ବାରିପଦା: ବାଇକ୍ କି କାର୍ ନୁହେଁ, ଏବେ ଯାତ୍ରୀବାହୀ ବସ୍କୁ ଗଞ୍ଜେଇ ଚାଲାଣର ସହଜ ମାଧ୍ୟମ କରିଛନ୍ତି ମାଫିଆ। ନିୟମିତ ଭାବେ ଜିଲ୍ଲା ସଦର ମହକୁମା ବାରିପଦା ଦେଇ ବସ୍ରେ ଗଞ୍ଜେଇ ଚାଲାଣ ହେଉଛି। ସୋମବାର ଦିନ ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ବାରିପଦାକୁ ବସ୍ରେ ଗଞ୍ଜେଇ ଆସୁଥିବା ବେଳେ ଧରିଛି ପୁଲିସ।
ଅପରାହ୍ନରେ ଜଳେଶ୍ବରୁ ବାରିପଦାକୁ ଆସୁଥିବା ‘ଶ୍ରୀ ମଧୁସୂଦନ’ ନାମକ ଘରୋଇ ବସ୍ରେ ଗଞ୍ଜେଇ ଥିବାର ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ବାରିପଦା ଟାଉନ ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ବରେ ଏକ ଟିମ୍ ଫାୟାର ଷ୍ଟେସନ ଛକରେ ବସ୍କୁ ଅଟକାଇ ଯାଞ୍ଚ୍ କରିବାକୁ ସେଥିରୁ ୧୦ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ତେବେ ଏହି ଗେଞ୍ଜଇ କିଏ ଆଣୁଥିଲା ବୋଲି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ବସ୍ର କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ଅଟକ ରଖି ପଚାରାଉଚୁରା କରୁଛି ପୁଲିସ। ସୂଚନାଯୋଗ୍ୟ; କିଛି ଦିନ ପୂର୍ବେ ବାରିପଦା ଗେଷ୍ଟ ହାଉସ୍ରେ ରହି ଗଞ୍ଜେଇ ବେପାର ଚଳାଇଥିବା ବାପ ପୁଅଙ୍କୁ ପୁଲିସ ଗିରଫ କରିଥିଲା।