ଜୟପୁର: କୋରାପୁଟ ଜିଲ୍ଲା ଜଲାପୁଟରୁ ଭୟା ଜୟପୁର ଦେଇ ବିହାରକୁ ଚାଲାଣ ହେଉଥିବା ୨୬୯ କେଜିର ଚୋରା ଗଞ୍ଜେଇକୁ ଧରିଛି ପୁଲିସ। ଏହି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସଦର ପୁଲିସ ଆଜି ଦୁଇଜଣ ପୁଲିସ କର୍ମଚାରୀଙ୍କ ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ବ୍ୟବହୃତ ଗୋଟିଏ ହୋଣ୍ଡା ସିଟି କାର, ୩ଟି ବାଇକକୁ ଜବତ କରିଥିବାବେଳେ ଏଥିରେ ଜଣେ ବି.ଟେକର ଛାତ୍ର ରହିଥିବା ଜଣାପଡିଛି। ଗିରଫ ହୋଇଥିବା ଯୁବକ ମାନେ ହେଲେ ବିହାରର ନାୱାଡା ଜିଲ୍ଲା ଅନ୍ତର୍ଗତ ରାଜେଲି ଗାଁର ଅନୀଲ ପ୍ରସାଦ ଯାଦବଙ୍କ ପୁଅ ସୋନୁ କୁମାର (୧୮), ବିଶାଖାପାଟଣା ମୋଚିଂପୁଟ ଅନ୍ତର୍ଗତ ତଳବେଢା ଗାଁର ଧନ କ୍ରୀଶାନୀଙ୍କ ପୁଅ ରାମମୂର୍ତ୍ତି କ୍ରୀଶାନୀ (୩୩), ବାମୁଣୀ ଗାଁର ଡମୁ ପୂଜାରୀଙ୍କ ପୁଅ ନରହରି ପୂଜାରୀ (୩୩), ପାଞ୍ଜିଆଗୁଡା ଲକ୍ଷ୍ମଣ ପରଜାଙ୍କ ପୁଅ ବିଶ୍ୱନାଥ ପରଜା (୩୯), ନନ୍ଦପୁର ଘାଗଡାପାଣ୍ଡି ଗାଁର ରାମଚନ୍ଦ୍ର ବଡନାୟକଙ୍କ ପୁଅ ନରେନ୍ଦ୍ର ବଡନାୟକ (୩୨) ଓ ସାନ୍ତ୍ରା ସାହିର ରାଜେନ୍ଦ୍ର କୁମାର ମିଶ୍ରଙ୍କ ପୁଅ ଲକ୍ଷ୍ମୀକାନ୍ତ ମିଶ୍ର (୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସଯ ପୁଲିସ ୨୨୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ରକ୍ଷକ ସାଜିଥିଲା ଭକ୍ଷକ। ଗଞ୍ଜେଇ ଧରିବା ଲୋକ କରୁଥିଲା ଗଞ୍ଜେଇ ଚୋରା ଚାଲାଣ। ପରେ ପୁଲିସ ହାତରେ ଧରି ପଡି ଆଜି କୋର୍ଟ ଚାଲାଣ ହୋଇଛି। ତେବେ ଗତକାଲି ବିଳମ୍ବିତ ରାତିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲେ ଜୟପୁର ଟାଉନ ପୁଲିସରେ କାମ କରୁଥିବା ଦୁଇଜଣ ପୁଲିସ କର୍ମଚାରୀ। ତେବେ ଦୁଇଟି ବାଇକରେ ବାମୁଣି ଗାଁ ନିଟରେ ରହିଥିବା ବ୍ରିଜ ନିକଟରେ ଜଗିଥିଲେ। ସେହିଠାରେ ପୁଲିସର ପରିଚୟ ଦେଇ ଏହି କାରକୁ ହାଇଯାକ୍ କରି ନେଇଥିଲେ ଫାମ୍ପୁଣୀର ଏକ ଜଙ୍ଗଲକୁ। ମୂଲଚାଲ କରି ରଫାଦଫା କରିବାକୁ ନେଇ ଚାପ ପକାଇଥିଲେ। ମୂଲଚାଲ ଚାଲିବାବେଳେ ଖବର ପାଇ ଚଢାଉ କଲା କୋରାପୁଟ ଜିଲ୍ଲା ଜୟପୁର