ରାଉରକେଲା ଦେଇ ଟ୍ରେନ୍ରେ ଗଞ୍ଜେଇ ଚାଲାଣ ନିତିଦିନିଆ, ରେଳ ଷ୍ଟେସନ କେନ୍ଦ୍ରସ୍ଥଳୀ
ବିହାରକୁ ଚାଲାଣବେଳେ ଧରାପଡ଼ିଲା ବେପାରୀ
ରାଉରକେଲା: ରାଉରକେଲାରେ ନିଶା କାରବାର କମିବାର ନାଁ ନେଉନି। ବିଶେଷକରି ଗଞ୍ଜେଇ ଚୋରାଚାଲାଣ ସୀମା ଟପିଲାଣି। ସହର ଭିତରେ ଗଞ୍ଜେଇ ବେପାର ମଧ୍ୟ ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲା, ଯଥା-ଦେବଗଡ଼, ସମ୍ବଲପୁର, ମାଲକାନଗିରି, କୋରାପୁଟ ଆଦି ଅଞ୍ଚଳ ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ପଞ୍ଚିମବଙ୍ଗରୁ ରାଉରକେଲାକୁ ଗଞ୍ଜେଇ ଚାଲାଣର ସୁଦୀର୍ଘ ଇତିହାସ ରହିଛି। ଏବେ କିନ୍ତୁ ବିହାର-ଉତ୍ତରପ୍ରଦେଶକୁ ରାଉରକେଲା ଦେଇ ଗଞ୍ଜେଇ ଚାଲାଣ ଜୋର୍ ଧରିଛି। ଏହି ଚୋରାଚାଲାଣର ପ୍ରମୁଖ ମାଧ୍ୟମ ପାଲଟିଛି ଟ୍ରେନ୍। ପ୍ରଥମେ ଟ୍ରେନ୍ରେ ରାଉରକେଲାକୁ ଗଞ୍ଜେଇ ଆଣୁଛନ୍ତି ଏବଂ ଏହାପରେ ଏଠାରୁ ଅନ୍ୟ ଏକ ଟ୍ରେନ୍ରେ ବିହାର-ରାଞ୍ଚି-ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଛି। ଲୋକଦେଖାଣିଆ କାଁ ଭାଁ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଉଛି। ଆର୍ପିଏଫ୍-ଗଞ୍ଜେଇ ବେପାରୀଙ୍କ ସଲାସୁତୁରା ଯୋଗୁଁ ଏଥିରେ ଅଙ୍କୁଶ ଲାଗି ପାରୁନଥିବା ଅଭିଯୋଗ ହୁଏ।
ଟ୍ରେନ୍ରେ ଆସୁଛନ୍ତି, ରାଉରକେଲାରୁ ଟ୍ରେନ୍ ପରିବର୍ତ୍ତନ କରି ଚୋରାଚାଲାଣ
କୋରାପୁଟ-ରାଉରକେଲା-ରାଞ୍ଚି-ବିହାର ଚୋରାପଥ
ପ୍ରାୟତଃ ସମ୍ବଲପୁର, ଦେବଗଡ଼ ଅପେକ୍ଷା କୋରାପୁଟ/ମାଲକାନଗିରି ଅଞ୍ଚଳରୁ ଅଧିକ ପରିମାଣ ଗଞ୍ଜେଇ ରାଉରକେଲା ଦେଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଚୋରାଚାଲାଣ ପାଇଁ ମାଫିଆମାନେ ଦରମା ଦେଇ କର୍ମଚାରୀ ନିୟୋଜିତ କରିଛନ୍ତି। ଏମାନେ ହିଁ ନିୟମିତ ବ୍ୟବଧାନରେ ଚାଲାଣ କରିବାରେ ବ୍ୟସ୍ତ। ପ୍ରଥମେ ଏମାନେ କୋରାପୁଟରୁ ଟ୍ରେନ୍ ଯୋଗେ ରାଉରକେଲାକୁ ଆଣୁଛନ୍ତି। ମୁଖ୍ୟତଃ ଇସ୍ପାତ ଏକ୍ସପ୍ରେସ୍, କୋରାପୁଟ ଏକ୍ସପ୍ରେସ୍ ଓ ସମଲେଶ୍ବରୀ ଏକ୍ସପ୍ରେସ୍ରେ ରାଉରକେଲାକୁ ଆସୁଛି। ଯେହେତୁ ସିଧାସଳଖ ବିହାରକୁ କୌଣସି ଟ୍ରେନ୍ ଚଳାଚଳ କରୁନି, ଏଣୁ ଏମାନେ ରାଉରକେଲାରେ ଓହ୍ଲାଇ ବିହାର ଯାଉଥିବା ଟ୍ରେନ୍କୁ ଅପେକ୍ଷା କରୁଛନ୍ତି। ଏହାପରେ ରାଉରକେଲାରୁ ବିହାର ଅଭିମୁଖେ ଯାଉଥିବା ସାଉଥ୍ବିହାର ଏକ୍ସପ୍ରେସ୍ ସମେତ ଅନ୍ୟାନ୍ୟ ୪/୫ଟି ଟ୍ରେନ୍ରେ ରାଞ୍ଚିକୁ ଯାଉଛନ୍ତି। ରାଞ୍ଚିରୁ ସେମାନେ କିନ୍ତୁ ଟ୍ରେନ୍ ଅପେକ୍ଷା ବସ୍ରେ ଯାଉଛନ୍ତି। ସମ୍ଭବତଃ ସେଠାରେ ଅତ୍ୟଧିକ ଯାଞ୍ଚ ଯୋଗୁଁ ବସ୍ରେ ଚୋରାଚାଲାଣ କରିବାକୁ ଉଚିତ ମଣୁଛନ୍ତି। ଏତଦ୍ବ୍ୟତୀତ ଝାଡ଼ଖଣ୍ଡର ଗଞ୍ଜେଇ ବେପାରୀ ସଡ଼କପଥରେ ସିଧାସଳଖ ପଶ୍ଚିମବଙ୍ଗ-ବିହାରକୁ ଚାଲାଣ କରୁଛନ୍ତି। ତେବେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳର ମାଫିଆ ସଡ଼କପଥ ପରିବର୍ତ୍ତେ ରାଉରକେଲା ଟ୍ରେନ୍ ଯୋଗେ ଚାଲାଣ କରୁଛନ୍ତି। ସୀମାବର୍ତ୍ତୀ ଅଞ୍ଚଳର ଗଞ୍ଜେଇ ବେପାରୀ ପ୍ରଥମେ ରାଉରକେଲାକୁ ବସ୍ ଯୋଗେ ଗଞ୍ଜେଇ ଆଣୁଛନ୍ତି। ଏହାପରେ ରାଉରକେଲାରୁ ଟ୍ରେନ୍ରେ ନିଜ ନିଜ ଗନ୍ତବ୍ୟ ପଥରେ ବାହାରି ଯାଉଥିବା ଜଣାପଡ଼ିଛି।
ବିହାରକୁ ଚାଲାଣବେଳେ ଧରାପଡ଼ିଲା ବେପାରୀ
ସମାନ ଢ଼ଙ୍ଗରେ କୋରାପୁଟ ଅଞ୍ଚଳରୁ ଗଞ୍ଜେଇ ଆଣି ତଥା ରାଉରକେଲାରୁ ବିହାରକୁ ଚୋରାଚାଲାଣ କରୁଥିବା ଜଣେ ଅଭିଯୁକ୍ତ ଆର୍ପିଏଫ୍ ହାତରେ ଧରାପଡ଼ିଛି। ଅଭିଯୁକ୍ତ ହେଉଛି ବିହାରର ମୂଳବାସିନ୍ଦା ନଗେନ୍ଦ୍ର ରାଓ(୪୬)। ଅଭିଯୁକ୍ତ ପାଖରୁ ୯ କେଜି ୮ ଶହ ଗ୍ରାମ୍ର ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ କୋରାପୁଟ ଅଞ୍ଚଳରୁ ଗଞ୍ଜେଇ ଆଣି ଟ୍ରେନ୍ରେ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଥିଲା। ସେ ରାଞ୍ଚି ଯିବାକୁ ଟ୍ରେନ୍କୁ ଜଗିଥିବାବେଳେ ଆର୍ପିଏଫ୍ ତାକୁ କାବୁ କରିନେଇଥିଲା। ଅଭିଯୁକ୍ତ ପ୍ରଥମେ ରାଉରକେଲାରୁ ରାଞ୍ଚି ଓ ସେଠାରୁ ବିହାରକୁ ଚାଲାଣ କରିବାକୁ ଯୋଜନା କରିଥିଲା। ସେହିଭଳି ଗତ ଅକ୍ଟୋବର ୨୩ ତାରିଖରେ ଗଞ୍ଜେଇ ଚୋରାଚାଲାଣ କରିବାକୁ ଟ୍ରେନ୍କୁ ଜଗି ରହିଥିବା ଜଣେ ଅଭିଯୁକ୍ତ ଧରାପଡ଼ିଥିଲା। ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଲା ରାଜନଗର ଖଣ୍ଡୁଆର ରବି ନାୟକ(୨୩) ଟାଟାକୁ ପ୍ରାୟ ୬ କେଜି ୯୩୦ ଗ୍ରାମ ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ କରୁଥିଲା। ପ୍ରଥମେ ଝାଡ଼ଖଣ୍ଡରୁ ବସ୍ରେ ରାଉରକେଲା ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲା। ସେଠାରୁ ସେ ସିଧାସଳଖ ରେଲୱେ ଷ୍ଟେସନରେ ପହଞ୍ଚି ଟ୍ରେନ୍କୁ ଜଗି ଥିବାବେଳେ ଆର୍ପିଏଫ୍ ଯବାନ ତାଙ୍କୁ ଗିରଫ କରି ଅବକାରୀ ପୁଲିସ ଜିମା ଦେଇଥିଲେ।