲିସ, ଯେଉଁଥିରେ ଦୁଇଜଣ କନଷ୍ଟେବଲ ବି ଅଛନ୍ତି। ୧୫୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୪୦ ଗା଼ଡି ଜବତ ହୋଇଛି, ଯେଉଁଥିରେ ଦାମୀ କାର୍‌ ଓ ଟ୍ରକ୍‌ ବି ରହିଛି। ଗଞ୍ଜେଇ ଉପରେ କଫି ରଖି ମାଫିଆ ଅଗଷ୍ଟ ୪ରେ ୩୦ କ୍ୱିଣ୍ଟାଲ ଗଞ୍ଜେଇ ନେଇ ମାଫିଆ ବୈପାରିଗୁଡାରୁ ହରିଆଣା ଗଲାବେଳେ ଜବତ ହୋଇଥିଲା।

ମିଳିଥିବା ଖବର ଅନୁସାରେ, ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ଗଞ୍ଜେଇ ଚାଷ ହେଉଛି। ଉତ୍ପାଦନସ୍ଥଳରୁ ବଜାର ଯାଏ ଗଞ୍ଜେଇ ପହଞ୍ଚିଲା ବେଳକୁ ଏହାର ମୂଲ୍ୟ ବହୁଗୁଣିତ ହୋଇଯାଉଛି। ପାଖାପାଖି ୫୦ ଜଣଙ୍କୁ ନେଇ ଗୋଟିଏ ଗୋଟିଏ ସିଣ୍ଡିକେଟ୍‌ ଗଠନ ହୋଇଛି ଓ ଏମାନଙ୍କ ମାଧ୍ୟମରେ ମାଲକାନଗିରି, କନ୍ଧମାଳର ଦୁର୍ଗମସ୍ଥଳରୁ ଅନ୍ୟ ରାଜ୍ୟକୁ ଅତ୍ୟନ୍ତ ସାବଧାନତାର ସହିତ ଗଞ୍ଜେଇ ଚାଲାଣ ହେଉଛି। ଗୋଟିଏ ସମୟରେ ଏହାର ମୂଲ୍ୟ କେଜି ପ୍ରତି ୩ ହଜାର ଟଙ୍କା ଥିଲା। ଏବେ ଅତିକମ୍‌ରେ ୨୦ ହଜାରରୁ ୨୫ ହଜାର ଟଙ୍କା ହେଲାଣି। ସେପ୍ଟେମ୍ବରଠାରୁ ଡିସେମ୍ବର ମାସ ଯାଏ ଏହାର ଦର ଆହୁରି ବଢିଯାଉଛି। ନୂଆଦିଲ୍ଲୀରେ ଗଞ୍ଜେଇ ଗାଡି ଜବତ କରିବା ବେଳେ ପୁଲିସ ଜାଣିପାରିଥିଲା ଯେ ଗୋଟିଏ ଗୋଟିଏ ଟ୍ରକ୍‌ ପରିବହନ ବାବଦରେ ପ୍ରାୟ ୨୦ହଜାରରୁ ୨୫ ହଜାର ଟଙ୍କା ଯାଏ ନେଉଛନ୍ତି।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ବର୍ଷକୁ ହାରାହାରି ୬୦୦ରୁ ୮୦୦ କୋଟିର ଗଞ୍ଜେଇ ନଷ୍ଟ କରାଯାଉଛି। ୨୦୧୫-୧୬ରେ ସମଗ୍ର ରାଜ୍ୟରେ ୨୪୫୭ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିଲା। ୨୦୧୬-୧୭ରେ ଏହି ପରିମାଣ ବୃଦ୍ଧି ପାଇ ୩୫୯୯ ଏକରରେ ପହଞ୍ଚିଥିଲା। ଆଉ ୨୦୧୭ରେ ଲକ୍ଷ୍ୟଠାରୁ ଢେର୍‌ ଅଧିକ ଅର୍ଥାତ୍‌ ୪୪୦୭ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା।

ଏକଦା ନକ୍ସଲ ଅପରେସନ୍‌ ସହିତ ସଂପୃକ୍ତ ଜଣେ ଅଧିକାରୀଙ୍କ କହିବା କଥା ହେଉଛି, ରାଜ୍ୟରେ ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକ ଗଞ୍ଜେଇ ଚାଷ ହେଉଛି। କନ୍ଧମାଳ, ଗଜପତି, କୋରାପୁଟ ଜିଲ୍ଲାର ଦୁର୍ଗମ ସ୍ଥାନରେ ମଧ୍ୟ ଏହି ଚାଷ ଭଲ ହୋଇଥାଏ। ଦେବଗଡ, ଅନୁଗୁଳ, ସମ୍ବଲପୁର, ବରଗଡରେ ଚାଷ କମିଲାଣି। କିନ୍ତୁ ମାଓବାଦୀ ବ୍ୟବସାୟୀଙ୍କ ଠାରୁ ଚାନ୍ଦା ନିଅନ୍ତି ଓ ପୁଲିସ ସେ ଅଞ୍ଚଳରେ ପ୍ରବେଶ କରିପାରିବନି ବୋଲି ସେମାନଙ୍କୁ ଗ୍ୟାରେଣ୍ଟି ଦିଅନ୍ତି। କିଛି ବର୍ଷ ପୂର୍ବେ ସେମାନେ କନ୍ଧମାଳ ଅଞ୍ଚଳରେ ଚାଷୀଙ୍କ ଠାରୁ ଗଛ ପିଛା ୫ଟଙ୍କା ଲେଖାଏଁ ନେବାକୁ ଉଦ୍ୟମ କରିଥିଲେ। ମାତ୍ର ଏ ଚାଲ୍‌ ସଫଳ ହୋଇନଥିଲା।

କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି, ପ୍ରତିବର୍ଷ ଡିସେମ୍ବରରୁ ଫେବ୍ରୁଆରି ଯାଏ ଗଞ୍ଜେଇ ଚାଷ ହୋଇଥାଏ। ଏହି ଚାଷ ଦମନ ଲାଗି ମିଳିତ ଅପରେସନ୍‌ ହେଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ଏ ଦିଗରେ ଆହୁରି ଅଧିକ ପଦକ୍ଷେପ ନିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ନିକଟରେ କେନ୍ଦ୍ରୀୟ ନାର୍‌କୋଟିକ୍‌ ସଂସ୍ଥା ଡ୍ରୋନ୍‌ କ୍ୟାମେରା ବ୍ୟବହାର ପାଇଁ ସମ୍ମତି ଜଣାଇଛନ୍ତି। ଏହାଦ୍ୱାରା ଅପରେସନ୍‌ ତ୍ୱରାନ୍ଵିତ କରାଯାଇପାରିବ।

ସମ୍ବନ୍ଧିତ ଖବର