କନ୍ଧମାଳରେ ଶ୍ରୀପଦ୍ଧତିରେ ଗଂଜେଇ ଚାଷ, ମାଫିଆଙ୍କ ପାଇଁ ଅମରାବତୀ ପାଲଟିଛି ସାରଙ୍ଗଗଡ

ପୁଲିସ ପାଖରେ ଖବର ଅଛି,ଅନ୍ଧାରରେ ଅବକାରୀ ବିଭାଗ

ଫୁଲବାଣୀ: ଅଧିକ ଫସଲ ଉତ୍ପାଦନ ହେବ, ଚାଷୀ ଅଧିକ ଲାଭବାନ ହେବେ। ଏଭଳି ଲକ୍ଷ୍ୟରେ ସଂପ୍ରତି ଶ୍ରୀପଦ୍ଧତି ପ୍ରଣାଳୀ ଚାଷକୁ ସରକାର ଗୁରୁତ୍ବ ଦେଉଛନ୍ତି। ଏଥି ନିମନ୍ତେ ଚାଷୀଙ୍କୁ ସବୁ ପ୍ରକାର ସାହାଯ୍ୟ ବି ଯୋଗାଇ ଦେଉଛନ୍ତି ସରକାର। ଧାନ ନୁହେଁ କି ଅନ୍ୟାନ୍ୟ ଚାଷ ନୁହେଁ। ଚଳିତ ବର୍ଷ କନ୍ଧମାଳରେ ଶ୍ରୀପଦ୍ଧତି ପ୍ରଣାଳୀରେ ଗଂଜେଇ ଚାଷ ହୋଇଥିବା ଦେଖିବାକୁ ମିଳିଛି। ୩ ଦିନ ଧରି ଗଂଜେଇ ଚାଷ ନଷ୍ଟ ଅଭିଯାନ ଚାଲିଥିବା ବେଳେ ସାମିଲ ଥିବା ପୁଲିସ ଓ ଅବକାରୀ ବିଭାଗର ଅଧିକାରୀ ଆଧୁନିକ ଶ୍ରୀପଦ୍ଧତିରେ ଗଛ ଲଗାଯାଇ ଥିବା ଦେଖି ତାଜୁବ ହୋଇ ପଡିଛନ୍ତି। ଜିଲ୍ଲାର ଫିରିଙ୍ଗିଆ,ଗୋଛାପଡା ଓ ବାଲିଗୁଡା ଥାନା ଇଲାକାରେ ପ୍ରତିବର୍ଷ ହଜାର ହଜାର ଏକର ଜାଗାରେ ଗଂଜେଇ ଚାଷ ହୋଇ ଆସୁଛି। ପୁଲିସ ଓ ଅବକାରୀ ବିଭାଗ ଗଂଜେଇ ଚାଷକୁ ନଷ୍ଟ କରୁଛନ୍ତି।

ହେଲେ ଏତେ ପରିମାଣର ଗଂଚେଇ ଚାଷ ହେଉଛି ଯେ ଯେତେ କାଟି ନଷ୍ଟ କଲେ ବି ସରୁ ନାହିଁ। ଚଳିତ ବର୍ଷ ଗଂଜେଇ ଚାଷ ହେଉଥିବା ଅଞ୍ଚଳରେ ପ୍ରଥମ ଥର ପାଇଁ ବ୍ୟାପକ ଭାବେ ଚାଷ ହୋଇଥିବା ଜଣା ପଡିଛି। ଫିରିଙ୍ଗିଆ,ଗୋଛାପଡା ଓ ବାଲିଗୁଡା ଅଞ୍ଚଳରେ ପ୍ରତିବର୍ଷ ଗଂଜେଇ ଗଛ କଟା ସଫା କରି ଦିଆଯାଉଥିବାରୁ ମାଫିଆମାନେ ଏବେ ସାରଙ୍ଗଗଡ ଅଞ୍ଚଳକୁ ନିରାପଦ ସ୍ଥାନ ଭାବେ ଭାବି ନେଇଛନ୍ତି। ସାରଙ୍ଗଗଡ ଥାନା ଅଞ୍ଚଳରେ ୩ହଜାରରୁ ଉର୍ଦ୍ଧ୍ବ ଏକର ଜାଗାରେ ଗଂଜେଇ ଚାଷ ହୋଇଥିବା କୁହାଯାଉଛି। ସାରଙ୍ଗଗଡରେ ବିଭିନ୍ନ ଥାନା ଅଞ୍ଚଳରେ ତଥାକଥିତ ଚାଷୀ ଗଂଜେଇ ଚାଷ କରିଥିବାବେଳେ ସେମାନଙ୍କୁ ମାଫିଆମାନେ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି।

ଏ ନେଇ ସାରଙ୍ଗଗଡ ପୁଲିସ ପାଖରେ ଖବର ଅଛି। ହେଲେ ଗଛକଟା ଅଭିଯାନ କଷ୍ଟଦାୟକ ହୋଇଥିବାରୁ ଏ ନେଇ ସାରଙ୍ଗଗଡ ପୁଲିସ ଏସପିଙ୍କୁ ଅବଗତ କରୁନଥିବା କୁହାଯାଉଛି। ସାରଙ୍ଗଗଡ ଥାନା ଅଞ୍ଚଳରେ ଗଂଜେଇ ଚାଷ ହେବା ନେଇ ଅବକାରୀ ବିଭାଗ ଅନ୍ଧାରରେ ଥିବା ଜଣାପଡିଛି। ଏ ନେଇ ଏସପି ତନାଘନା କରି ତୁରନ୍ତ ପଦକ୍ଷେପ ନେବା ସହ ସଂପୃକ୍ତ ଅଞ୍ଚଳରେ ଗଂଜେଇ ଗଛ କଟା ଅଭିଯାନକୁ ଗୁରୁତ୍ବ ଦେବାକୁ ଦାବି ହେଉଛି। କନ୍ଧମାଳରେ ଗଂଜେଇ ଚାଷ ଅମରାବତୀ ପାଲଟିଛି। ଗଂଜେଇ ଚାଷକୁ ବନ୍ଦ କରିବା ନିମନ୍ତେ ପ୍ରଶାସନ ଓ ପୁଲିସ ଉଦ୍ୟମ ଜାରି ରଖିଥିଲେ ବି ଗଂଜେଇ ଚାଷ କମିବା ବଦଳରେ ବର୍ଷକୁ ବର୍ଷ ବଢି ଚାଲିଛି। ମାଫିଆଙ୍କ ସହ କିଛି ଦୁର୍ନୀତିଗ୍ରସ୍ତ ଓ ଟଙ୍କାଖୋର ସରକାରୀ ବାବୁ,ପୁଲିସ ଓ ଅବକାରୀ ବିଭାଗର ଅନୁକମ୍ପା ରହୁ ଥିବାରୁ କନ୍ଧମାଳରୁ ଗଂଜେଇ ଚାଷ କମୁ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର