ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ଅବିଭକ୍ତ ‌କୋରାପୁଟ : ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ୪୯ ଗିରଫ

ପୁଲିସକୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିଲେ

ମାଲକାନଗିରି, ଜୟପୁର/ଲମତାପୁର/ନନ୍ଦପୁର : ଚୋରା ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଅବିଭକ୍ତ କୋରାପୁଟ ଜିଲ୍ଲା। କୋରାପୁଟରୁ ନେଇ ମାଲକାନଗିରି ପର୍ଯ୍ୟନ୍ତ ଶହ ଶହ ଏକରରେ ଗଞ୍ଜେଇ ଚାଷ ହେଉଥିବା ଏହି ବିସ୍ତୀର୍ଣ୍ଣ ଉପତ୍ୟକାରୁ ପ୍ରତିଦିନ ରାଜ୍ୟ ବାହାରକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଛି। ପୁଲିସ ବାରମ୍ବାର ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲେ ବି ଏହି ଚୋରା କାରବାର କମିବା ବଦଳରେ ବଢ଼ିବାରେ ଲାଗିଛି। ଗତ ୪୮ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରୁ ୨ କୋଟିରୁ ଅଧିକ ମୂଲ୍ୟର ପ୍ରାୟ ଦେଢ଼ ଶହ ବସ୍ତା ଗଞ୍ଜେଇ ଜବତ ହୋଇଥିବାବେଳେ ପୁଲିସ ୩୪ ଜଣଙ୍କୁ ଗିରଫ କରିଛି। ଅନୁରୂପ ଭାବେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ପୁଲିସ ୩ କୋଟିରୁ ଅଧିକ ଟଙ୍କାର ସାଢ଼େ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ୧୫ ଜଣଙ୍କୁ ଗିରଫ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସ୍‌ପି ଜଗମୋହନ ମୀନା ଏ ନେଇ ସୂଚନା ଦେଇଛନ୍ତି। ଗତ ୬ ତାରିଖ ଦିନ ଚିତ୍ରକୋଣ୍ଡା ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ପାଇଁ ବାହାରିଥିଲା। ବାଲିମେଳା ନିକଟସ୍ଥ ପୂଜାରୀଗୁଡା ଅଞ୍ଚଳ ଦେଇ ଜଙ୍ଗଲିଆ ରାସ୍ତାରେ ଦେଢ଼ ଶହରୁ ଊର୍ଧ୍ବ କାଉଡ଼ିଆ ଏହି ଗଞ୍ଜେଇ ନେଇ ଯାଉଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସର ଏକ ଟିମ୍‌ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପିଛା କରିଥିଲା। ରାସ୍ତାରେ ସାମ୍ନାସାମ୍ନି ହୋଇଥିଲେ ହେଁ ପୁଲିସକୁ ଦେଖି ଅଟକି ନଥିଲେ ଚାଲାଣକାରୀ। ପୁଲିସକୁ ଆକ୍ରମଣ କରିବାକୁ ବି ପଛାଇ ନଥିଲେ। ଯାହାଫଳରେ ଧସ୍ତାଧସ୍ତି ହୋଇ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଚୋରା ଚାଲାଣକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ପୁଲିସ ସେଠାରୁ ଫେରି ଆସିଥିବାବେଳେ ଚାଲାଣକରୀ ଆଗକୁ ବଢ଼ି ଯାଇଥିଲେ। ତେବେ ପୁଲିସ ଫେରି ଆସି ପୁଣି ସେମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ସେମାନଙ୍କୁ ଧରିବା ପାଇଁ ଏକ ୭୫ଜଣିଆ ଟିମ୍ ଗଠନ କରାଯାଇଥିଲା। ପୁଣି ଗଞ୍ଜେଇ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଥିବା ବେଳେ ମାଥିଲିଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ଚାଲାଣକାରୀଙ୍କୁ ଠାବ କରିଥିଲା। ଏଥର ପୂର୍ବ ପ୍ରସ୍ତୁତି ହୋଇ ସାରିଥିବାରୁ ପୁଲିସ ସେମାନଙ୍କୁ ଗୋଟିଏ ସ୍ଥାନରେ ଘେରାବନ୍ଦୀ କରି ରଖିଥିଲା। କିଛି ଜଣ ଚକମା ଦେଇ ଖସି ଯାଇଥିଲେ ବି ୩୪ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ପୁଲିସ। ଜବତ ଗଞ୍ଜେଇର ପରିମାଣ ୩୩୦୫ କିଲୋଗ୍ରାମ ବୋଲି ଓଜନ କରିବା ପରେ ସ୍ପଷ୍ଟ ହୋଇଥିଲା। ଯାହାର ବଜାର ମୂଲ୍ୟ ୨କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୧୭ଜଣ ମାଲକାନଗିରି ଅଂଚଳର, ୧୧ ଜଣ ନବରଂଗପୁର, ୫ଜଣ କୋରାପୁଟ ଏବଂ ଜଣେ ଛତିଶଗଡ ଅଂଚଳର ବୋଲି ଜଣାପଡିଛି।

୭୫ ଜଣିଆ ପୁଲିସ ଟିମର ନେତୃତ୍ବ ନୂତନ ଭାବେ ଏସଡିପିଓ ଦାୟିତ୍ବରେ ରହିଥିବା ଋଷିକେଶ ଖିଲାରି ନେଇଥିଲେ। ତାଂକୁ ମାଥିଲି ଆଇଆଇସି ଜୋନ କୁଜୁର ଏବଂ ବାଲିମେଳା ଆଇଆଇସି ଜଗଦୀଶ ବାରା ସହଯୋଗ କରୁଥିଲେ।

