୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ତୁଷୁରା : ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ପୁଲିସ ୫ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ବିହାର ରାଜ୍ୟ ଜରବନ୍ଧପୁର ଥାନା ଅଞ୍ଚଳର ସୁନୈନା ଦେବୀ (୫୫ବର୍ଷ) ଏବଂ ମନପ୍ରିତ ମହତୋ (୩୯ବର୍ଷ) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗୁଡଭେଲା-ତୁଷୁରା ରାସ୍ତାରେ ପୁଲିସ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ଭୂଆପଡ଼ା ଛକଠାରେ ଉକ୍ତ ଦୁଇ ଅଭିଯୁକ୍ତ ଏକ ବ୍ୟାଗ ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ପୁଲିସ ସେମାନଙ୍କୁ ପଚାରିବାରୁ ବସ୍‌କୁ ଅପେକ୍ଷା କରିଥିବା କହିଥିଲେ।

ପୁଲିସ ସନ୍ଦେହ କରି ‌ଉକ୍ତ ବ୍ୟାଗ୍‌ ଯାଞ୍ଚ କରିଥିଲା। ବ୍ୟାଗରେ ଗଞ୍ଜେଇ ଥିବା ପୁଲିସ ଦେଖିବାକୁ ପାଇଥିଲା। ପରେ ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ୫ କେଜି ହୋଇଥିଲା। ପୁଲିସ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି। ଉକ୍ତ ଗଞ୍ଜେଇ ରାଞ୍ଚି ଯାଉଥିବା ସୂଚନା ମିଳିଛି। ଏହି ଚଢ଼ଉରେ ଏସ୍‌ଆଇ କମଳଲୋଚନ ମାଝୀ,ଏସ୍‌ଆଇ ଭାନୁପ୍ରିୟା ମହାନ୍ତି, ଏଏସ୍‌ଆଇ ଯୋଗେଶ ଧରୁଆ, କନେଷ୍ଟବଳ ଉପେନ୍ଦ୍ର ବିଶ୍ୱାଳ, ସଞ୍ଜଳି ମହାନନ୍ଦ, ବିଜୟାନନ୍ଦ ମାଝୀ, ମଙ୍ଗଳା ମାଡ଼କାମୀ ପ୍ରମୁଖ ସାମିଲଥିଲେ।

ସମ୍ବନ୍ଧିତ ଖବର