ବରଗଡ଼ : ବସ୍‌ରେ ବଢ଼ୁଛି ଗଂଜେଇ ଚାଲାଣ

ବରଗଡ଼ : ବରଗଡ଼ ଜିଲ୍ଲାରେ ନିଶା କାରବାର ଅହେତୁକ ଭାବେ ବୃଦ୍ଧି ପାଉଛି। ସହର ଭିତରେ ତ ସ୍ଥିତି ଅନିୟନ୍ତ୍ରିତ, ଗାଁଗହଳିରେ ସ୍ଥିତି ଆହୁରି ସମ୍ବେଦନଶୀଳ। ନିଶା କାରବାର କ୍ରମଶଃ ଗ୍ରାମାଞ୍ଚଳକୁ ସଂପ୍ରସାରିତ ହେବାକୁ ଲାଗିଛି। ସହର ଭିତରେ କାରବାର କଲେ ସବୁବେଳେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନର ଭୟ ରହିଛି। ତେଣୁ ନିଶା ବେପାରୀମାନେ ଗାଁଗହଳିରେ ନିଶାଦ୍ରବ୍ୟ ଗଚ୍ଛିତ ରଖୁଛନ୍ତି। ବରାଦ ହେଲେ ସେଗୁଡ଼ିକୁ ନେଇ ବରଗଡ଼ ଆସୁଛନ୍ତି। ଏଠାରୁ ବିଭିନ୍ନ ସ୍ଥାନକୁ କଫ୍‌ ସିରପ୍‌, ଗଂଜେଇ, ନିଶା ଟେବ୍‌ଲେଟ୍‌ ଚାଲାଣ ହେଉଛି।

ଆଶ୍ଚର୍ଯ୍ୟର କଥା, ବସ୍‌ ଏହି କାରବାରର ମାଧ୍ୟମ ପାଲଟିଛି। ନିଶା ବେପାରୀମାନେ ଅନ୍ୟ ପ୍ୟାକିଂ ସାମଗ୍ରୀ ସହ ବସ୍‌ରେ ଗଂଜେଇ ପ୍ୟାକେଟ୍‌ ପୂରାଇ ଦେଉଛନ୍ତି। ଏସବୁ କାରବାର ବସ୍‌ ମାଲିକ ଏବଂ କର୍ମଚାରୀଙ୍କ ଅଜାଣତରେ ହେଉଛି। କ୍ରମାଗତ ଭାବେ ଏଭଳି ଘଟଣା ସାମନାକୁ ଆସୁଛି। ବସ୍‌ ମାଲିକମାନେ ଗଂଜେଇ ଠାବ କରି ବେପାରୀଙ୍କୁ ଉତ୍ତମମଧ୍ୟମ ଦେବା ସହ ପୁଲିସ୍‌ ହେଫାଜତରେ ଦେଉଛନ୍ତି। ଏସବୁ ସତ୍ବେ ଗଂଜେଇ ଚୋରା ଚାଲାଣ ବନ୍ଦ ହୋଇନାହିଁ। ଗତବର୍ଷ ପାଇକମାଳରୁ ରାୟପୁର ଯାଉଥିବା ଗୋଟିଏ ବସ୍‌ରୁ ୧୬ କିଲୋ ଗଂଜେଇ ସହ ଅନ୍ୟ ନିଶା ସାମଗ୍ରୀ ଜବତ ହୋଇଥିଲା। ବିଗତ ଦିନରେ ଏଭଳି ଅନେକ ଘଟଣା ଘଟିଛି। ବରଗଡ଼ ଜିଲ୍ଲାରୁ ଛତିଶଗଡ଼କୁ ବ୍ୟାପକ ବସ୍ ସେବା ରହିଛି। ବିଶେଷକରି ରାତିରେ ଚଳାଚଳ କରୁଥିବା ବସ୍‌କୁ ମାଫିଆମାନେ ଟାର୍ଗେଟ କରୁଛନ୍ତି। ବସ୍‌ ଉପରେ ଛତିଶଗଡ଼ର କୌଣସି ଏକ ନିର୍ଦ୍ଦିଷ୍ଟ ଠିକଣା ଲେଖୁଛନ୍ତି। ଗଂଜେଇ ସିଲ୍‌ ଥିବା ପ୍ୟାକେଟ୍‌କୁ କୁଲି ଜରିଆରେ ବସ୍‌ ଉପରେ ଚଢ଼ାଇ ଦେଉଛନ୍ତି। ସିଲ୍‌ ପ୍ୟାକେଟ୍‌ ଭିତରେ କ’ଣ ଅଛି, ତାହା କୁଲିମାନେ ଜାଣି ପାରୁନାହାନ୍ତି। ଛତିଶଗଡ଼ର ଠିକଣାରେ ପ୍ୟାକେଟ୍‌ ପହଂଚିବା ପରେ ସେଠାରୁ ଗଂଜେଇ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି।

କିଛି ଦିନ ତଳେ ଅମ୍ବାଭୋନା ଥାନା ଅଂଚଳରେ ବସ୍‌ରେ ଗଂଜେଇ ଚାଲାଣ ବେଳେ ୨ଜଣ ଅଭିଯୁକ୍ତ ଧରାପଡ଼ିଥିଲେ। ଅଭିଯୁକ୍ତ ଦ୍ବୟ ସମ୍ବଲପୁର ଜିଲ୍ଲାର। ବର୍ତମାନ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇନଥିବାରୁ ବସ୍‌ ମାଧ୍ୟମରେ ବ୍ୟାପକ ଗଂଜେଇ ବରଗଡ଼ ଦେଇ ଛତିଶଗଡ଼କୁ ଚାଲାଣ ହେଉଛି। ପୂର୍ବରୁ ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ମଧ୍ୟ ଗଂଜେଇ ଚାଲାଣ ହେଉଥିଲା।

ସମ୍ବନ୍ଧିତ ଖବର