ଅନୁରୂପ ଭାବେ ଆଜି ଜୟପୁରଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏସଡିପିଓ ସାଗରିକା ନାଥ କହିଥିଲେ ଯେ, କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ଉପଖଣ୍ଡର ଜୟପୁର ଟାଉନ, ଜୟପୁର ସଦର, ନନ୍ଦପୁର ଉପଖଣ୍ଡର ନନ୍ଦପୁର ଓ ମାଛକୁଣ୍ଡ ଥାନା ଅଂଚଳରୁ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ହୋଣ୍ଡାସିଟି, ମାରୁତି ସୁଜୁକି ଏସଏକ୍ସ୪, ଆଇଚର ଭ୍ୟାନ, କମାଣ୍ଡର, ଟାଟା ପିକ୍ ଅପ୍ ଆଦି ୬ଟି ଗାଡ଼ି ଜବତ କରିଛି। ୧୪ଟି ମୋବାଇଲ, ନଗଦ ୫ ହଜାର ୬ ଶହ ଟଙ୍କା ଜବତ ହୋଇଛି। ମୋଟ ୪ଟି ମାମଲାରେ ୧୨ଜଣ ରାଜ୍ୟ ବାହାର ଗଂଜେଇ ଚାଳାଣକାରୀଙ୍କ ସହ କାଳାହାଣ୍ଡି ଜିଲ୍ଲାର ୩ଜଣ ଗିରଫ ହୋଇଛନ୍ତି।

ଆଜି ସକାଳୁ ଜୟପୁର ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସକୁ ଖବର ମିଳିଥିଲା। ତେଣୁ ପୁଲିସ ବିଭିନ୍ନ ସ୍ଥାନରେ ପୂର୍ବରୁ ଅପେକ୍ଷା କରି ରହିଥିଲା। ବାଇପାସ୍ ରାସ୍ତା ଦେଇ ସହର ଭିତରକୁ ପଶିଥିବା ହୋଣ୍ଡାସିଟି କାର (ଡିଏଲ ୪ସି ୫୬୯୭)କୁ ସ୍ଥାନୀୟ ଦ୍ବିତୀୟ ଦୈନିକ ବଜାର ନିକଟରେ ଅଟକାଇଥିଲା। ଗାଡ଼ିକୁ ଯାଞ୍ଚ କରିବାରୁ ସେଥିରୁ ୧୫୦କିଲୋ ଗଞ୍ଜେଇ ବାହାରିଥିଲା। ତେଣୁ ଘଟଣା ସ୍ଥଳରୁ ହରିଆନାର ଜିତେନ୍ଦ୍ର କୁମାର (୪୮), ସମୀର ରନ୍ଧାୱା (୩୬) ଓ ମଧ୍ୟପ୍ରଦେଶର ଶୁଭମ୍ ଶିବାରୀ (୨୪)ଙ୍କୁ ଗିରଫ କରାଯାଇଥିଲା। ସେହିଭଳି ଜୟପୁର ସଦର ପୁଲିସ ଜୟପୁର-ମାଲାକାନଗିରି ରାସ୍ତାର ଡିମିଳା ଛକ ଠାରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ଆସିଥିବା ଗୋଟିଏ ମାରୁତି ସୁଜୁକି ଏସଏକ୍ସ୪ କାର (ସିଜି ୦୪ଏଚଏ ୫୪୫୫)କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୪ଶହ କିଲୋ ଗଞ୍ଜେଇ ବାହାରିଥିଲା। ଏହି କାରରୁ ପଶ୍ଚିମବଙ୍ଗର ଭିକି ପ୍ରସାଦ (୩୧), କଳାହାଣ୍ଡିର ହର ନାୟକ (୩୦),ବିଜୁ ସାହ (୪୦), କିଶୋର ପୂଜାରୀ (୩୨)ଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷରେ ନନ୍ଦପୁର ପୁଲିସ ହାଟପଦା ଠାରେ ଗୋଟିଏ ଆଇଚର ଭ୍ୟାନ ଓ ଗୋଟିଏ କମାଣ୍ଡରରୁ ୪୦୦ କିଲୋ ଗଂଜେଇ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର ଜୟରାମ ଶିଶା (୪୫), ସଂଜୁ ବଡନାୟକ (୨୪), ଗୋପାଳ ପଲାସି (୩୯), କିଶୋର କୁମାର ଟାଙ୍ଗୁଲା(୧୯), ମହରାଷ୍ଟ୍ରର ରାଜୁ ଏକନାଥ ଟାଉଡେ (୪୨) ଓ ସୁବାସ ରାଜାରାମ ବୋଲି ଜୟପୁର ଏସଡପିଓ ସୂଚନା ଦେଇଛନ୍ତି। ସେଭଳି ମାଛକୁଣ୍ଡ ପୁଲିସ ବସଷ୍ଟାଣ୍ଡ ନିକଟରେ ଗୋଟିଏ ଟାଟା ପିକ ଅପ ଭ୍ୟାନ (ଓଆର ୧୦ଏଫ୍ ୬୫୪୭) ମଧ୍ୟରୁ ୪୦୦କିଲୋ ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିଆନାକୁ ଚୋରା ଚାଲାଣ ହେଉଥିବା ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର