ଚଣ୍ଡିଖୋଲ/ଦଶରଥପୁର/ଯାଜପୁରସଦର/ପାଣିକୋଇଲି : ଯାଜପୁର ଜିଲ୍ଲାର ବଡ଼ଚଣା ଥାନା, ଯାଜପୁର ଟାଉନ ଥାନା ଓ ପାଣିକୋଇଲି ଥାନା ଅଞ୍ଚଳରୁ ଆଜି ୧୧୪ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ବଡ଼ଚଣା ଅଞ୍ଚଳରୁ ୮୪ କେଜି ଚୋରା ଗଞ୍ଜେଇ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମାଲକାନାଗିରି ଜିଲ୍ଲା ଏମପିଭି-୩୭ ଅଞ୍ଚଳର ଉଦୟ ଶଙ୍କର ବିଶ୍ୱାସ (୪୧) ଓ ବଡ଼ଚଣା ବ୍ଲକ୍ ତଥା ବୈରୀ ଥାନା ଅନ୍ତର୍ଗତ ସାଇଲପଡ଼ା ଗ୍ରାମର ଗୋବିନ୍ଦ ବିଶୋଇ (୪୬)।
ପୁଲିସ ସୂଚନା ମୁତାବକ, ବଡ଼ଚଣା ଥାନା ଅନ୍ତର୍ଗତ କୋହ୍ଲସାହି ଜଙ୍ଗଲରେ ଗଞ୍ଜେଇ ରଖି ବାହାର ଅଞ୍ଚଳକୁ ଚାଲାଣ ପାଇଁ ଦୁଇ ଅଭିଯୁକ୍ତ ଉଦ୍ୟମ କରୁଥିଲେ। ସୂଚନା ପାଇ ଯାଜପୁର ଏସ୍ପିଙ୍କ ଜିଲ୍ଲା ସ୍କ୍ବାଡ୍ ଓ ବଡ଼ଚଣା ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ଗଞ୍ଜେଇ ବସ୍ତା ସହିତ ଗୋଟିଏ ବାଇକ୍ ଓ ଚାରୋଟି ମୋବାଇଲ୍ ଜବତ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି। ବଡ଼ଚଣା ଥାନା କେସ୍ ନମ୍ବର ୬୦/୨୩ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଗିରଫ ଉଦୟ ଶଙ୍କରର ଘର ମାଲକାନାଗିରି ହୋଇଥିବା ବେଳେ ସେ ବହୁବର୍ଷ ହେଲା ତାଙ୍କ ଶ୍ବଶୁର ଘର ବାଲିଚନ୍ଦ୍ରପୁର ଥାନା ତଥା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ପଟୁଣିଆ ରାଧାଦେଇପୁର ଗ୍ରାମରେ ରହି ଚୋରା ଗଞ୍ଜେଇ କାରବାର କରୁଥିଲା।
ସେହିପରି ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଖଣ୍ଡରା ପଞ୍ଚାୟତ ବାଲିପଦା ଗ୍ରାମରେ ଚଢ଼ଉ କରି ୨୦ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତ ବାଲିପଦା ଗ୍ରାମର ପାନ ବ୍ୟବସାୟୀ ଦୀପକ କୁମାର ସାହୁ ଓ ସହଯୋଗୀ ରଂଜନ ସାହୁଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଖଣ୍ଡରା ଛକରେ ବହୁବର୍ଷ ହେଲା ଚୋରାରେ ଗଞ୍ଜେଇ ବ୍ୟବସାୟ କରୁଥିଲେ। ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦେଶରେ ଅବକାରୀ ଅଧିକାରୀ ପ୍ରଦୀପ କୁମାର ରଥ ଚଢ଼ଉ କରିଥିଲେ। ଅବକାରୀ ଥାନା ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।
ଅନ୍ୟପକ୍ଷରେ ପାଣିକୋଇଲି ଥାନା ଅନ୍ତର୍ଗତ ଷଠିପୁରର ଏକ ବନ୍ଦ ହୋଟେଲ୍ରୁ ପାଣିକୋଇଲି ଥାନାଧିକାରିଣୀ ଚିନ୍ମୟୀ ବେହେରା ଚଢ଼ଉ କରି ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧୦ କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଯୋଗୀଭୋଗ୍ରା ଗ୍ରାମର ଦାରୁ ବେହେରାଙ୍କ ପୁଅ ଭୋଳାନାଥ(୩୮) ଓ ଯାଜପୁର ଟାଉନ ଥାନା ଅନ୍ତର୍ଗତ ସାନସୁଆଁର ବାଇଭୂୟାଁ ଗ୍ରାମର ଦୁର୍ଯ୍ୟୋଧନ ନାଥଙ୍କ ପୁଅ ଛବିଳ(୫୫)। ଥାନା କେସ୍ ନମ୍ବର ୪୬/୨୩ରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଏସ୍ଆଇ ପ୍ରକାଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।