ରାୟଗଡ଼ା : ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଧରପଗଡ଼ ସମୟରେ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ମାଫିଆ। ବିଷମକଟକ ଏସ୍ଡିପିଓ ଆକାଶ ସାହୁ ଓ ଚନ୍ଦ୍ରପୁର ଥାନା ଅଧିକାରୀ ମୁକୁନ୍ଦ ନାୟକଙ୍କ ଉପରକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି। ଜୀବନ ରକ୍ଷା ପାଇଁ ମାଫିଆଙ୍କ ଉପରେ ଗୁଳି ଚଳାଇବା ପରେ ମାଫିଆଙ୍କ କବଳରୁ ଉଭୟ ପୁଲିସ ଅଧିକାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲିସ ଏହି ଘଟଣାରେ ଦୁଇ ମାଫିଆଙ୍କୁ ଗିରଫ କରିବା ସହ ଏକ ପିକ୍ଅପ୍ ଭ୍ୟାନ୍, ମୋବାଇଲ ଓ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଘଟଣା ଘଟିଛି ଦୁର୍ଗମ ଚନ୍ଦ୍ରପୁର ଥାନା ଅଞ୍ଚଳର ବିଜାପୁର ଜଙ୍ଗଲରେ। ଏସ୍ଡିପିଓ ଶ୍ରୀ ସାହୁ ଓ ଥାନା ଅଧିକାରୀ ଶ୍ରୀ ନାୟକ ସାମାନ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ବିଜାପୁରରୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସ ସୂଚନା ପାଇଥିଲା। ମାଫିଆଙ୍କୁ କାବୁ କରିବା ପାଇଁ ପୁଲିସର ଏକ ଟିମ୍ ବିଜାପୁର ଜଙ୍ଗଲ ରାସ୍ତାରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରିଥିଲେ। ମାଫିଆମାନେ ଏକ ପିକ୍ଅପ୍ ଭ୍ୟାନ୍ (ଓଡି ୦୫ ଏଏସ ୭୭୯୬)ରେ ଦ୍ରୁତ ଗତିରେ ଆସୁଥିବା ଦେଖି ପୁଲିସ ଅଟକାଇବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ମାଫିଆମାନେ ଅଟକିବା ବଦଳରେ ପୁଲିସ ଟିମ୍ ସହ ଏସ୍ଡିପିଓ ଓ ଥାନା ଅଧିକାରୀଙ୍କ ଉପରକୁ ଗାଡ଼ି ଚଢ଼ାଇବା ପାଇଁ ଉଦ୍ୟମ କରିଥିଲେ। ଭୟରେ ପୁଲିସ ଅଧିକାରୀ ଓ ଟିମ୍ ଜଙ୍ଗଲ ରାସ୍ତାରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ଏସ୍ଡିପିଓ ଶ୍ରୀ ସାହୁ ଓ ଥାନା ଅଧିକାରୀ ଶ୍ରୀ ନାୟକଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ମାଫିଆ ଗାଡ଼ି ବୁଲାଇ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ଟିମ୍ ଗାଡ଼ିର ପିଛା କରିଥିଲା। ଜଙ୍ଗଲର ଏକ ଅଣଓସାରିଆ ରାସ୍ତାରେ ମାଫିଆମାନେ ପୁଣି ପୁଲିସ ଟିମ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ପରେ ଏସ୍ଡିପିଓ ଶ୍ରୀ ସାହୁ ମାଫିଆଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଗୋଟିଏ ରାଉଣ୍ଡ ଗୁଳି ଚଳାଇବା ପରେ ମାଫିଆମାନେ ଭୟଭୀତ ହୋଇ ଗାଡ଼ି ଛାଡ଼ି ଦୌଡ଼ୁଥିବା ବେଳେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ୨ ମାଫିଆଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ସହ ପୁଲିସକୁ ଆକ୍ରମଣ ଅଭିଯୋଗରେ ସଙ୍ଗିନ୍ ଦଫା ଲଗାଇଛି।