ଅକ୍ସିଜେନ୍ ସିଲିଣ୍ଡର ଗାଡ଼ିରେ ଗଞ୍ଜେଇ; କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଭିଏତନାମରୁ ଦିଲ୍ଲୀ ଯାଉଥିଲା ଅକ୍ସିଜେନ୍

ଜୟପୁର: ଭିତନାମରୁ ଭାରତ ଆସିଥିଲା ଅକ୍ସିଜେନ୍ ସିଲିଣ୍ଡର। ଜାହାଜରୁ ଓହ୍ଲାଇବା ପରେ ବିଶାଖାପାଟଣାରୁ ଟ୍ରକ୍‌ ଯୋଗେ ଦିଲ୍ଲୀ ଅଭିମୁଖେ ବାହାରିଥିଲା। କିନ୍ତୁ ପୁଲିସକୁ ଚକମା ଦେବାକୁ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଉଥିବା ଏହି ଟ୍ରକରେ ଗଞ୍ଜେଇ ଭରିଦେଲେ ମାଫିଆ। ତଥାପି ପୁଲିସର ସନ୍ଦେହୀ ନଜରରୁ ବେଶ୍ ଦୂର ଯାଇପାରି ନଥିଲା। କୋରାପୁଟ ଜିଲ୍ଲା ପଟାଙ୍ଗିରୁ ବାହାରିଥିବା ଗଞ୍ଜେଇ ଶେଷରେ ଜୟପୁର ସଦର ଥାନା ଅଞ୍ଚଳରେ ଧରାପଡ଼ିଛି। ପୁଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ପଞ୍ଜାବର ଲୁଧିଆନା ଅଞ୍ଚଳର ଡ୍ରାଇଭର ଯଶପାଲ୍ (୪୩) ଓ ଲଖିନ୍ଦର ସିଂହ (୪୩)। ଏ ନେଇ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।

ବିପଦ ସମୟରେ ଭାରତକୁ ସହାୟତାର ହାତ ବଢ଼ାଇଛନ୍ତି ଭିଏତନାମ ସରକାର। କରୋନା ମହାମାରୀର ଦ୍ବିତୀୟ ଲହରରେ ଅକ୍ସିଜେନ ଅଭାବ ଦୂର କରିବାକୁ ପ୍ରାୟ ୧୫୦ ଅକ୍ସିଜେନ୍ ସିଲିଣ୍ଡର ଭାରତକୁ ପଠାଇଥିଲେ। ହୋଚିମିହି ସହରର ଲୋଟସ୍ ଇଣ୍ଟର‌ନ୍ୟାସନାଲ କଂପାନି ପକ୍ଷରୁ ଏହି ସିଲିଣ୍ଡର ଗୁଡ଼ିକୁ ଗତ ମାସ ୨୪ତାରିଖ ଦିନ ପ୍ୟାକ୍ କରାଯାଇଥିଲା। ଏହାପରେ ଆଇଏନ୍‌ଏସ୍‌ ଐରାବତ ଜାହାଜରେ ଆସି ବିଶାଖାପାଟଣାରେ ପହଞ୍ଚିଥିଲା। ‌ସେଠାରୁ ଦିଲ୍ଲୀ ସ୍ଥିତ ସଂସଦ ମାର୍ଗ-୧, ରେଡ୍କ୍ର‌ସ୍‌ ରୋଡ୍‌କୁ ପଠାଇବା ପାଇଁ ପଞ୍ଜାବର ଟ୍ରକ୍‌ (ପିବି ୧୦ ଇଏସ୍ ୪୬୧୧)ରେ ଲୋଡ୍ କରାଯାଇଥିଲା। ଏହାକୁ ଭାରତୀୟ ରେଡ୍ କ୍ରସ୍ ସୋସାଇଟି ନିକଟରେ ପହଞ୍ଚାଇବା ପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ହସ୍ପିଟାଲକୁ ପଠାଯାଇଥାନ୍ତା। ଯୋଗାଯୋଗ ପାଇଁ ଭିଏତନାମର ଆର.ଓ ସୁନୀଲ ବାବୁ ଓ ଭାରତର ଡ. ଭନଶ୍ରୀ ସିଂହଙ୍କ ନମ୍ବର ମଧ୍ୟ ସେଥିରେ ଉଲ୍ଲେଖ ରହିଛି। ତେବେ ଆନ୍ଧ୍ର ସୀମା ଟ୍ରକ୍ ଅତିକ୍ରମ କରିବା ପରେ ଏହି ଜୀବନ ରକ୍ଷାକାରୀ ଟ୍ରକ୍‌ ପାଲଟି ଯାଇଥିଲା ଚୋରା ଗଞ୍ଜେଇର ବାହାକ।