ସଦର ପୁଲିସ। ମାଫିଆଙ୍କ ସହ ମୂଲଚାଲ ସମୟରେ ଥିଲେ ଜୟପୁର ଟାଉନ ପୁଲିସ ନିକଟରେ ନିୟୋଜିତ ଥିବା ହାବିଲଦାର ବିଶ୍ୱନାଥ ପରଜା (୩୯) ଓ ଓଏସଏପିର କନେଷ୍ଟବଳ ନରେନ୍ଦ୍ର ବଡନାୟକ (୨୪)। ପଚରାଉଚୁରା କରିବା ପରେ ସବୁସତ ମାନିଥିଲେ। ଏହି ଦୁଇଜଣଙ୍କୁ ଖବର ଦେଇଥିବା ନରହରି ମଦ୍ୟ ସେଠାରେ ସାମିଲ ଥିବାରୁ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା।
/sambad/media/post_attachments/wp-content/uploads/2020/11/FB_IMG_1605185050792.jpg)
୩୮ଟି ଜରି ପ୍ୟାକେଟରେ ଚାଲାଣ ହେଉଥିବା ଗଞ୍ଜେଇ ବଜାର ମୂଲ୍ୟ ପାଖାପାଖି ୩୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି। ଏହାକୁ ଚାଲାଣ କରୁଥିବା ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାମମୂର୍ତ୍ତି ବିଟେକର ଛାତ୍ର ହୋଇଥିବାବେଳେ ସୋନୁ କମୁାର ଯୁକ୍ତଦୁଇରେ ପଢୁଛି। ସେମାନେ ବ୍ୟବହାର କରୁଥିବା ହୋଣ୍ଡା ସିଟିର ରହିଥିଲା ୪ଟି ନମ୍ବର ପ୍ଲେଟଯ ଜେଏଚ ୦୧ଏପି ୬୩ ୨୨ରେ ଦୁଇଟି ଓ ଡବ୍ଲୁବି ୦୨ଡବ୍ଲୁ ୬୪୩୭ରେ ଦୁଇଟି। ପ୍ରତି ଦୁଇଶହ କିଲୋମିଟରେ ଏହିମାନେ ନମ୍ବର ପ୍ଲେଟ ପରିବର୍ତ୍ତନ କରି ପୁଲିସକୁ ଚକମା ଦେଇ ଖସି ଆସୁଥିଲେ। କିନ୍ତୁ ଜୟପୁର ସଦର ଥାନା ଅଞ୍ଚଳରୁ ଖସି ପାରି ନ ଥିଲେ। ଏହାସହ ଗୋଟିଏ ହିରୋହୋଣ୍ଡା ପ୍ୟାସନ ପ୍ଲସ, ଗୋଟିଏ ଆପାଚି ଓ ଗୋଟିଏ ହୋଣ୍ଡା ଗ୍ଲାମର ଗାଡିକୁ ପୁଲିସ ଜବତ କରିଛି।
ତେବେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ଗଞ୍ଜେୁଇ ଗାଡି ଆସୁଥିବା ନେଇ ଖବର କିଏ ଦେଲାଯ କାହିଁକି ଟାଉନ ପୁଲିସକୁ ନ ଜଣାଇ ସେମାନେ ସେଠାକୁ ଗଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏନେଇ ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲ୍ଲି କହିଛନ୍ତି ନଶ୍ଚିତ ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଚିଠି କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/IMG_20201112_132050-1.jpg)