ଲମତାପୁଟ: ପୁଣି କୋରାପୁଟ ଜିଲ୍ଲାରୁ ପ୍ରଚୁର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ଏଠାରୁ ପ୍ରାୟସାଢେ ୩ କ୍ୱିଣ୍ଟାଲ ପରିମାଣର ଗଞ୍ଜେଇ ସହ ଟ୍ରକ୍ ଜବତ କରାଯାଇଛି। ଏହି ମାମଲାରେ ପୁଲିସ୍ ୩ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହରିଆଣାର ସୁମିତ କୁମାର, ବିଶାଲ କୁମାର ଓ ରୁତସ କୁମାର ନାମକ ତିନିଜଣ ଯୁବକ ଏକ ଟ୍ରକ୍ (ଏଚ୍ ଆର୍-୬୧-ଏ ୫୧୩୧)ରେ ପ୍ରାୟ ସାଢେ ୩ କ୍ୱିଣ୍ଟାଲ୍ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ସେମାନେ ନନ୍ଦପୁର ବ୍ଲକର ଜଲାପୁଟରୁ ହରିଆଣାକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବାର ସୂଚନା ପାଇ ଲମତାପୁର ଫାଣ୍ଡି ଅଧିକାରୀ ମାଳିସାହି ଛକ ନିକଟରୁ ଉକ୍ତ ଟ୍ରକକୁ ଅଟକାଇଥିଲେ। ସେଥିରୁ ସାଢେ ୩ କ୍ୱିଣ୍ଟାଲ ଗଞ୍ଜେଇ ସହ ଟ୍ରକକୁ ଜବତ କରିଥିଲେ।
ଅଭିଯୁକ୍ତ ସୁମିତ କୁମାର, ବିଶାଲ କୁମାର ଓ ରୁତସ କୁମାରଙ୍କୁ ବି ଗିରଫ କରିଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, କୋରାପୁଟ ଜିଲା ଜଲାପୁଟ ଠାରୁ ବିହାର ଟ୍ରକ୍ ଓ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ଥାନା ଅଧିକାରି ଆଦିତ୍ୟ ମହାକୁର ସୂଚନା ପାଇଁ ପାତ୍ରପୁଟ ଠାରେ ସଦଳବଳେ ଚଢ଼ଉ କରିଥିଲେ । ଟ୍ରକ୍ ନଂ ଡବ୍ଲୁ ବି-୦୨୦ଜି ୬୭୩୨ ସହ ବୋଲେରୋ ନଂ ଓଡି-୩୩-ଡବ୍ଲୁ-୩୬୯୦ ଉପରେ ଚଢ଼ଉ କରାଯାଇଥିଲା । ଯାଂଚ୍ ବେଳେ ଗାଡିରୁ ୧୮୧ ପ୍ୟାକେଟରେ ଥିବା ୯୩୭.୨୦୦ କେଜି ଗଞ୍ଜେଇ ଜବତ କରାଯାଇଥିଲା ।
ଗତକାଲି ସଦର ପୁଲିସ ଜଲାପୁଟ ଜୟରାମ ପାଣିଗ୍ରାହୀଙ୍କ ପୁଅ ସୁଦର୍ଶନ ପାଣିଗ୍ରାହୀ (୨୮) ଓ ମାଛକୁଣ୍ଡ ସୁରୁମି ଗାଁର ନୀଳକଣ୍ଠ ନିରିକାଙ୍କ ଗୋପିନାଥ ନରିକା (୨୩)ଙ୍କର ୮ଟି ଆକାଉଣ୍ଟ ସିଜ କରିଥିଲା ପୁଲିସ।