ଜୟପୁର : କୋରାପୁଟ ଜିଲ୍ଲା ଜଲାପୁଟରୁ ଜୟପୁର ଦେଇ ବିହାର ଚାଲାଣ ହେଉଥିବା ବେଳେ ୨୬୯ କେଜି ଗେଞ୍ଜଇ ଜବତ କରିଛି ସଦର ଥାନା ପୁଲିସ। ଘଟଣାରେ ୨ଜଣ ପୁଲିସ କର୍ମଚାରୀଙ୍କ ସହ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗୋଟିଏ ହୋଣ୍ଡା ସିଟି କାର, ୩ଟି ବାଇକ ଜବତ ହୋଇଥିବାବେଳେ ଏଥିରେ ଜଣେ ବିଟେକ ଛାତ୍ର ମଧ୍ୟ ରହିଥିବା ଜଣାପଡ଼ିଛି।
ଗିରଫ ଯୁବକମାନେ ହେଲେ ବିହାରର ନାୱାଡ଼ା ଜିଲ୍ଲା ରାଜୌଲି ଗାଁର ଅନୀଲ ପ୍ରସାଦ ଯାଦବଙ୍କ ପୁଅ ସୋନୁ କୁମାର(୧୮), ବିଶାଖାପାଟଣା ମୋଚିଂପୁଟ ତଳବେଢ଼ା ଗାଁର ଧନ କିର୍ଷାନୀଙ୍କ ପୁଅ ରାମମୂର୍ତ୍ତି କିର୍ଷାନୀ(୩୩), ବାମୁଣୀ ଗାଁର ଡମୁ ପୂଜାରୀଙ୍କ ପୁଅ ନରହରି ପୂଜାରୀ(୩୩), ପାଞ୍ଜିଆଗୁଡ଼ାର ଲକ୍ଷ୍ମଣ ପରଜାଙ୍କ ପୁଅ ବିଶ୍ବନାଥ ପରଜା(୩୯), ନନ୍ଦପୁର ଘାଗଡ଼ାପାଣ୍ଡି ଗାଁର ରାମଚନ୍ଦ୍ର ବଡ଼ନାୟକଙ୍କ ପୁଅ ନରେନ୍ଦ୍ର ବଡ଼ନାୟକ(୩୨) ଓ ସାନ୍ତ୍ରା ସାହିର ରାଜେନ୍ଦ୍ର କୁମାର ମିଶ୍ରଙ୍କ ପୁଅ ଲକ୍ଷ୍ମୀକାନ୍ତ ମିଶ୍ର(୨୪)। ପୁଲିସ ୨୨୨/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ ଜୟପୁର ଟାଉନ ଥାନାର ଦୁଇ ଜଣ ପୁଲିସ କର୍ମଚାରୀ। ଏମାନେ ଦୁଇଟି ବାଇକରେ ବାମୁଣୀ ଗାଁ ବ୍ରିଜ ନିକଟରେ ଜଗିଥିଲେ। ଗଞ୍ଜେଇ ଗାଡ଼ି ଆସିବା ମାତ୍ରେ ତାକୁ ଅଟକାଇ ପୁଲିସ ବୋଲି ପରିଚୟ ଦେଇ ଗାଡ଼ିଟିକୁ ନେଇ ଯାଇଥିଲେ ଫାମ୍ପୁଣୀର ଏକ ଜଙ୍ଗଲକୁ। ମାଫିଆଙ୍କ ସହ ମୂଲଚାଲ କରି ମାମଲା ରଫାଦଫା କରିବା ପାଇଁ ଚାପ ପକାଇଥିଲେ। ହେଲେ ଏତିକି ବେଳେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା ଜୟପୁର ସଦର ପୁଲିସ। ଚଢ଼ଉ ବେଳେ ଜୟପୁର ଟାଉନ ଥାନାରେ କାର୍ଯ୍ୟରତ ହାବିଲଦାର ବିଶ୍ବନାଥ ପରଜା ଏବଂ ଓଏସଏପିର କନେଷ୍ଟବଳ ନରେନ୍ଦ୍ର ବଡ଼ନାୟକ ଧରା ପଡ଼ିଥିଲେ। ପଚରାଉଚୁରା ବେଳେ ସବୁ ସତ ମାନିଥିଲେ ସେମାନେ। ଏହି ଦୁଇ ଜଣଙ୍କୁ ଖବର ଦେଇଥିବା ନରହରି ମଧ୍ୟ ସେଠାରେ ଥିବାରୁ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ମୋଟ ୩୮ଟି ଜରି ପ୍ୟାକେଟରେ ଚାଲାଣ ହେଉଥିବା ଗଞ୍ଜେଇର ମୂଲ୍ୟ ପାଖାପାଖି ୩୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାମମୂର୍ତ୍ତି ବିଟେକର ଛାତ୍ର ହୋଇଥିବା ବେଳେ ସୋନୁ କୁମାର ଯୁକ୍ତ ଦୁଇରେ ପଢୁଛନ୍ତି।