ରାଉରକେଲା: କିଛି ଦିନର ବ୍ୟବଧାନପରେ ଆଜି ପୁଣି ଜଣେ ଗଞ୍ଜେଇ ବେପାରିକୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଦେବରାଜ କହଁର(୨୮)। ଅଭିଯୁକ୍ତ ପାଖରୁ ୨୩.୭୬୬ କେଜି ଗଞ୍ଜେଇ ଓ ଚୋରାଚାଲାଣରେ ବ୍ୟବହୃତ ଅଟୋ(ଓଡି-୧୪-ଜି-୬୯୨୦) ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୩୭ ହଜାର ୬୬୦ ଟଙ୍କା ହେବ। ରାଉରକେଲାକୁ ଟ୍ରେନ୍‌, ବସ୍‌ରେ ଗଞ୍ଜେଇ ଚୋରାଚାଲାଣ ନିତିଦିନିଆ ହେଲାଣି। ବିଶେଷକରି କୋରାପୁଟ, ଦେବଗଡ଼, ସମ୍ବଲପୁର, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଆଦି ଅଞ୍ଚଳରୁ ସହରକୁ ନିୟମିତ ଗଞ୍ଜେଇ ଚାଲାଣ ହେଉଛି। ଅଭିଯୁକ୍ତ ଦେବରାଜ ମଧ୍ୟ କନ୍ଧମାଳ ଅଞ୍ଚଳରୁ ବସ୍‌ରେ ଗଞ୍ଜେଇ ଆଣି ଆଜି ସକାଳେ ରାଉରକେଲାରେ ପହଞ୍ଚିଥିଲା।

Advertisment

ସ୍ଥାନୀୟ ପ୍ଲାଣ୍ଟ୍‌ସାଇଟ୍‌ ଅଞ୍ଚଳରେ ଥିବା ଗଞ୍ଜେଇ ମାଫିଆ ସହ ଯୋଗାଯୋଗ କରି ଏକ ଅଟୋ ଭଡ଼ା କରିଥିଲା। ପରେ ଅଭିଯୁକ୍ତ ଓ ଅଟୋ ଚାଳକ ପ୍ଲାଣ୍ଟସାଇଟ୍‌ ଅଞ୍ଚଳରେ ରହୁଥିବା ମାଫିଆ ପାଖକୁ ଗଞ୍ଜେଇ ନେଉଥିବାବେଳେ ଅବକାରୀ ପୁଲିସ ତାକୁ କାବୁ କରିନେଇଥିଲା। ତେବେ ଅଟୋ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିବାରେ ସଫଳ ହୋଇଛି। କାହା ପାଖକୁ ଚାଲାଣ କରୁଥିବା ନେଇ ଅବକାରୀ ପୁଲିସ ପଚରାଉଚରା କରିଥିଲେ ମଧ୍ୟ ଅଭିଯୁକ୍ତ ମୁହଁ ଖୋଲିନଥିବା ଜଣାପଡ଼ିଛି। ପ୍ରକାଶଥାଉକି, ଗତ ୪ ତାରିଖରେ ମଧ୍ୟରେ ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଅଭିଯୁକ୍ତକୁ ଅବକାରୀ ପୁଲିସ ଗିରଫ କରିଥିଲା।

ଅଭିଯୁକ୍ତ ବିହାରର ଶ୍ରୀଓମ୍‌ ନିସାଦ(୧୯) ପାଖରୁ ୧୪.୨୮୬ କେଜି ଗଞ୍ଜେଇ ଜବତ ହୋଇଥିଲା। ଅଭିଯୁକ୍ତ ପ୍ରଥମେ କୋରାପୁଟ ଅଞ୍ଚଳରୁ ଟ୍ରେନ୍‌ରେ ଗଞ୍ଜେଇ ଆଣି ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଥିଲା। ରାଉରକେଲାରୁ ବିହାରକୁ ଚାଲାଣ କରିବାକୁ ଅନ୍ୟ ଏକ ଟ୍ରେନ୍‌କୁ ଜଗି ରହିଥିବାବେଳେ ଆର୍‌ପିଏଫ୍‌ ଯବାନ ତାକୁ କାବୁ କରିଥିଲେ |