୧୦ ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ଜଣେ ଗିରଫ

କଟକ : ୧୫ ଲକ୍ଷ ଟଙ୍କାର ବିଳାସପୂର୍ଣ୍ଣ ଗାଡ଼ିରେ ଚାଲାଣ ହେଉଥିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ। ରାଜ୍ୟ ଫ୍ଲାଇ˚ ସ୍କ୍ବାଡ୍‌ ଗାଡ଼ି ସହ ଗଞ୍ଜେଇକୁ ଜବତ କରିବା ସହ ଗାଡ଼ି ଚାଳକକୁ ଗିରଫ କରିଛନ୍ତି।

ସୂଚନା ଅନୁସାରେ ବିହାର ସୀତାମାଝି ଜିଲ୍ଲାର ନନ୍ଦଵାରାର କ୍ରିଷ୍ଣା କୁମାର (୨୦) ବ୍ରହ୍ମପୁରରୁ ବିହାର କୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଆଜି ସକାଳ ପ୍ରାୟ ୮ଟା ବେଳେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ରାଜ୍ୟ ଅବକାରୀ ଫ୍ଲାଇ˚ ସ୍କ୍ବାଡ୍‌ ଖବର ପାଇ କଟକ ଗୋପାଳପୁର ନିକଟରେ ଜଗି ରହିଥିଲେ। କ୍ରିଷ୍ଣା ଦାମି ସ୍କୋଡା ଗାଡ଼ିର ମଝି ସିଟ୍‌ ଓ ପଛ ଡିକିରେ ୫ ବସ୍ତା ଗଞ୍ଜେଇ ନେଇ ଯାଉଥିବା ବେଳେ ଧରାପଡ଼ିଥିଲା। ଗାଡ଼ିରେ କଳା କାଚ ଲାଗି ଥିବାରୁ ବାହାରକୁ ସ୍ପଷ୍ଟ ଦେଖାଯାଉ ନଥିଲା। କ୍ରିଷ୍ଣା ବ୍ରହ୍ମପୁରରୁ ବିହାର ଗଞ୍ଜେଇ ଚାଲାଣ ପାଇଁ ୨୫ ହଜାର ଟଙ୍କା ଭଡ଼ା ନେଉଥିଲା। ମାସକୁ ପାଖାପାଖି ୩ରୁ ୪ ଥର ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ସମ୍ପର୍କରେ କ୍ରିଷ୍ଣ ସ୍କ୍ବାଡ୍‌ ସାମନାରେ ସ୍ବୀକାର କରିଛି। ଚଢ଼ଉରେ ସ୍କ୍ବାଡ୍‌ ଡିଏସ୍‌ଇ ସିଦ୍ଧେଶ୍ବର ବେଶ୍ରା, ଆଇଆଇସି ସୁଶାନ୍ତ କୁମାର ପାଢ଼ୀ, ଉମାକାନ୍ତ ସ୍ବାଇଁ, ସରୋଜ କୁମାର ପରିଡ଼ା, ସଚିନ ବେହେରା ଓ ମନିଷ ଭୋଳ ପ୍ରମୁଖ ସାମିଲ ହୋଇଥିଲେ। ଏହି କାରବାରରେ ଜଡ଼ିତ ଗଞ୍ଜେଇ ମାଫିଆଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି।

ସମ୍ବନ୍ଧିତ ଖବର