ଧରାପଡ଼ିଥିବା ଦୁଇ ଅଭିଯୁକ୍ତଙ୍କ କହିବା ହେଲା ଓଡ଼ିଶା ସୀମାରେ ଘାଟି ଅତିକ୍ରମ କରିବା ପରେ କିଛି ଯୁବକ ଟ୍ରକ୍ ଅଟକାଇଥିଲେ। କିଛି ସାମଗ୍ରୀ ଲକ୍ଷ୍ନୌ ପଠାଇବାର ଅଛି ବୋଲି ନିବେଦନ କରିଥିଲେ। ଏଥିପାଇଁ ୧ଲକ୍ଷ ଟଙ୍କା ଭଡ଼ା ବାବଦରେ ଦେବାକୁ ବି ପ୍ରଲୋଭିତ କରିଥିଲେ। ଏହାପରେ ସେମାନେ କିଛି ବସ୍ତା ଅକ୍ସିଜେନ୍ ସିଲିଣ୍ଡର ପ୍ୟାକ୍ ହୋଇଥିବା ବାକ୍ସ ମଧ୍ୟରେ ରଖିଥିଲେ। କିନ୍ତୁ କୋରାପୁଟ-ଜୟପୁର ଘାଟିରେ ଜୟପୁର ସଦର ପୁଲିସ ହାବୁଡ଼ରେ ପଡ଼ିଥିଲା ଏହି ଟ୍ରକ୍। ଭଲ ରୂପେ ଯାଞ୍ଚ କରିବାରୁ କିଛି ଅକ୍ସିଜେନ୍ ସିଲିଣ୍ଡରକୁ ବାକ୍ସ ଭିତରୁ ବାହାର କରି ସେଥିରେ ଗଞ୍ଜେଇ ଭର୍ତ୍ତି କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରିବାରୁ ପରିମାଣ ୧୨୭୭ କିଲୋ ବୋଲି ଜଣାପଡ଼ିଥିଲା। ଯାହାର ବଜାର ମୂଲ୍ୟ ପାଖାପାଖି ୧କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ଏ ନେଇ ଜୟପୁର ସଦର ଥାନାରେ କେଶ ନମ୍ବର ୧୦୪/୨୧ରେ ମାମଲା ରୁଜୁ କରାଯାଇ ଟ୍ରକ୍‌ ଓ ୨ଟି ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ସୂଚନା ଦେଇଛନ୍ତି। ଟ୍ରକ୍‌ରୁ ଗଞ୍ଜେଇ ଜବତ ସଂପର୍କରେ ଉକ୍ତ ଟ୍ରାନ୍ସପୋର୍ଟ କମ୍ପାନିକୁ ମଧ୍ୟ ସୂଚନା ଦିଆଯାଇଛି। ଉକ୍ତ କଂପାନି ଅନ୍ୟ ଗୋଟିଏ ଗାଡ଼ି ପଠାଇଲେ କାଗଜପତ୍ର ଯାଞ୍ଚ କରି ଅକ୍ସିଜେନ୍ ସିଲିଣ୍ଡର ଗୁଡ଼ିକୁ ପଠାଇବା ବ୍ୟବସ୍ଥା କରାଯିବ ବୋଲି ଏସଡିପିଓ କହିଛନ୍ତି।

ସମ୍ବନ୍ଧିତ ଖବର