ବରଗଡ଼ରେ ଗଂଜେଇ, ସିରପ୍‌ ରାକେଟ୍‌ ଠାବ : ୭୨ କିଲୋ ଗଂଜେଇ, ୧୬ଶହ ବୋତଲ ସିରପ୍‌ ଜବତ,୨ ପିସ୍ତଲ, ୧୭ ଗୁଳି ସହ ୬ ଗିରଫ

ବରଗଡ଼/ବରପାଲି : ଜିଲ୍ଲା ତଥା ଜିଲ୍ଲା ବାହାରେ ନେଟ୍‌ୱର୍କ ଖେଳାଇଥିବା ନିଶା ବେପାରୀଙ୍କ ଏକ ବଡ଼ ଗ୍ୟାଂଗ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ମହାନ୍ତିପଡ଼ାର ଶେଖ୍‌ ମୌନୁଦ୍ଦିନ, ବିଞ୍ଝାଲପଡ଼ାର ଲିଂଗରାଜ ମେହେର, ୱାର୍ଡ ନମ୍ବର-୧୦ର ଶେଖ୍‌ ହାଇଦର୍‌, ଭଟଲି ଥାନା ନୂଆଗଡ଼ର କମଳ ବେହେରା ଓ ବଡ଼ମାଲର ସୂର୍ଯ୍ୟକାନ୍ତ ସାହୁ, ପରେଶ ସାହୁ। ଏମାନଙ୍କୁ ବରପାଲି ନିକଟସ୍ଥ କ୍ରିଷ୍ଣା ଢାବା ପାଖରୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ପାଖରୁ ୨ଟି ପିସ୍ତଲ, ୧୭ଟି ଜୀବନ୍ତ ଗୁଳି, ୩ଟି ଚାରିଚକିଆ ଗାଡ଼ି, ୭୨ କିଲୋ ଗଂଜେଇ, ୧୬ ଶହ ବୋତଲ କଫ୍‌ ସିରପ୍‌, ନଗଦ ୨.୮୯ଲକ୍ଷ ଟଙ୍କା ଜବତ ହୋଇଛି। ହାଇଦର୍‌, ସୂର୍ଯ୍ୟକାନ୍ତ, ମୌନୁଦ୍ଦିନ ଏବଂ ଲିଂଗରାଜ ବିରୋଧରେ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି। ଏମାନେ ବରପାଲି ପାଖରେ ଠୁଳ ହୋଇ ନିଶାଦ୍ରବ୍ୟ ଗୁଡ଼ିକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇଁ ସ୍ବତନ୍ତ୍ର ପୁଲିସ୍‌ ଟିମ୍‌ ଏବଂ ବରପାଲି ପୁଲିସ୍‌ ମିଳିତ ଭାବେ ଚଢ଼ଉ କରି ଏମାନଙ୍କୁ ଗିରଫ କରିଥିଲା। ଏହି ନେଟ୍‌ୱର୍କ ଆଉ କେତେ ଲମ୍ବିଛି, ପୁଲିସ୍‌ ତାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର