ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ
ମାଲକାନଗିରି : ମାଲକାନଗିରି ଜିଲ୍ଲାକୁ ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଲକ୍ଷପତି ହେବା ଆଶାରେ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଅନେକ ଲୋକ ଧାନ ଚାଷ ବନ୍ଦ କରି ଗଞ୍ଜେଇ ଚାଷ କରୁଛନ୍ତି। ଧାନ ଠାରୁ ଗଞ୍ଜେଇର ଦର ଅଧିକ ଥିବାରୁ ଲୋକେ ଗଞ୍ଜେଇ ଚାଷ କରିବାକୁ ପସନ୍ଦ କରୁଛନ୍ତି। ବିଶେଷ କରି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, କୋରୁକୋଣ୍ଡା ଓ ମାଲକାନଗିରି ବ୍ଲକର ଦୁର୍ଗମ ଗ୍ରାମ ଗୁଡ଼ିକରେ ଗଞ୍ଜେଇ ଚାଷ ବ୍ୟାପକ ଭାବେ କରାଯାଉଛି। ଏହି ଦୁର୍ଗମ ଅଞ୍ଚଳରେ ବ୍ୟବସାୟୀ ମାନେ ପହଞ୍ଚି ଗଞ୍ଜେଇ ନେଉଥିବାରୁ ଚାଷୀଙ୍କୁ ଗଞ୍ଜେଇ ବିକ୍ରି କରିବାରେ କୌଣସି ସମସ୍ୟା ଦେଖାଦେଉନି। ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳରେ ଜିଲ୍ଲାର ସବୁଠାରୁ ବେଶୀ ଗଞ୍ଜେଇ ଚାଷ କରାଯାଉଛି। ଏହି ଦୁର୍ଗମ ଅଞ୍ଚଳରେ ନକ୍ସଲଙ୍କ ଦବଦବା ଥିବାରୁ ପୁଲିସ କିମ୍ବା ଅବକାରୀ ବିଭାଗ ପହଞ୍ଚି ପାରନ୍ତିନି। ଏହାର ସୁଯୋଗ ନେଇ ଏହି ଅଞ୍ଚଳରେ ଲୋକେ ଗଞ୍ଜେଇ ଚାଷ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଚ୍ଛିନ୍ନାଞ୍ଚଳରୁ ପ୍ରତି ବର୍ଷ ଶହ ଶହ ଟ୍ରକ ଗଞ୍ଜେଇ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ବିହାର, ଉତ୍ତର ପ୍ରଦେଶ ସମେତ ବାହାର ଦେଶକୁ ମଧ୍ୟ ରପ୍ତାନି ହେଉଥିବା ଜଣାପଡିଛି। ବିଛିନ୍ନାଞ୍ଚଳର ୭ଟି ପଞ୍ଚାୟତରେ ଚାଷୀ ନିଜ ଜମିରେ ହେଉ ବା ସରକାରୀ ଜମିରେ ଗଞ୍ଜେଇ ଚାଷ କରୁଛନ୍ତି। ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ଗଞ୍ଜେଇ ଚାଷ ହେଉଥିବା ଜାଣିଥିଲେ ହେଁ ପୁଲିସ କିମ୍ବା ଅବକାରୀ ବିଭାଗ ଚଢ଼ଉ କରିବା ଏକପ୍ରକାର ଅସମ୍ଭବ ହୋଇପଡୁଛି। ବିଚ୍ଛିନ୍ନାଞ୍ଚଳ ବ୍ୟତୀତ ଜିଲ୍ଲାର ଅନ୍ୟ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ପୁଲିସ ଏବଂ ଅବକାରୀ ବିଭାଗ ଦ୍ବାରା ମିଳିତ ଭାବେ ଚଢ଼ଉ କରାଯାଇ ନଷ୍ଟ କରାଯାଉଛି। ଯାହାକି ଜିଲ୍ଲାରେ ହେଉଥିବା ଗଞ୍ଜେଇ ଚାଷର ମାତ୍ର ୧୦ପ୍ରତିଶତ ହେବ। ଅନ୍ୟପଟେ ବିଚ୍ଛିନ୍ନାଞ୍ଚଳରେ ଅଧିକ ଗଞ୍ଜେଇ ଚାଷ ହେଉଥିବାରୁ ମାଫିଆ ମାନେ ଚାଷୀଙ୍କୁ ମାଗଣାରେ ସାର, ବିହନ ଓ ଗଞ୍ଜେଇ ଚାରା ଯୋଗାଇ ଦେଇଥାନ୍ତି। ଗଞ୍ଜେଇ ଅମଳ ପରେ ଏହାକୁ ଶୁଖାଇବା ସହ ପ୍ୟାକିଂ ପର୍ଯ୍ୟନ୍ତ କାମ ଚାଷୀ କରିଥାନ୍ତି। ଏହି ବାବଦରେ ଚାଷୀଙ୍କୁ କିଲୋ ପିଛା ୫ ଶହ ଟଙ୍କା ମିଳିଥାଏ। ଏଥିରୁ ଶହେ ଟଙ୍କା ନକ୍ସଲଙ୍କ ଭାଗ ଥାଏ ବୋଲି ସୂଚନା ମିଳିଛି। ମାଫିଆ ମାନେ ଏହି ଗଞ୍ଜେଇକୁ କେତେବେଳେ ଗାଡିରେ ତ’ ଆଉ କେତେବେଳେ କାଉଡି କରି ଜିଲ୍ଲା ପାର କରିଥାନ୍ତି। ପରେ ମାଫିଆ ମାନେ ଗଞ୍ଜେଇ କିଲୋ ପିଛା ୫ ହଜାରରୁ ଊର୍ଧ୍ବ ଟଙ୍କାରେ ବିକ୍ରି କରିଥାନ୍ତି। ବାହାର ରାଜ୍ୟକୁ ଗଲେ ଏହାର ଦାମ ଅଧିକା ହୋଇଥାଏ। ବେଳେବେଳେ ଗଞ୍ଜେଇ ଚାଲାଣକାରୀ ପୁଲିସ ଓ ଅବକାରୀ ହାତରେ ଧରାପଡୁଥିଲେ ହେଁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜିଲ୍ଲା ବାହାରକୁ ଚାଲାଣ କରାଇବାରେ ମାଫିଆ ମାନେ ସଫଳ ହେଉଛନ୍ତି। ବିଶେଷ କରି ବେକାର ଯୁବକ ଓ ଅର୍ଥାଭାବ ଥିବା ଲୋକେ ଗଞ୍ଜେଇ ଚାଲାଣରେ ସାମିଲ ହୋଇଥାନ୍ତି। ଅନ୍ୟପଟେ ବିଚ୍ଛିନ୍ନାଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷରୁ ନକ୍ସଲ ବହୁ ଅର୍ଥ ପାଉଥିବା ଜଣାପଡିଛି। ଏଥିରୁ ମିଳୁଥିବା ଟଙ୍କାରେ ନକ୍ସଲ ଅସ୍ତ୍ରଶସ୍ତ୍ର କିଣି ନିଜ ସଂଗଠନକୁ ସୁଦୃଢ କରୁଛନ୍ତି। ବିଚ୍ଛିନ୍ନାଞ୍ଚଳରେ ନକ୍ସଲଙ୍କ ବିନା ଅନୁମତିରେ କିଛି ହେଉନଥିବାରୁ ଗଞ୍ଜେଇ ମାଫିଆ ମାନେ ନକ୍ସଲଙ୍କୁ ଟଙ୍କା ଦେଇ ଗଞ୍ଜେଇ କାରବାର କରୁଛନ୍ତି।
ପ୍ରତିବର୍ଷ ଅବକାରୀ ଓ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଉଥିଲେ ହେଁ ପୁଣି ଏତେ ଗଞ୍ଜେଇ କେଉଁଠାରୁ ଆସୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ ଆକଳନରୁ ଜଣାପଡିଛି ଯେ, ଗତ ତିନି ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ୧୨ ହଜାର ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ବାଲିମେଳା ଜଳଭଣ୍ଡାରର ଗୋଟିଏ ପଟେ ନକ୍ସଲଙ୍କ ଦବଦବା ସେତେଟା ନଥିବାରୁ ସେହି ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ଅବକାରୀ ଓ ପୁଲିସ ବିଭାଗ ଦ୍ବାରା ନଷ୍ଟ କରାଯାଉଛି। କିନ୍ତୁ ଜଳଭଣ୍ଡାର ଅପରପାର୍ଶ୍ବ ତଥା ବିଚ୍ଛିନ୍ନାଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷରେ ବିଭାଗ ହାତ ମାରିବା ପାଇଁ ଶହେ ଥର ଚିନ୍ତା କରୁଛି। ନକ୍ଲଲ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ଯୋଗୁଁ ପାଦ ପାଦକେ ବିପଦ ରହିଥିବାରୁ ବିଚ୍ଛିନ୍ନାଞ୍ଚଳରେ ଚଢ଼ଉ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଛି। ଗତ ଦୁଇ ବର୍ଷ ମଧ୍ୟରେ ପୁଲିସ ଗଞ୍ଜେଇ ଚାଲାଣ ରୋକିବାରେ ଏକ ପ୍ରକାର ସଫଳ ହୋଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ମାଲକାନଗିରି ଜିଲ୍ଲା ଉପ କାରାଗାରରେ ଥିବା କଏଦୀଙ୍କ ମଧ୍ୟରୁ ୩୦୦ରୁ ଊର୍ଧ୍ବ କଏଦୀ ଗଞ୍ଜେଇ ଚାଲାଣ ସମୟରେ ଗିରଫ ହୋଇଥିବା ଜଣାପଡିଛି। ସମଗ୍ର ବିଛିନ୍ନାଞ୍ଚଳକୁ ପୁଲିସ ନିଜ କବଜାକୁ ନେବା ପରେ ହିଁ ଗଞ୍ଜେଇ ଚାଷକୁ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।