କ୍ଷେତରାଜପୁରରୁ ୨୮ କେଜି ଗଞ୍ଜେଇ ଜବତ, ୪ ଗିରଫ

ଅଟୋ, ମୋବାଇଲ୍ ଓ ନଗଦ ଟଙ୍କା ଜବତ

ସମ୍ବଲପୁର : ସମ୍ବଲପୁର ସହରରେ ପୁଣିଥରେ ଗଞ୍ଜେଇ ଧରାପଡ଼ିଛି। କ୍ଷେତରାଜପୁର ପୁଲିସ ଗଞ୍ଜେଇ କାରବାର ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ୪ ଜଣଙ୍କୁ ଗିରଫ କରିବା ସହ ୨୮ କେଜି ଗଞ୍ଜେଇ ଜବତ କରିଛି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୯ ତାରିଖ ଅପରାହ୍ଣ ୨ଟା ୪୦ ସମୟରେ ୪ ଜଣ ମିଶି ଗଞ୍ଜେଇ ଚାଲାଣ କରିବାକୁ ଅପେକ୍ଷା କରିଥିଲେ। ସେମାନେ ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ କରିବା ପାଇଁ ଯୋଜନା ରଖିଥିଲେ। ତେବେ ୪ ଜଣ ଦୁର୍ବୃତ୍ତ କ୍ଷେତରାଜପୁର ରେଳ ଷ୍ଟେସନ୍‌ ନିକଟରେ ଗଞ୍ଜେଇ ଚାଲାଣ କରିବାକୁ ଅପେକ୍ଷା କରିଥିବା କ୍ଷେତରାଜପୁର ଥାନାଧିକାରୀଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଏସ୍‌ କେ ସାହୁ ଓ ଟିମ୍‌ ଘଟଣାସ୍ଥଳକୁ ଯାଇ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଏକ ବସ୍ତାରୁ ୨୮ କେଜି ୬୬୫ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଅଭିଯୁକ୍ତ ସରୋଜ ସାହୁର ଅଟୋ(ଓଡି ୧୯ କେ ୪୫୬୧) ସାହାଯ୍ୟରେ ସେମାନେ ଛେଣ୍ଡିପଦାରୁ ଗଞ୍ଜଇ ଧରି ଅନୁଗୁଳ ବସ୍‌ଷ୍ଟାଣ୍ଡ ଆସିଥିଲେ। ସେଠାରୁ ବସ୍‌ ସାହାଯ୍ୟରେ ସମ୍ବଲପୁର ଆଣିଥିଲେ। ସମ୍ବଲପୁରରୁ ବିହାର ପଠାଇବାକୁ ଯୋଜନା କରିଥିଲେ।

ଅନୁଗୁଳ ଛେଣ୍ଡିପଦା ଥାନା ଅଧୀନ ଭାଗିଲାକଟା ଗାଁର ସରୋଜ ସାହୁ ସମେତ ବିହାର ଭୋଜପୁର ଜିଲ୍ଲା ସାହାପୁର ଥାନା ରାନିସାଗର ଗାଁର ୩ ଅଭିଯୁକ୍ତ ନାସିମ୍‌ ଖାନ୍‌(୭୫), ଇସ୍‌ଲାମ୍‌ ଖାନ୍‌(୫୨) ଓ ସମିମ୍‌ ଖାନ୍‌(୩୬)କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୨୮ କେଜି ୬୬୫ ଗ୍ରାମ ଗଞ୍ଜେଇ ସାଙ୍ଗକୁ ୪ଟି ମୋବାଇଲ୍‌ ଫୋନ୍‌, ନଗଦ ୪୦୫୫ ଟଙ୍କା ଓ ବ୍ୟବହାର ହୋଇଥିବା ଅଟୋକୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର