ଅବକାରୀ ବିଭାଗକୁ ମାଫିଆଙ୍କ ଚ୍ୟାଲେଞ୍ଜ୍ : ଓଡ଼ିଶା ଗଂଜେଇ ଗାଡ଼ିରେ ପଡ଼ୋଶୀ ରାଜ୍ୟର ନମ୍ବର
ଜିଲ୍ଲା ଡେଇଁଲେ ବଦଳୁଛି ନମ୍ବର ପ୍ଲେଟ୍, ସୁରକ୍ଷା ଦେଉଛନ୍ତି ମାଉଜରଧାରୀ ଦୁର୍ବୃତ୍ତ
କଟକ : ଓଡ଼ିଶା ଅବକାରୀ ବିଭାଗକୁ ଏବେ ନୂଆ ଢଙ୍ଗରେ ଚ୍ୟାଲେଞ୍ଜ ଦେଉଛନ୍ତି ଗଂଜେଇ ମାଫିଆ। ଓଡ଼ିଶାରେ ଚୋରା ଚାଲାଣ ହେଉଥିବା ଗଂଜେଇ ଗାଡ଼ିରେ ଲାଗୁଛି ଆନ୍ଧ୍ର, ପଶ୍ଚିମବଙ୍ଗର ନମ୍ବର ପ୍ଲେଟ୍। ଗଂଜେଇ ଚାଲାଣ ସମୟରେ ଓଡ଼ିଶାର ଯେଉଁ ଜିଲ୍ଲା ଦେଇ ଗଂଜେଇ ଗାଡ଼ି ଯାଉଛି, ଆବଶ୍ୟକତା ଅନୁଯାୟୀ ଅଧା ରାସ୍ତାରେ ସେଠି ଗାଡ଼ିର ନମ୍ବର ପ୍ଲେଟ୍ ବଦଳାଇ ଦିଆଯାଉଛି। ଏଡି ଗାଡ଼ିକୁ ମାଉଜର୍ଧାରୀ ଦୁର୍ବୃତ୍ତ ବାଟରେ ସୁରକ୍ଷା ଦେଉଛନ୍ତି। ଏଭଳି ସ୍ଥିତିରେ ଖବରୀଙ୍କ ଠାରୁ ମିଳୁଥିବା ସୂଚନା ଆଧାରରେ ଗାଡ଼ି ଗୁଡ଼ିକୁ ଠାବ କରିବାରେ ଅବକାରୀ ବିଭାଗ ସମସ୍ୟାରେ ପଡ଼ୁଛିା
ସୂଚନା ଅନୁଯାୟୀ ଓଡ଼ିଶାରୁ ପଶ୍ଚିମବଙ୍ଗ, ବିହାର ଏବଂ ମୁମ୍ବାଇ ଗଂଜେଇ ଚାଲାଣ ବଢ଼ିବାରେ ଲାଗିଛି। ଓଡ଼ିଶାର ଗଜପତି, ବୌଦ୍ଧ, କନ୍ଧମାଳ, ମାଲ୍କାନଗିରି, ରାୟଗଡ଼ାର ଗୁଣୁପୁରରେ ଚୋରାରେ ଚାଷ ହେଉଥିବା ଗଂଜେଇକୁ ଏହି ସବୁ ରାଜ୍ୟକୁ ଚାଲାଣ କରାଯାଉଛି। ଅକ୍ଟୋବରୁ ଡିସେମ୍ବର ମଧ୍ୟରେ ଅମଳ ହେଉଥିବା ଗଂଜେଇ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ରାଜ୍ୟ ବାହାରକୁ ଚାଲାଣ ହେଉଛି। ମାଫିଆମାନେ ଗଂଜେଇ ଆଣି କୋରାପୁଟରୁ ଖୋର୍ଧା ଆଡ଼କୁ ଆନ୍ଧ୍ର ସୀମାର ଶୁଙ୍ଖି ଚେକ୍ ଗେଟ୍ ଦେଇ ଆସିଲା ବେଳେ ଆନ୍ଧ୍ର ଭିତରେ ଉକ୍ତ ଗାଡ଼ିରେ ଆନ୍ଧ୍ର ନମ୍ବର ଲଗାଉଛନ୍ତି । ଆନ୍ଧ୍ର ସୀମା ଅତିକ୍ରମ କଲା ପରେ ଇଚ୍ଛାପୁରର ଗିରିସୋଲା ଚେକ୍ ଗେଟ୍ ନିକଟରେ ଓଡ଼ିଶାକୁ ପ୍ରବେଶ କରିବା ପୂର୍ବରୁ ଖୋର୍ଧା ନମ୍ବର ପ୍ଲେଟ୍ ଗାଡ଼ିରେ ଲାଗୁଛି। ସେହିପରି ଗଜପତିର କମଳାପୁର ଚେକ୍ ଗେଟ୍, ଗଞ୍ଜାମର ପୋଡ଼ାମାରିି ଚେକ୍ ଗେଟ୍, ବୌଦ୍ଧ ଓ ଫୁଲବାଣୀରୁ ଆସିଲା ବେଳେ ନୟାଗଡ଼ର ରସୋଲା ଚେକ୍ ଗେଟ୍ରେ ଚଡ଼ଉ ହେଉଥିବାରୁ ଗେଟ୍ ଅତିକ୍ରମ କରିବା ପୂର୍ବରୁ ନମ୍ବର ପ୍ଲେଟ୍ ବଦଳା ଯାଉଛି। ଖୋର୍ଧାରୁ ସିଧା ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଓ ବିହାର ଗଂଜେଇ ଚାଲାଣ ହେଉଛି । ତେଣୁ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରେ ଗଂଜେଇ ଗା଼ଡ଼ି ପଶିବା ପୂର୍ବରୁ ନମ୍ବର ପ୍ଲେଟ୍ ବଦଳାଯାଉଛି। ଏହା ସହିତ ମାଫିଆମାନେ ଏବେ ଏସକର୍ଟଙ୍କ ସାହାଯ୍ୟ ନେଉଛନ୍ତି। ଏହି ଏସ୍କର୍ଟ ବ୍ୟବସ୍ଥା ଗତ ୬ ମାସ ହେବ ଆରମ୍ଭ ହୋଇଛି । ବାଇକ୍ ଏସକର୍ଟରେ ଦୁଇ ଜଣ ଆସିଲେ ବାଇକ ପିଛା ୫ ହଜାର ଟଙ୍କା ବାଦ୍ ତେଲ ଖର୍ଚ୍ଚ ଦେବାକୁ ହେଉଛି। ଇନୋଭା, ଜିପ୍, ବୋଲେରୋ ଏସକର୍ଟ ଆଣିଲେ ପାଖାପାଖି ୨୦ ହଜାର ଟଙ୍କା ଗାଡ଼ି ପିଛା ଦେବାକୁ ପଡ଼ୁଛି। ଚାରି ଚକିଆ ଗାଡ଼ିରେ ୫ ଜଣ ଏସ୍କର୍ଟ ସହିତ ବନ୍ଧୁକ ଏବଂ ମାରଣାସ୍ତ୍ର ଧରି ଯାଉଛନ୍ତି। ବାଇକ୍ ଏସ୍କର୍ଟମାନେ ଗଂଜେଇ ଚାଲାଣ ହେଉଥିବା ଗାଡ଼ିର ପାଖାପାଖି ଏକ କିମି ଦୂରରେ ରହି ରାସ୍ତାରେ ପୁଲିସ କିମ୍ବା ଅବକାରୀ ବିଭାଗର ଗତିବିଧି ସମ୍ପର୍କରେ ମାଫିଆଙ୍କୁ ସୂଚନା ଦେଇଥାନ୍ତି। ମୋବାଇଲ୍ରେ ଉଭୟ ବାଇକ୍ ଏସ୍କର୍ଟ ଏବଂ ମାଫିଆଙ୍କ ଭିତରେ ଏଥିପାଇଁ ନିୟମିତ ଯୋଗାଯୋଗ ଚାଲିଥାଏ ।
କିନ୍ତୁ କନ୍ଧମାଳ, ବୌଦ୍ଧରୁ ଅଳ୍ପ ପରିମାଣ ଗଞ୍ଜେଇ ବିନା ଏସ୍କର୍ଟରେ ଚାଲାଣ କରାଯାଏ। ଏହି ଗଞ୍ଜେଇ ଗୁଡ଼ିକ ବ୍ରହ୍ମପୁର, ବାଲେଶ୍ୱର ଟାଉନ୍ ଏବଂ ପୁରୀ ଜିଲ୍ଲାକୁ ବସ୍ କିମ୍ବା ଟ୍ରେନ୍ରେ ଏୟାର ବ୍ୟାଗ୍ରେ ଚାଲାଣ କରାଯାଉଛି ।
ଏହି ବେପାରୀମାନେ ମୁଖ୍ୟତଃ ପାନ ଦୋକାନୀଙ୍କୁ ଗଂଜେଇ ଯୋଗାଉଛନ୍ତି । ଗଂଜେଇ ସିଗାରେଟ୍ କିମ୍ବା ଛୋଟ ପୁଡ଼ିଆ କରି ବିକ୍ରି କରାଯାଉଛି । ଆଉ କିଛି ନିର୍ଦ୍ଦିଷ୍ଟ ପ୍ରକାର ଗଂଜେଇ ଗୁଣ୍ଡ ହେଇ ବିହାରରୁ ଓଡ଼ିଶାର ଭୁବନେଶ୍ୱର, ବାଲେଶ୍ୱର ଏବଂ କଟକର ଗାନ୍ଧୀପଲ୍ଲୀକୁ ଚାଲାଣ କରାଯାଉଛି।
ଗଂଜେଇ ବେପାରୀଙ୍କ ଏଭଳି ନୂଆ ଢଙ୍ଗରେ ଚୋରା କାରବାରକୁ ମୁକାବିଲା ପାଇଁ ଇତିମଧ୍ୟରେ ଅବକାରୀ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ନମ୍ବର ପ୍ଲେଟ୍ ବଦଳାଇ ଚୋରା ଚାଲାଣ କରୁଥିବା ଗାଡ଼ିକୁ କିଭଳି ଠାବ କରାଯିବ, ସେଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଏବେ ଗୁଇନ୍ଦା, ଖବରୀଙ୍କୁ ଅଧିକ ମଜବୁତ୍ କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।