ଗଂଜେଇ କିଆରିରେ ଅବକାରୀ ଚଢ଼ାଉ : ୨ କୋଟି ଟଙ୍କାର ଗଛ ନଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଂଚଳରେ ବେଆଇନ ଭାବେ ଲାଗିଥିବା ଗଂଜେଇ କିଆରିରେ ଆଜି ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୨ କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କରିଛି। ଜିଲ୍ଲାପାଳ ମନିଷ ଅଗ୍ରଵାଲଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ ଗୋଟିଏ ଦଳ ଓର୍କେଲ ଥାନା ଅନ୍ତର୍ଗତ ମଙ୍ଗରଯୋଡି ଗ୍ରାମ ନିକଟରେ ପ୍ରାୟ ୨୨ ଏକର ସରକାରୀ ଜମିରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ କରିଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଶ୍ରୀ ସେଠ ଏହି ଚଢ଼ାଉ କରିଥିଲେ। ମଙ୍ଗରଯୋଡି ଅଂଚଳଟି ମାଓ ପ୍ରବଣ ଅଂଚଳ ହୋଇଥିବା ବେଳେ ଏଠାକୁ ପୁଲିସ କିମ୍ବା ଅବକାରୀ କର୍ମଚାରୀ ନିୟମିତ ଭାବେ ଯାଉନଥିବା ଯୋଗୁଁ ଏହାର ସୁଯୋଗ ନେଇ ଗଂଜେଇ ଚାଷ କରାଯାଉଥିବା ସୂଚନା ମିଳିଥିଲା। ଏହାପରେ ଆଜି ଅବକାରୀ ବିଭାଗ କର୍ମଚାରୀ ସଂଗଠିତ ଭାବେ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୨୨୦୦୦ ଗଂଜେଇ ଗଛକୁ କାଟି ନିଆଁ ଲଗାଇ ଦେଇଥିଲେ। ନଷ୍ଟ କରାଯାଇଥିବା ଗଂଜେଇ ଗଛର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ପ୍ରକାଶ ଥାଉକି ସରକାରୀ ଭାବେ ଗୋଟିଏ ଗଂଜେଇ ଗଛର ମୂଲ୍ୟ ୧ ହଜାର ଟଂକା ହୋଇଥିବା ବେଳେ ଗଂଜେଇ କିଲୋ ୫ହଜାର ଟଂକା ବୋଲି ଜଣାପଡିଛି। ଜିଲ୍ଲାର ଚିତ୍ରକୋଣ୍ଡା ଅଂଚଳରେ ବେଧଡକ ଗଂଜେଇ ଚାଷ କରାଯାଉଥିବା ଯୋଗୁଁ ଆଗମୀ ଦିନରେ ଉକ୍ତ ଅଂଚଳରେ ଚଢ଼ାଉ କରାଯାଇ ଗଂଜେଇ ଗଛକୁ ନଷ୍ଟ କରାଯିବ ବୋଲି ଶ୍ରୀ ସେଠ ପ୍ରକାଶ କରିଛନ୍ତି। ଆଜିର ଚଢ଼ାଉରେ ଇନସ୍‌ପେକ୍ଟର ବିମ୍ବାଧର ପଣ୍ଡା, ଏସଆଇ ଏଚ.ଜଗା ରାଓ, ତ୍ରିପତି ପଣ୍ଡା, ଡି.ନାୟକ, ଏଏସଆଇ ରାଜୁ ଖିତି, ଦୀନେଶ କୁମାର, କେ.ଖରାଙ୍କ ସମେତ କନେଷ୍ଟବଳ ଜେମଶ ସାହୁ, ଅମର ମହାପାତ୍ର, ଆର.ସି ହନ୍ତାଳ, ସରିତା, ସୁଜାତା ଜୁଲି, ପି.ନାଗେଶ, ଏସ.ମହାନ୍ତି, ଜି.ସାହୁ, ଏସ.ମାଝି, ପି.ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର