ରାଜ୍ୟରେ ବଢ଼ୁଛି ଗଞ୍ଜେଇ ଚାଷ

୯ ଜିଲ୍ଲାକୁ ବ୍ୟାପିଲାଣି, ଦେଶରେ ଦ୍ୱିତୀୟ

ହିସାବ ଦେଲେ ପୁଲିସ ଡିଜି

ତଥ୍ୟ ଦେଲେ ମିଳିବ ପୁରସ୍କାର ରାଶି

ଭୁବନେଶ୍ୱର : ଗତ ଦୁଇ ବର୍ଷ ତୁଳନାରେ ରାଜ୍ୟରେ ଗଞ୍ଜେଇ ଚାଷ ବଢ଼ିଛି। ଗୋଟିଏ ଦୁଇଟି ଜିଲ୍ଲାରୁ ଏବେ ମାଡ଼ି ଗଲାଣି ୯ଟି ଜିଲ୍ଲାକୁ। କେବଳ ସେତିକି ନୁହେଁ, ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ହିମାଚଳ ପ୍ରଦେଶ ପରେ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ ଯେଉଁଠି ବହୁଳ ପରିମାଣରେ ଗଞ୍ଜେଇ ଚାଷ ହେଉଛି।

ଗଞ୍ଜେଇ ଚାଷ ଓ ଏହାକୁ ନଷ୍ଟ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଆଜିିର ସାମ୍ବାଦିକ ସମ୍ମିଳନୀରୁ ଏଭଳି ତଥ୍ୟ ମିଳିଛି। ଆଜି ଡିଜି କହିଥିଲେ, ଗଞ୍ଜେଇ ଚାଷକୁ ମୂଳରୁ ନିପାତ କରିବାକୁ ପୁଲିସ ଓ ଅବକାରୀ ବିଭାଗ ସମେତ ଫରେଷ୍ଟ, ନାରକୋଟିକ୍ସ ଆଦି ବିଭାଗକୁ ନେଇ ଏକ ଟିମ୍‌ ଗଠନ ହୋଇଛି। ଏହି ଟିମ୍‌ ଗତ ନଭେମ୍ବର ମାସରୁ ଚଳିତ ମାସ ଆଜି ଯାଏ ୯ଟି ଜିଲ୍ଲାରେ ୪୪୦୭ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରି ସାରିଲାଣି। କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୨୨୨୭ ଏକର ଗଞ୍ଚେଇ ଚାଷ ନଷ୍ଟ କରାଯାଇଛି। କୋରାପୁଟ ଜିଲ୍ଲାରେ ସବୁଠାରୁ କମ୍‌ ମାତ୍ର ୨୮ ଏକରରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

ଡିଜି କହିଥିଲେ, ସାଟେଲାଇଟ ମାଧ୍ୟମରେ ଯେଉଁଠାରେ ଗଞ୍ଜେଇ ଚାଷ ହେଉଛି ସେ ସବୁକୁ ଚିହ୍ନଟ କରାଯାଉଛି। ଆଗାମୀ ଦିନରେ ଏଭଳି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜୋରଦାର କରାଯିବ। ଅନ୍ୟପକ୍ଷରେ ଯେଉଁମାନେ ଚୋରା ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ସମ୍ପର୍କରେ ସୂଚନା ଦେବେ ସେମାନଙ୍କୁ ଆର୍ଥିକ ରାଶି ପୁରସ୍କାର ପ୍ରଦାନ କରାଯିବ। ଗୋଟିଏ କେଜି ବ୍ରାଉନସୁଗାର ଧରାଇଦେଲେ ସୂଚନା ପ୍ରଦାନକାରୀକୁ ୧ ଲକ୍ଷ ୨୦ ହଜାର ଟଙ୍କା ଓ ଗୋଟିଏ କେଜି ଗଞ୍ଜେଇ ଧରାଇ ଦେଲେ ୬୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଡିଜି ଶର୍ମା ସୂଚନା ଦେଇଥିଲେ। ସୂଚନା ପ୍ରଦାନକାରୀ ସିଧା ସଳଖ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ, ଏସଟିଏଫ୍‌ କାର୍ଯ୍ୟାଳୟ କିମ୍ବା ଜିଲ୍ଲା ଏସ୍‌ପିଙ୍କୁ ତଥ୍ୟ ପ୍ରଦାନ କରି ପାରିବେ।

ସାମ୍ବାଦିକ ସମ୍ମିଳନୀରେ ଡିଜି ଶ୍ରୀ ଶର୍ମା ସୂଚନା ଦେଇଥିଲେ, ଚଳିତ ବର୍ଷ ୯ଟି ଜିଲ୍ଲାରେ ୩୦୫୦ ଏକର ଜମିରେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଲକ୍ଷ୍ୟଠାରୁ ଅଧିକ ୪୪୦୭ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଯେତେବେଳେକି ୨୦୧୬ ମସିହାରେ ୩୫୯୯ ଏକର ଓ ୨୦୧୫ ମସିହାରେ ୨୪୫୭ ଏକର ଚାଷ ଜମି ନଷ୍ଟ ହୋଇଥିଲା।

ଚଳିତ ବର୍ଷ ହୋଇଥିବା ଗଞ୍ଚେଇ ଚାଷ ନଷ୍ଟ ମଧ୍ୟରେ ସର୍ବାଧିକ କନ୍ଧମାଳରେ ୨୨୨୭ ଏକର ଚାଷ ଜମି ନଷ୍ଟ ହୋଇଛି ତା ତଳକୁ ରହିଛି ଗଜପତି ଜିଲ୍ଲାରେ ୮୪୧ ଏକର, ବୌଦ୍ଧରେ ୭୭୯ ଏକର, ରାୟଗଡ଼ାରେ ୨୭୨ ଏକର, ମାଲକାନାଗିରିରିରେ ୧୯୯ ଏକର, ଅନୁଗୁଳରେ ୫୧ ଏକର ଚାଷ ଜମି ନଷ୍ଟ କରାଯାଇଛି। ଏ ବାବଦରେ ୨୦୧୭ରେ ସମୁଦାୟ ୪୨୦ଟି ମାମଲା ରୁଜୁ କରାଯାଇ ୪୭ ହଜାର ୬ଶହ ୨ କେଜି ଗଞ୍ଜେଇ ଜବତ ହୋଇଛି। ୭ଶହ ଜଣ ଅଭିଯୁକ୍ତଙ୍କୁ ଚୋରା ଗଞ୍ଜେଇ କାରବାରରେ ଗିରଫ କରାଯାଇଛି।

ଡାକ୍ତର ଶର୍ମା କହିଥିଲେ, କୋରାପୁଟ ଓ ମାଲକାନାଗିରିର ବିଚ୍ଛିନ୍ନାଞ୍ଚଳ ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷ ହେଉଛି। କିନ୍ତୁ ସେ ସବୁ ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇଥିବା କାରଣରୁ ସେଠାରେ ହେଉଥିବା ଗଞ୍ଜେଇ ଚାଷ ନଷ୍ଟ କରିବାରେ ସମସ୍ୟା ସୃଷ୍ଟି ହେଉଛି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଓ ଏସ୍‌ଟିଏଫ୍‌ ଆଇଜି ରାଧାକୃଷ୍ଣ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର