ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି.ଲଡ଼ୁଙ୍କୁ ଦିଲ୍ଲୀ ପୁଲିସ ୨୦୨୧ ମସିହାର ଏକ ଗଞ୍ଜେଇ ଚୋରା ମାମଲାରେ ଗିରଫ କରିଛି। ଦିଲ୍ଲୀର ଏକ ଟିମ୍ ଦିଗପହଣ୍ଡି ପୁଲିସ ସହାୟତାରେ ଆଜି ଲଡ଼ୁଙ୍କୁ ସ୍ଥାନୀୟ ତହସିଲ ଅଫିସ୍ ନିକଟରୁ ଉଠାଇ ନେଇଥିଲେ। ଲଡ଼ୁଙ୍କ ବିରୋଧରେ ଦିଲ୍ଲୀର ସାକେତ ସ୍ବତନ୍ତ୍ର କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା। ତାଙ୍କ ବିଷୟରେ ସୂଚନା ଦେଲେ ଦିଲ୍ଲୀ ପୁଲିସ ପକ୍ଷରୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାରରାଶି ଘୋଷଣା ହୋଇଥିଲା।

Advertisment

ଜାମିନବିହୀନ ଗିରଫ ପରୱାନା ବଳରେ ଦିଲ୍ଲୀ ପୁଲିସ ଲଡ଼ୁଙ୍କୁ କାବୁ କରି ଦିଗପହଣ୍ଡି ଜେଏମଏଫସି କୋର୍ଟରେ ହାଜର କରିଥିଲା।। ମାଜିଷ୍ଟ୍ରେଟଙ୍କ ଅନୁମତି ମିଳିବା ପରେ ଦିଲ୍ଲୀ ପୁଲିସ ଲଡ଼ୁଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଥାଉକି, ଗତ ପଞ୍ଚାୟତ ନିର୍ବାଚନରେ ବର୍ତ୍ତମାନର ଦିଗପହଣ୍ଡି ବ୍ଲକ୍ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରି ଲଡ଼ୁ ବିଜୟୀ ହୋଇଥିଲେ।