ଜୟପୁର: ଆଗରେ ଯାଉଥିଲା ବାଇକ, ତା ପଛକୁ ରହିଥିଲା କାର୍ ତା ପଛରେ ଯାଉଥିଲା ମିନିଟ୍ରକ। ଏମିତି ଏସର୍କଟରେ ଯାଉଥିଲା ଗଞ୍ଜେଇ ଗାଡି। ଜଲାପୁଟରୁ ଗଞ୍ଜେଇ ଆସି ଜୟପୁର ନିକଟ ଅଞ୍ଚଳରେ ଜମା ହୋଇଥାନ୍ତା। ବଡ ଟ୍ରକରେ ଗଞ୍ଜେଇ ଲୋଡ୍ କରି ବାହାର ରାଜ୍ୟକୁ ଚାଲାଣ ହୋଇଥାନ୍ତା। କିନ୍ତୁ ଅଧା ରାସ୍ତାରୁ ହିଁ ପୁଲିସ କାବୁ କରିଦେଲା। ୩ଟି ଗାଡିକୁ ଜବତ କରିଦେବା ପରେ ଗଞ୍ଜେଇ ଚାଲାଣ ଲକ୍ଷ୍ୟ ଅଧୁରା ରହିଗଲା। ଡ୍ରାଇଭର ଓ ଗଞ୍ଜେଇ ଯୋଗାଣକାରୀ ପୁଲିସ ହାବୁଡରେ ଧରା ପଡିଗଲେ। କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଘଟଣା ଘଟିଥିବା ନେଇ ଜୟପୁର ଏସଡିପିଓ ଅରୂପ ଅଭିଶେଖ ବେହେରା ସୂଚନା ଦେଇଛନ୍ତି।
ନାଇଟ୍ ଅପରେସନରେ ୧ ଟନ୍ ୮ କିଲୋଗ୍ରାମ ଗଞ୍ଜେଇକୁ ଜବତ କରିବା ସହ ଏହି ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ଜଣାପଡିଛି। ଅଭିଯୁକ୍ତମାନେ ହେଲେ ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଗ୍ରାମର ଡ୍ରାଇଭର ଏସ୍ ଭେଙ୍କେଟେସ ସ୍ବାମୀ (୩୭), କାଣ୍ଟା ଗ୍ରାମର ସପ୍ଲାୟର ସୁବାଷ ଚଣ୍ଡ (୩୦) ଓ ଜଲାପୁଟ ଗ୍ରାମର ସପ୍ଲାୟର ସୁରେଶ କୁମାର ବେନିଆ (୨୪)। ସୁରେଶଙ୍କ ପରିବାରରେ ୨ଟି ବସ୍ ରହିଥିବା ନେଇ ପ୍ରାଥମିକ ତଦନ୍ତ ଜଣାପଡିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି। ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଅଞ୍ଚଳରୁ ମିନି ଟ୍ରକରେ ଗଞ୍ଜେଇ ଲୋଡ୍ ହୋଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଜୟପୁର ଅଭିମୁଖେ ଆସୁଥିଲା। ଏନେଇ ସଦର ପୁଲିସ ବିଶେଷ ସୁତ୍ରରୁ ଖବର ପାଇବା ପରେ ଗଞ୍ଜେଇ ଗାଡିକୁ କାବୁ କରିବା ପାଇଁ ବାହାରିଥିଲେ। ସଦରଥାନା ଅଧିକାରୀ ଆଦିତ୍ୟ ମହାକୁରଙ୍କ ନେତୃତ୍ବରେ ଏସ୍ଆଇ ପି.କେ ମହାନ୍ତି ଓ ପୁଲିସ୍ ଟିମ୍ ରାତି ସାଢ଼େ ୨ଟାରେ ବୈପାରୀଗୁଡା ଅଭିମୁଖେ ଯାଇଥିଲେ। ଜବକାନାଡି ଗ୍ରାମ ଆମ୍ବତୋଟା ନିକଟରେ ବାଇକ, କାର୍ ଓ ମିନିଟ୍ରକ ଦେଖିବାରୁ ତାହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ।
/sambad/media/post_attachments/wp-content/uploads/2021/09/JPR-Ganjei-6-1024x576.jpg)
ଅନ୍ଧାର ଯୋଗୁଁ ଏସକର୍ଟ କରୁଥିବା ବାଇକ ଓ କାର୍ ଚାଳକ ଘଟଣା ସ୍ଥଳରୁ ଦୌଡି ପଳାଇଥିବା ବେଳେ ମିନି ଟ୍ରକ ଡ୍ରାଇଭର ଭେଙ୍କେଟେସକୁ ପୁଲିସ କାବୁ କରି ନେଇଥିଲେ। ଟ୍ରକକୁ ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ବହୁତ ପ୍ୟାକେଟ୍ ମିଳିଥିଲା। ତାହାକୁ ସେଲୋଟେପ୍ ସାହାଯ୍ୟରେ ଚାରିପଟୁ ବାନ୍ଧି ରଖିଥିଲେ। ଅନ୍ଧାରରେ ଖସି ପଳାଇଥିବା ବ୍ୟକ୍ତିକୁ କାବୁ କରିବା ପାଇଁ ଏସ୍ଡିପିଓଙ୍କ ନେତୃତ୍ବରେ ଆଉଗୋଟିଏ ଟିମ୍ ଏସ୍ଆଇ ରିଗାନ୍ କିଣ୍ଡୋ ଓ ଏସ୍ଆଇ ଚିତ୍ତ ପ୍ରଧାନ ଓ ପୁଲିସ ଟିମ୍ ତଦନ୍ତ ପାଇଁ ବାହାରିଥିଲେ। ଜଲାପୁଟ ଓ କାଣ୍ଟା ଗ୍ରାମରେ ପୁଲିସ ଟିମ୍ ପହଞ୍ଚି ସୁରେଶ ଓ ସୁବାଷକୁ ଗିରଫ କରିଥିଲେ। ଏନେଇ ସଦର ଥାନାରେ ୨୧୯/୨୧ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଗଞ୍ଜେଇ ସହ ଏକ ମିନିଟ୍ରକ (ଏପି ୦୫ଭି ୯୭୯୨), ଗୋଟିଏ କାର୍ (ଓଆର୍ ୦୨ ଏଜେଡ୍ ୪୩୯୨), ଏକ ବାଇକ୍ (ଓଡି ୧୦ଏନ୍ ୩୩୯୬), ୧ ଲକ୍ଷ ୬୫ ହଜାର ଟଙ୍କା ଓ ୪ଟି ମୋବାଇଲ୍ ଜବତ ହୋଇଛି। ଏହି ମାମଲାରେ ସଂପୃକ୍ତି ଥିବା ବ୍ୟକ୍ତିକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/JPR-Ganjei-1.jpg)