ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସପିଆ ଛକରେ ପୁଲିସ୍ ପକ୍ଷରୁ ନାକାବନ୍ଦି କରାଯାଇଥିଲା। ବୌଦ୍ଧ ଜିଲ୍ଲାରୁ ଏକ ମାରୁତି ସ୍ବିଟ୍ ଡିଜାୟାର କାର୍ (ଏମ୍ଏଚ୍୧୬-ସିସି-୬୭୭୮) ବହୁତ ଜୋରରେ ଆସୁଥିବା ନେଇ ପୁଲିସ୍ ପକ୍ଷରୁ ସନ୍ଦେହ କରାଯାଇ ଅଟକ ରଖାଯାଇଥିଲା। କାର୍ ତନଖି କରିବାରୁ ଗାଡ଼ିରେ ୫୭ କେଜି ୨୦୦ ଗ୍ରାମ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା।
ଏ ସଂକ୍ରାନ୍ତରେ ପୁଲିସ୍ ମହାରାଷ୍ଟ୍ର ପଥରଡିର ସନ୍ତୋଷ ପ୍ରେମନାଥ ଧୱେଲେ ଓ ନେସୱାର ଆକାଶ ପ୍ରକାଶ ସିନ୍ଧେଙ୍କୁ ଗିରଫ କରିଛି। ତାଙ୍କଠାରୁ ଗଞ୍ଜେଇ, ବ୍ୟବହୃତ ଗାଡ଼ି, ମୋବାଇଲ ଓ ନଗଦ ୨୫୦୦ ଟଙ୍କା ଜବତ କରାଯାଇଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଥାନାଧିକାରୀ ରାଜେନ୍ଦ୍ର ସିଅଲ ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ପଦ୍ମପୁର ଥାନା ଏସ୍ଆଇ ପ୍ରକାଶ ପାତ୍ର, ରବୀନ୍ଦ୍ର ହେମ୍ବ୍ରମ, ହାବିଲଦାର ପରମାନନ୍ଦ ସାହୁ, ହେମନ୍ତ ଗଡ଼ତିଆ, ଧନୁର୍ଯ୍ୟ ଧରୁଆ, ଦୈତ୍ୟାରି ଭୁଏ, ଦୁର୍ଯ୍ୟୋ ଚୌହାନ ପ୍ରମୁଖ ସାମିଲ ଥିଲେ।