ଗଞ୍ଜେଇ ଚାଷକୁ ନା’ : ଆଇନ ବିଭାଗ କଥା କହି ଓହରିଲେ

ଭୁବନେଶ୍ବର: ଗଞ୍ଜେଇ ଚାଷକୁ ସ୍ବୀକୃତି ମିଳିବା ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି। ଆଜି ଲୋକସେବା ଭବନରେ ଅବକାରୀ ସଚିବ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏଭଳି ସୂଚନା ମିଳିଛି। ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା। ଯେହେତୁ ଆଇନ ବିଭାଗ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି, ଏଣୁ ଅବକାରୀ ବିଭାଗ ଏ କ୍ଷେତ୍ରରେ ଆଉ ଆଗକୁ ଯିବା ଲାଗି ଚାହୁଁନାହିଁ। ଅର୍ଥାତ୍ ଗଞ୍ଜେଇ ଚାଷ ପୂର୍ବଭଳି ବେଆଇନ ରହିବ।

ଅବକାରୀ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଏସ.ବି.କେ. ପ୍ରଧାନ ଅବକାରୀ ଅଧୀକ୍ଷକଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ଗଞ୍ଜେଇ ଚାଷ ସଂପର୍କରେ କୁହାଯାଇଥିଲା। ଏହି ଚିଠିରେ କୁହାଯାଇଥିଲା, ଆଜି ଅର୍ଥାତ୍ ମଙ୍ଗଳବାର ବିଭାଗର ଶାସନ ସଚିବ ଏକ ବୈଠକ ନେବେ। ଗଞ୍ଜେଇ ଚାଷକୁ ଆଇନସିଦ୍ଧ ଔଷଧୀୟ ଦ୍ରବ୍ୟ ଭାବେ ମାନ୍ୟତା ଦେବା ପ୍ରସଙ୍ଗରେ ଅଧିକ ସ୍ପଷ୍ଟତା ଆଣିବା ଲାଗି ସଚିବ ଏହି ବୈଠକ କରିବା ଲାଗି ଚାହୁଁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଧିକ ମଦ ଦୋକାନ ଖୋଲିବା ପ୍ରସ୍ତାବ ପରେ ଗଞ୍ଜେଇ ଚାଷକୁ ସ୍ବୀକୃତି ଚର୍ଚ୍ଚା ପୁଲିସ ଚିନ୍ତା ବି ବଢାଇ ଦେଇଥିଲା।

ତେବେ ଏହି ଚାଷକୁ ସ୍ବୀକୃତି ଦେବା ସପକ୍ଷରେ କହିଛନ୍ତି, ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ। କହିଛନ୍ତି, ଗଞ୍ଜେଇର ଅନେକ ଲାଭଦାୟକ ଦିଗ ଅଛି। କ୍ୟାନ୍‌ସର, ଶ୍ୱାସ ଭଳି ରୋଗ ପାଇଁ ଏଥିରୁ ଔଷଧ ତିଆରି ହୋଇଥାଏ। ତାଙ୍କର ମତ ଅନୁସାରେ, ଏଥିନିମନ୍ତେ ଅଧିକ ପାଣି, ଖତ, ସାର ଦରକାର ନାହିଁ। କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବିଶେଷ ଲାଭବାନ ହୋଇପାରିବେ। ତେଣୁ ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର। ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି। ତେଲେଙ୍ଗାନା ସରକାର ମଧ୍ୟ ଏହାକୁ ଆଇନ ସମ୍ମତ କରିବାକୁ ଚିନ୍ତା କରୁଛନ୍ତି। ଆମ ସରକାର ଏହାକୁ ମନା କରିବା ସଂପୂର୍ଣ୍ଣ ଦୂରଦୃଷ୍ଟିହୀନତା। ବରଂ ଆଇନରେ ସଂଶୋଧନ ଆଣି ଗଞ୍ଜେଇ ଚାଷକୁ ଅନୁମତି ଦେବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧିତ ଖବର