ଗଞ୍ଜେଇ ଯାଞ୍ଚ୍‌ ବେଳେ ମିଳିଲା ସୁନା ବିସ୍କୁଟ; ୫୭ କେଜି ଗଞ୍ଜେଇ, ୩୫୯ଗ୍ରାମ ସୁନା ଜବତ

ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବୁଧବାର ସକାଳେ ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଜଙ୍କସନ୍‌ରେ ଗଞ୍ଜେଇ ଧରପଗଡ଼ ବେଳେ ଏକ ଓଏସ୍‌ଆର୍‌ଟିସି ବସ୍‌ରୁ ଜଣେ ବ୍ୟକ୍ତିଙ୍କଠାରୁ ପୁଣି ୩୦୯ ଗ୍ରାମର ସୁନା ବିସ୍କୁଟ୍‌ ମିଳିଛି। ସେ ହେଲେ ପଶ୍ଚିମବଙ୍ଗର ମୂଳ ନିବାସୀ ମହାଦେବ ଆଲୁ (୪୪। ହେଲେ, ଟିକସ ଫାଙ୍କିବା ସହିତ କଟକରୁ ସୁନା ଆଣି ବ୍ରହ୍ମପୁରରେ ବିକୁଥିବା ଜେରାବେଳେ କହିଥିବା ଜଣାପଡ଼ିଛି। ଜବତ ସୁନାରୁ ଗୋଟିଏ ୩୦୯ଗ୍ରାମର ସୁନା ବିସ୍କୁଟ୍‌ ଥିବାବେଳେ ବାକି ୫୦ ଗ୍ରାମର ସୁନା ଗହଣା ରହିଛି, ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଅବକାରୀ ବିଭାଗ ତୁରନ୍ତ ତାକୁ ଗୋପାଳପୁର ଥାନା ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

 

ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ଅଭିଯୁକ୍ତମା‌ନଙ୍କ ମଧ୍ୟରୁ ଜଣେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ପାନଗୁଡ଼ାର ଚିଦାନନ୍ଦ ବେରୋ (୧୯)। ତାଙ୍କଠାରୁ ୧୦କେଜି ଗଞ୍ଜେଇ ଜବତ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ସେଇ ପାନଗୁଡ଼ା ଗ୍ରାମର ଚିତ୍ତରଂଜନ ଶତ୍ରୁଶଲ୍ୟ (୧୯)ଙ୍କଠାରୁ ୧୦କେଜି, ଅଡ଼ବା ଥାନା କସାରିଗୁଡ଼ା ଗ୍ରାମର ଲାଲୁ ନାୟକ (୧୯)ଙ୍କଠାରୁ ୧୦କେଜି, କଟକ ଚାଉଳିଆଗଞ୍ଜ ଥାନାର ଦେବେନ୍ଦ୍ର ସାହୁ (୪୮)ଙ୍କଠାରୁ ୧୨କେଜି, ବିହାର ଆରା ଜିଲ୍ଲାର ମୁଲକି ସାହା (୫୨)ଙ୍କଠାରୁ ୧୫କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ସମୁଦାୟ ୫୭କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୭୦ହଜାର ଟଙ୍କା ହେବ। ଆଇଆଇସି ହୃଦୟ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଏହି ଧରପଗଡ଼ କରିଥିଲେ ।

ସମ୍ବନ୍ଧିତ ଖବର