କଟକ : ହୋଣ୍ଡା ସିଟି କାର୍‌ରେ ପୂର୍ବତନ ବିଧାୟକ ସାଇନ୍ ବୋର୍ଡ ମାରି ଗଂଜେଇ ଚାଲାଣ କରୁଥିବା ଜଣେ ଦୁର୍ବୃତ୍ତ ଓ ତାର ସହ‌ଯୋଗୀ ଧରା ପଡିଛନ୍ତି। ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଗଂଜେଇ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର ତରଭେଜ ଖାଁ ଓ ଅମଜାଦ ଖାଁ। ଏମାନଙ୍କ ନିକଟରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ, ନଗଦ ଟଙ୍କା ସହିତ ଗାଡି ଜବତ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ବୁଧବାର ସକାଳେ ଏକ ଗାଡିରେ ନିଶା ସାମଗ୍ରୀ ଚାଲାଣ ସମ୍ପର୍କରେ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇଥିଲା। ଅବକାରୀ ଟିମ ଟାଙ୍ଗୀ ଟୋଲଗେଟ ନିକଟରେ ଗାଡ଼ି ଯାଂଚ ସମୟରେ ପୂର୍ବତନ ବିଧାୟକ ବୋର୍ଡ ଲାଗିଥିବା ଏକ ହୋଣ୍ଡା ସିଟି କାରକୁ ସନ୍ଦେହରେ ଅଟକାଇଥିଲା। କାର ଭିତରେ ନେତାଙ୍କ ଭଳି ଧଳା ପୋଷାକ ପିନ୍ଧି ବସିଥିବା ତରଭେଜ ଅବକାରୀ ବିଭାଗର ଯାଞ୍ଚକୁ ବିରୋଧ କରିଥିଲା। ଅମଜାଦ ମଧ୍ୟ ଅବକାରୀ ଟିମ ସହିତ ମୁହାଁମୁହିଁ ହୋଇଥିଲା। ଅବକାରୀ ଅଧିକାରୀ ଗାଡ଼ିରେ ଥିବା ସିକ୍ରେଟ ଚାମ୍ବର ଯାଞ୍ଚ ସମୟରେ ୧ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିଥିଲେ। ଏମାନେ ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଉତ୍ତରପ୍ରଦେଶ ଚାଲାଣ କରୁଥିଲେ। ସେମାନଙ୍କ ଠାରୁ ୧୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପ କୁମାର ଦାସଙ୍କ ନେତୃତ୍ୱରେ ହୋଇଥିବା ଚଢଉରେ ଇନ୍ସପେକ୍ଟର ସତ୍ୟଜିତ ଖଟୁଆ, ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଶରତ କୁମାର ଦାସ, କିଶୋର ରାଉତ, ଥବିର ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।