ରାଇଘର : ପ୍ରତିଦିନ ନୂଆନୂଆ ତରିକାରେ ଗଞ୍ଜେଇ ଚୋରାଚାଲାଣ ହେଉଛି। ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଗଞ୍ଜେଇ ମାଫିଆ କାଉଡ଼ିଆ ବେଶ ଧାରଣ କରି ଚାଲାଣ ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ବେଶି ଦୂର ଯାଇପାରିଲେ ନାହିଁ, ପୁଲିସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ସରାୟପାଲିରେ ଘଟିଛି। ଓଡ଼ିଶାରୁ ଏହି ଗଞ୍ଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିଲା।

Advertisment

ସୂଚନା ଅନୁଯାୟୀ, ଓଡ଼ିଶା ସୀମାନ୍ତରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିବାରୁ ଛତିଶଗଡ଼ ମହାସମୁଦ ଜିଲ୍ଲା ପୁଲିସ ଅଧୀକ୍ଷକ ଧର୍ମେନ୍ଦ୍ର ସିଂଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ପୁଲିସ ଅଧୀକ୍ଷକ ଆକାଶ ରାଓ ଗିରେପୁଞ୍ଜ ଏବଂ ସରିପାଲି ଏସଡିପିଓ ଅଭିଷେକ କେଶରୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ସକାଳୁ ସରାୟପାଲି ଥାନା ଅଧିକାରୀ ଆଶିଷ ୱାସନିକ୍ ଗୋଟିଏ ଟିମ୍ ନେଇ ଓଡ଼ିଶାରୁ ସରିପାଲି ଅଭିମୁଖେ ଯାଉଥିବା ଗୋଟିଏ ନମ୍ବର ବିହୀନ ବାଇକକୁ ବୈତାରୀ ଛକ ନିକଟରେ ଅଟକାଇଥିଲେ। ବାଇକରେ ଦୁଇଜଣ ଯୁବକ କାଉଡିଆ ବେଶରେ ଦୁଇଟି ବଡ଼ ବ୍ୟାଗ୍ ଧରି ଯାତ୍ରା କରୁଥିଲେ। ଯାଞ୍ଚ ପରେ ବ୍ୟାଗରୁ ୩୧ କିଲୋ ଗଞ୍ଜେଇ ବାହାରିଥିଲା। ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ୭୫ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଜବତ ଗଞ୍ଜେଇ ଓଡ଼ିଶାରୁ ଛତିଶଗଡ଼କୁ ଚାଲାଣ ହେଉଥିବା ବେଳେ ଏଥିରେ ସମ୍ପୃକ୍ତ ମଧ୍ୟପ୍ରଦେଶର ଅଭୟ ପଟେଲ (୧୯) ଏବଂ ଅମିତ ଶୁକ୍ଳା (୨୭)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଚଢ଼ଉରେ ସରାୟପାଲି ଏଏସ୍‌ଆଇ ବଳରାମ ସାହୁ, ହେଡ୍ କନେଷ୍ଟବଳ ଡୋଲାମଦି ଭୋଇ, କନେଷ୍ଟବଳ ଯୋଗେନ୍ଦ୍ର ବଞ୍ଜାରେ, ମନଭେନ୍ଦ୍ର ଢିଢି ଏବଂ ସଞ୍ଜୀବ ଯାଦବ ପ୍ରମୁଖ ସାମିଲ ଥିଲେ।