ଗଞ୍ଜେଇ ଚାଷ : ଜାଗା ଦେଲା ବନ ବିଭାଗ, ଅର୍ଥ ଦେଲା ପ୍ରଶାସନ

କନ୍ଧମାଳରେ ମାଫିଆଙ୍କୁ ସବୁ ଆଡ଼ୁ ସାହାଯ୍ୟ!

ଫୁଲବାଣୀ : କନ୍ଧମାଳରେ କେବଳ ଗଂଜେଇ ମାଫିଆଙ୍କ ପ୍ରୋତ୍ସାହନ ନୁହେଁ, ଗଂଜେଇ ଚାଷ ପଛରେ ବନ ବିଭାଗ ଓ ପ୍ରଶାସନର ପରୋକ୍ଷ ପ୍ରୋତ୍ସାହନ ରହିଛି। ଆଉ ପରୋକ୍ଷ ଭାବେ ପ୍ରଶାସନ ପକ୍ଷରୁ ଗଂଜେଇ ମାଫିଆଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ, ଚାଷ(କଂଜେଇ)କୁ ଜଳସେଚନ ସୁବିଧା ମଧ୍ୟ ଯୋଗାଇ ଦିଆ ଯାଉଥିବା ଘଟଣା ପଦାକୁ ଆସିଛି। ଜଙ୍ଗଲ ସଫା କରି ଗଂଜେଇ ଚାଷ କରିବାକୁ ସୁଯୋଗ ଦେଉଛି ବନ ବିଭାଗ। ଆଉ ଗଂଜେଇ ଚାଷ ପାଇଁ ବିଭିନ୍ନ ଉପାୟରେ ପାଣି, ଏପରିକି କେନାଲ ଯୋଗେ ଜଳସେଚନ ସୁବିଧା ବି ଯୋଗାଉଛି ପ୍ରଶାସନ। ମାଫିଆଙ୍କୁ ସବୁ ସୁବିଧା ମିଳି ଯାଉଥିବାରୁ କନ୍ଧମାଳରେ ବର୍ଷକୁ ବର୍ଷ ବଢ଼ି ଚାଲିଛି ଗଂଜେଇ ଚାଷ।

ଅନ୍ୟ ଚାଷ ଛାଡ଼ି ଗଂଜେଇ ଚାଷ କରୁଛନ୍ତି ଚାଷୀ। ତାହା କେବଳ ମାଫିଆଙ୍କ ପ୍ରୋତ୍ସାହନରେ ସମ୍ଭବ ହେଉଛି ବୋଲି ଧାରଣା ଥିଲା। ଘଞ୍ଚ ଜଙ୍ଗଲ ହେଉଛି ନିରାପଦ ସ୍ଥାନ। ତେଣୁ ଗଂଜେଇ ଚାଷ କରିବା ପୂର୍ବରୁ ଜଙ୍ଗଲ ସଫା କରାଯାଉଛି। ମୂଲ୍ୟବାନ ଗଛ କାଟି ସଫା କରାଯାଉଛି। ଗଂଜେଇ ଚାଷ ପାଇଁ ପାଣିର ଆବଶ୍ୟକତା ଥିବାରୁ ମାଫିଆମାନେ ନେତାଙ୍କୁ ଧରୁଛନ୍ତି। ଆଉ ନେତାଙ୍କ କଥାରେ ସରକାରୀ ବାବୁମାନେ ଜଙ୍ଗଲ ଭିତର ଦେଇ କେନାଲ ଖୋଳି, ଗଭୀର କୂପ ଯୋଜନାରେ କୂଅ ଖୋଳିବାକୁ ସରକାରୀ ପ୍ରୋତ୍ସାହନରେ ଜଳଯୋଗାଣର ସୁବ୍ୟବସ୍ଥା କରି ଦେଉଛନ୍ତି। କେଉଁଠି କେନାଲ ନିର୍ମାଣ କରି ଦେଉଛନ୍ତି ଆଉ କେଉଁଠି ଝରଣାରୁ ପାଣି ମାଡ଼ିବା ପାଇଁ ସିମେଣ୍ଟ ଡ୍ରେନ୍‌ର ବ୍ୟବସ୍ଥା କରିବାକୁ ପଛାଉ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଚାଷ ପାଇଁ ଜଳଯୋଗାଣ ସୁବିଧା କରାଯାଇଛି ବୋଲି ମିଥ୍ୟା କାଗଜପତ୍ର ଦର୍ଶାଇ ସରକାରୀ ଅର୍ଥ ଚଳୁ କରି ଦେଉଛନ୍ତି। ଚଳିତ ବର୍ଷ ଗଂଜେଇ ଗଛ କଟା ଅଭିଯାନ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ନା ଧାନ ଚାଷ ହୋଇଛି, ନା ପରିବା ଫସଲ। ହେଲେ ଗଂଜେଇ ଚାଷ ପାଇଁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ଗଂଜେଇ ଗଛ କଟା ଅଭିଯାନ ବେଳେ ଚଢ଼ଉରେ ସାମିଲ କିଛି ଅଧିକାରୀ ଓ ପୁଲିସ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଜଙ୍ଗଲରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ‌ପଇଁତରା ମାରୁଛନ୍ତି ବୋଲି କହୁଛନ୍ତି। ହେଲେ ମୂଲ୍ୟବାନ ଗଛ କଟାଯାଇ ଜଙ୍ଗଲରେ କିଭଳି ହଜାର ହଜାର ‌‌ଏକର ଜାଗାରେ ଗଂଜେଇ ଚାଷ ହେଉଛି ତାହା ସ୍ବଚକ୍ଷୁରେ ଦେଖି ନଥିବା ଲୋକଙ୍କୁ ବିସ୍ମିତ କରିଛି। ପାଣି ହାତପାଆନ୍ତାରେ ମିଳିଯାଉଛି। ଏତେ ସବୁ ସୁବିଧା ସୁଯୋଗ ପାଇ ମାଫିଆମାନେ ବର୍ଷକୁ ବର୍ଷକୁ ବେଶ୍‌ ସକ୍ରିୟ ହୋଇ ଉଠୁଛନ୍ତି। ବ୍ୟାପକ ଗଂଜେଇ ଚାଷ ସେମାନଙ୍କ ପ୍ରୋତ୍ସାହନରେ ହେଉଛି। ଆଉ ଅମଳ ପରେ ବାହାରକୁ ଗଂଜେଇ ଚାଲାଣ କରି ସେମାନେ ମାଲାମାଲ୍‌ ହେବା ସହ ମୋହରା ସାଜିଥିବା ଚାଷୀଙ୍କୁ କିଛି ଟଙ୍କା ଦେଇ ଭଣ୍ଡାଉଛନ୍ତି।

ସରକାରଙ୍କ ଅର୍ଥ ଶ୍ରାଦ୍ଧ କରି ପ୍ରତିବର୍ଷ ୨ ମାସ ଧରି ଚାଲୁଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। ତାହା ପୁଣି ହୋଇଥିବା ଗଂଜେଇ ଚାଷରୁ କାଣିଚାଏ। ସବୁଠାରୁ ବଡ଼ କଥା ହେଲା, ପୁଲିସ ଓ ଅବକାରୀ ବିଭାଗ ଗଂଜେଇ ଗଛ କାଟୁଥିବା ବେଳେ ଚାଷ କରିବାକୁ ଏପଟେ ସାହାଯ୍ୟ ଯୋଗାଉଛନ୍ତି ରାଜନେତା, ପ୍ରଶାସନ। ସେପଟେ ସରକାରୀ ଅର୍ଥ ବରବାଦ କରି ଗଛ କଟା। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର