ପରିବା କିଆରିରେ ଗଞ୍ଜେଇ ଚାଷ

ପରିବା କିଆରିରେ ଗଞ୍ଜେଇ ଚାଷ

କଣାସ : କଣାସ ବ୍ଲକ୍‌ ଅନ୍ତର୍ଗତ ନାନକେରା ଅଞ୍ଚଳରେ ପରିବା ଚାଷ ଆଢ଼ୁଆଳରେ ଗଞ୍ଜେଇ ଚ‌ାଷ ଚାଲିଛି। ଖବର ମୁତାବକ କଣାସ ଥାନା ପଣ୍ଡିଆକେରା ପଞ୍ଚାୟତର ନାନକେରା ଗ୍ରାମରେ ପୁରୀ ଅବକାରୀ ବିଭାଗ ହଜାର ହଜାର ଗଞ୍ଜେଇ ଗଛ ଜବତ କରିବା ସହିତ ଗଛକଟା ଅରମ୍ଭ କରିଛି। ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଗଞ୍ଜେଇ ଗଛ ଚାଷ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ନାନକେରା ଗ୍ରାମର ପଛପଟ ରାଜୁଆ ନଦୀ ଓ ଦୟା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳରେ କିଛି ଚାଷୀ ପରିବା ଚାଷ ସହିତ ଗଞ୍ଜେଇ ଚାଷ କରୁଥିଲେ। ବିଲଗୁଡ଼ିକ ଗାଁ’ଠାରୁ ଦୂରରେ ଥିବାରୁ ଏହା ସ୍ଥାନୀୟ ଲୋକଙ୍କ ନଜରକୁ ଆସି ନଥିଲା। ବିଭିନ୍ନ ପରିବା ବିଲରେ ୫ ହଜାରରୁ ଅଧିକ ଗଞ୍ଜେଇ ଗଛ ଲାଗିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ତେବେ କେଉଁ କେଉଁ ଚାଷୀ ନିଜ ଜମିରେ ଗଞ୍ଜେଇ ଚାଷ କରିଛନ୍ତି ତାହାର ତଦନ୍ତ ଜାରି ରହିଛି।

ଗଞ୍ଜେଇ ଚାଷ ହୋଇଥିବା ଜମି ମାଲିକଙ୍କ ସମ୍ପର୍କରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡ଼ି ନ ଥିଲେ ମଧ୍ୟ ଅସନ୍ତାକାଲି ତହସିଲଦାରଙ୍କ ଉପସ୍ଥିତିରେ ବିଲ ଚହ୍ନଟ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଧରାପଡ଼ିବା ଭୟରେ ସମ୍ପୃକ୍ତ ଚାଷୀମାନେ ଫେରାର ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୁରୀ ଅବକାରୀ ଏସ୍‌ପି ଜଗଦୀଶ ଚନ୍ଦ୍ର ସାମଲ କହନ୍ତି ଏତେ ପରିମାଣର ଗଞ୍ଜେଇ ଚାଷ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି। ୧୫ଜଣ କର୍ମଚାରୀ ଗଞ୍ଜେଇ ଗଛ କାଟିବା ପାଇଁ ଲାଗିଛନ୍ତି। ଏହି କାର୍ଯ୍ୟ ୫ ଦିନ ଧରି ଚାଲିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe