କୋରାପୁଟ : କଦଳୀ ଗାଡ଼ିରେ ହେଉଥିଲା ଗଂଜେଇ ଚାଲାଣ। ପୁଲିସ ଆଖିରେ ଧୂଳି ଦେବା ପାଇଁ ଗଂଜେଇକୁ ଲୁଚାଇ ପୁକାଲିରୁ ରାଜ୍ୟ ବାହାରକୁ ନିଆ ଯାଉଥିଲା। କିନ୍ତୁ ବେଶୀ ଦୂର ଯାଇ ପାରିଲାନି। କୋରାପୁଟ ସରକାରୀ କଲେଜ ପାଖରେ ଏହା ଟାଉନ ଥାନା ପୁଲିସ ହାତରେ ଧରାପଡ଼ିଛି। ପୁଲିସ ଗାଡ଼ି ସହ ୩ କୁଇଣ୍ଟାଲ ଗଂଜେଇ ଜବତ କରିଥିଲା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ଏ ନେଇ ଏକ ମାମଲା କରି ପୁଲିସ ଅଧିକ ଖୋଳତାଡ଼ ଚଳାଇଛି।
ବିଶାଖାପାଟଣାରୁ ଏକ ୧୦ ଚକିଆ ଟ୍ରକରେ କଦଳୀ ରାୟପୁରକୁ ଯାଉଥିଲା। ଏହି ଗାଡ଼ିରେ ଗଂଜେଇ ଯାଉଥିବା ନେଇ କୋରାପୁଟ ଟାଉନ ଥାନା ପୁଲିସକୁ ଖବର ମିଳିଥିଲା। ପରେ ପୁଲିସର ଗୋଟିଏ ଟିମ୍ ଗାଡ଼ିକୁ ଛକି ରହିଥିଲେ। କୋରାପୁଟ ସରକାରୀ କଲେଜ ନିକଟରେ ଜାତୀୟ ରାଜପଥ-୨୬ରେ ଯାଉଥିବା ଏହି ଗାଡ଼ିକୁ ପୁଲିସ ଅଟକାଇଥିଲା। ଏହାକୁ ଯାଞ୍ଚ କରିବା ସମୟରେ ଏଥିରେ ଗଂଜେଇ ଥିବା ଜଣାପଡ଼ିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରାଯାଇଥିଲା। ଏହି ଗଂଜେଇର ଓଜନ ୩ କୁଇଣ୍ଟାଲ ୧୧କେଜି ଥିବା ପୁଲିସ କହିଛି। ଗଂଜେଇ ନେଉଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ କୃଷ୍ଣକାନ୍ତ ଦ୍ବିବେଦୀ ଓ ସମିଉଲ୍ଲା ସିଦିକ। ଉଭୟଙ୍କ ଘର ମଧ୍ୟପ୍ରଦେଶରେ। ଗଂଜେଇ ରାୟପୁର ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗାଡ଼ି ଡ୍ରାଇଭରଙ୍କ ବୟାନ ଅନୁଯାୟୀ, ସେ ବିଶାଖାପାଟଣାରୁ ରାୟପୁର କଦଳୀ ନେଇ ଯାଉଥିବା ସମୟରେ ପୁକାଲି ପାଖରେ ଜଣେ ଲୋକ ତାଙ୍କୁ ଅଟକାଇଥିଲେ। କିଛି ପ୍ୟାକେଟ ଦେବା ସହ ଏହା ରାୟପୁରରେ ପହଞ୍ଚାଇ ଦେବାକୁ ଅନୁରୋଧ କରିଥିଲେ। ଏଥିରେ ଗଂଜେଇ ଥିବା ସେମାନେ ଜାଣି ନ ଥିବା ଡ୍ରାଇଭର କହିଛନ୍ତି। ଅପରପକ୍ଷରେ ଏଥିନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/koraput-ganja.jpg)