ପିଚୁ ବୋଝେଇ ହାଇୱାରେ ଗଞ୍ଜେଇ: ସିକ୍ରେଟ୍‌ ଚାମ୍ବରରୁ ୧୦ କ୍ବିଣ୍ଟାଲ ଜବତ

ଭୁବନେଶ୍ବର : ଗଞ୍ଜେଇ ଚାଲାଣ ପାଇଁ ମାଫିଆମାନେ ଦିନକ ଦିନ ଅଭିନବ ଯୋଜନା ପ୍ରସ୍ତୁତ କରୁଛନ୍ତି। ପୁଲିସ ନଜରରୁ ବର୍ତ୍ତିବା ପାଇଁ କେତେବେଳେ ପରିବା ବୋଝେଇ ଟ୍ରକ୍‌ ବ୍ୟବହାର କରୁଛନ୍ତି ତ କେତେବେଳେ କପା ବୋଝେଇ ଟ୍ରକ୍‌ ବ୍ୟବହାର କରୁଛନ୍ତି। ଗତକାଲି ଏସ୍‌ଟିଏଫ୍ ଏକ ପିଚୁ ବୋଝେଇ ହାଇୱାରୁ ୧୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଓଡ଼ିଶାରୁ ବିହାର ଚାଲାଣ ହେଉଥିବା ଏହି କାରବାରରେ ପୁଲିସ ଟ୍ରକ୍‌ ଚାଳକ ରାଜେଶ ସିଂ(୨୮)କୁ ଗିରଫ କରିବାରେ ସଫଳ ହୋଇଥିଲେ ବି ଅସଲ ମାଫିଆମାନଙ୍କ ଟେର୍‌ ପାଇନାହିଁ।

ଗତକାଲି ସନ୍ଧ୍ୟାରେ ଏସ୍‌ଟିଏଫ୍ ୧୬ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରେ ଏକ ହାଇଵାକୁ ଅଟକାଇଥିଲା। ଏଥିରେ ଗଞ୍ଜେଇ ଚାଲାଣ ହେଉଛି ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ଉକ୍ତ ଗାଡ଼ିକୁ ଅଟକାଇଥିଲା। ବିହାର ଜଗଦୀଶପୁରର ଚାଳକ ରାଜେଶ ଗାଡ଼ିରେ ପିଚୁ ବୋଝେଇ ହୋଇଛି ବୋଲି କହି ପୁଲିସକୁ ଚକ୍‌ମା ଦେବାକୁ ଚେଷ୍ଟା କରିଥିଲା। ସତକୁ ସତ ଯାଞ୍ଚ ‌ବେଳେ ହାଇୱା ଡାଲାରେ ପିଚୁ ଟ୍ରମ୍‌ ବୋଜେଇ ହୋଇଥିଲା। କିନ୍ତୁ ସୂତ୍ରର ଖବର ମିଛ ହୋଇନଥିବାରୁ ଏସ୍‌ଟିଏଫ୍‌ ଟିମ୍ ହାଇୱା ଡାଲା ଭିତରକୁ ଭଲ ଭାବେ ତନଖି କରିଥିଲା। ପିଚୁ ଡ୍ରମ୍‌ ହଟାଇ ଯାଞ୍ଚ କଲା ବେଳେ ସ୍ବତନ୍ତ୍ର ଭାବେ ନିର୍ମାଣ ହୋଇଥିବା ଗୁପ୍ତ କୋଠରୀ ଦେଖି ପୁଲିସ ଟିମ୍‌ ଚକିତ ହୋଇଯାଇଥିଲା।

ଡାଲା ବେସ୍‌କୁ ଗ୍ୟାସ୍‌ କଟର୍‌ରେ କାଟି ଚାମ୍ବର ତିଆରି ହୋଇଥିଲା ଓ ସେଥିରୁ ୩୦ ପ୍ୟାକେଟ୍‌ ଗଞ୍ଜେଇ ବାହାର କରାଯାଇଥିଲା। ୩୦ ପ୍ୟାକେଟ୍‌ରେ ଥିବା ସବୁ ଗଞ୍ଜେଇ ୧୦୧୦ କେଜି ବୋଲି ଓଜନରୁ ଜଣାପଡ଼ିଥିଲା। ଏହାର ବଜାର ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହି ମାଲ୍ କନ୍ଧମାଳରୁ ବିହାରକୁ ଚାଲାଣ ହେଉଥିବା ଏସ୍‌ଟିଏଫ୍ ସୂଚନା ଦେଇଛି। ଏହି ବଡ଼ ରୢାକେଟ୍‌ରେ ଆଉ କିଏ ଅଛନ୍ତି, ସେନେଇ ଖୋଳତାଡ୍‌ ଚାଲିଛି। ପ୍ରକୃତ ମାଫିଆ କିଏ ଓ ମାଲ୍ ଯୋଗାଣକାରୀ ବି କିଏ, ସେସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ଏସ୍‌ଟିଏଫ୍ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏସ୍‌ଟିଏଫ୍ ୫୨କେଜି ବ୍ରାଉନ୍‌ସୁଗାର୍, ୧୦୩ କ୍ବିଣ୍ଟାଲ୍ ଗଂଜେଇ, ୨୦୨ଗ୍ରାମ୍ ହେରୋଇନ୍ ଓ ୭୫୦ଗ୍ରାମ୍ ଓପିୟମ୍ ଜବତ କରିଛି। ସେହିଭଳି ୧୫୦ରୁ ଅଧିକ ନିଶା ମାଫିଆଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର