କଟକରୁ ୟୁପି ଗଞ୍ଜେଇ ମାଫିଆ ଗିରଫ

ଏନ୍‌ସିବି ଜାଲରେ ଫସିଥିଲେ ଦୁଇ ଭାଇ, ୧୪ ଲକ୍ଷର ସମ୍ପତ୍ତି ଜବତ, ସାରା ଦେଶରେ ଅପରାଧ ନେଟୱାର୍କ!

କଟକ : ଏନ୍‌ସିବି(ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) ଜାଲରେ ପଡ଼ିଥିବା ଉତ୍ତରପ୍ରଦେଶର ଦୁଇ ଗଞ୍ଜେଇ ମାଫିଆଭାଇ କୁଲ୍‌ଦୀପ ରାଣା ଏବଂ ସଚିନ କୁମାର କଟକରେ ଫସିଛନ୍ତି। ଟାଙ୍ଗୀ ଟୋଲଗେଟ୍ ରାସ୍ତାରେ ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ବୋଝେଇ କରି ଏକ ହୋଣ୍ଡା ସିଟି ଗାଡ଼ିରେ ଫେରୁଥିବା ବେଳେ ଧରାପଡ଼ିଛନ୍ତି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏମାନଙ୍କୁ ସୋମବାର ସକାଳେ ଗିରଫ କରାଯାଇଛି। ବିଭାଗ ମୋଟ ୧୪ ଲକ୍ଷ ୧୦ ହଜାର ଟଙ୍କାର ସମ୍ପତ୍ତି ଏହି ଦୁଇଜଣଙ୍କ ନିକଟରୁ ଜବତ କରିଥିବା ସୂଚନା ମିଳିଛି।

ଆନ୍ଧ୍ରପ୍ରଦେଶର ଅନ୍‌କାପଲ୍ଲୀରୁ ଉତ୍ତରପ୍ରଦେଶର ବାଘପଟ ଜିଲ୍ଲା ସିଙ୍ଗବଲି ଥାନା ଡୋଲାକୁ ଏକ ହୋଣ୍ଡା ସିଟି ଗାଡ଼ିରେ ସୋମବାର ସକାଳ ପ୍ରାୟ ୬ଟା ବେଳେ କଟକ ଦେଇ ଗଞ୍ଜେଇ ଚାଲାଣ ହେଉଥିଲା। ଏ ସମ୍ପର୍କରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଗୁଆ ସୂଚନା ପାଇଥିଲା। ଅବକାରୀ କମିସନର୍‌ ଆଶିଷ କୁମାର ସିଂହ ଓ ଡେପୁଟି କମିସନର୍‌ ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡିଏସ୍‌ପି ପ୍ରତାପ କୁମାର ଦାସ, ଆଇଆଇସି ସତ୍ୟଜିତ ଖଟୁଆ, ଏଏସ୍‌ଆଇ ଶରତ କୁମାର ଦାସ, ଆଲୋକ ପ୍ରଧାନ, ଆଲୋକ ଖଟୁଆ, ପ୍ରକାଶ ଶତପଥୀ, ଲକ୍ଷ୍ମୀଧର ଖୁଣ୍ଟିଆ, ରାଜେଶ କିଶାନ ପ୍ରମୁଖ ଟାଙ୍ଗୀ ଟୋଲ୍‌ଗେଟ୍ ନିକଟରେ ଛକି ରହିଥିଲେ। ଗାଡ଼ି ଅତିକ୍ରମ କଲାବେଳେ ବିଭାଗର କର୍ମଚାରୀ ଗାଡ଼ିଟିକୁ କାବୁ କରିନେଇଥିଲେ। କୁଲ୍‌ଦୀପ ଗାଡ଼ି ଚଲାଉଥିବା ବେଳେ ସଚିନ ଗାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା। ତେବେ, ଗାଡ଼ି ଯାଞ୍ଚ ପରେ ପଛ ସିଟ୍‌ ତଳେ ଥିବା ଏକ ସିକ୍ରେଟ୍ ଚାମ୍ବର୍‌ରୁ ୮୧ କେଜି ଓଜନର ଗଞ୍ଜେଇ ପ୍ୟାକେଟ୍ ମିଳିଥିଲା। ବିଭାଗର କର୍ମଚାରୀ ଏହି ମାମଲାରେ ଦୁଇଜଣ ମାଫିଆ ଉତ୍ତରପ୍ରଦେଶ ବାଘପାଟ ଜିଲ୍ଲା ସିଙ୍ଗବଲିର କୁଲ୍‌ଦୀପ ରାଣା(୨୨) ଏବଂ ସଚିନ କୁମାର(୨୨)କୁ ଗିରଫ କରିଛି। ଏମାନଙ୍କ ନିକଟରୁ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୮ ଲକ୍ଷ ୧୦ ହଜାର ଟଙ୍କା ହୋଇଥିବା ବେଳେ ୬ ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ ଗାଡ଼ି ଜବତ ହୋଇଛି। ଦୁଇ ମାଫିଆଙ୍କ ନିକଟରୁ ୨୫ ହଜାର ଟଙ୍କା ଜବତ ହୋଇଛି। ଉତ୍ତରପ୍ରଦେଶର ଡୋଲାରୁ ଦିଲ୍ଲୀ ମାତ୍ର ୧୦ କିମି ଦୂର। ଉଭୟ କୁଲ୍‌ଦୀପ ଓ ସଚିନ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଏମାନେ ଏକାଠି ଗଲା ଦୁଇବର୍ଷ ହେବ ଗଞ୍ଜେଇ ଡୋଲା ସମେତ ଦିଲ୍ଲୀକୁ ବି ଚାଲାଣ କରୁଥିଲେ।

ଅବକାରୀ ବିଭାଗର ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୧ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ୪୦ କେଜି ଓଜନର ଗଞ୍ଜେଇ ଉତ୍ତରପ୍ରଦେଶର ମଥୁରା ଚାଲାଣ ବେଳେ ଏନ୍‌ସିବି(ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) ଦୁଇଭାଇ ହାତରେ ଧରାପଡ଼ିଥିଲେ। ଗଲା ମେ ମାସରେ ଉଭୟ ଜାମିନରେ ଖଲାସ ହେବା ପରେ ପୁଣି ଗଞ୍ଜେଇ କାରବାର ଆରମ୍ଭ କରିଦେଇଥିଲେ। ଏଥର ଗଞ୍ଜେଇ ଓଡ଼ିଶାରୁ ନନେଇ ଆନ୍ଧ୍ର ଉପରେ ଆଖି ପକାଇଥିଲେ। ଓଡ଼ିଶା ଭଳି ଆନ୍ଧ୍ରରେ ଉନ୍ନତମାନର ଗଞ୍ଜେଇ ଉତ୍ପାଦନ ହେଉଥିବାରୁ ଆନ୍ଧ୍ରରୁ ୮୧ କେଜି ଗଞ୍ଜେଇ ଧରି ଡୋଲା ଆଡ଼କୁ ଯାଉଥିଲେ। ଡୋଲାର ବାସିନ୍ଦା ଏହି ଦୁଇଜଣ ହୋଇଥିବାରୁ ଏମାନଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ ଅଧିକ ଜାଣିବାକୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସିଙ୍ଗବଲି ଥାନାକୁ ଚିଠି ଲେଖାଯାଇଛି। ସଚିନ ଯୁକ୍ତ ଦୁଇ ପାସ୍ କରିଥିବା ବେଳେ ରାଣା ମାଟ୍ରିକ୍ ପାସ୍ ପରେ ସମ୍ପର୍କୀୟ ଭାଇ ସହିତ ମିଶି ଗଞ୍ଜେଇ କାରବାର ଦୁନିଆରେ ପାଦ ଦେଇଥିଲା।

ସମ୍ବନ୍ଧିତ ଖବର