ଜୟପୁର : ପାତ୍ରପୁଟ ନିକଟରେ ୫୦ଲକ୍ଷ ଟଙ୍କାର ଗଂଜେଇ ଚାଲାଣ ମାମଲାରେ ଗିରଫ ହୋଇଥିବା ଚାଲାଣକାରୀଙ୍କୁ ରିମାଣ୍ଡରେ ଆଣି ପ୍ରଥମ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି ସଦର ପୁଲିସ। ଏସବିଆଇର ୩ଟି ଆକାଉଣ୍ଟ୍ ସହ ଆଇସିଆଇସିଆଇ ବ୍ୟାଙ୍କର ୫ଟି ମୋଟ ୮ଟି ଆକାଉଣ୍ଟକୁ ଫ୍ରିଜ କରିବା ସହ ଏଥିରେ କାରବାର ହୋଇଥିବା ୧ କୋଟିରୁ ଅଧିକ ଟଙ୍କାକୁ ଫ୍ରିଜ କରିଛି ଜୟପୁର ସଦର ପୁଲିସ। ଏହି ରିମାଣ୍ଡ କାଳରେ ରାଜ୍ୟ ବାହାରୁ ଧରା ପଡିଥିବା ଗଞ୍ଜେଇ ଚାଲାଣକାରୀଙ୍କ ଠାରୁ ଆହୁରି ବହୁ ତଥ୍ୟ ମିଳିବା ଆଶା କରାଯାଉଛି। ଆଜି ସଦର ପୁଲିସ ଜଲାପୁଟ ଜୟରାମ ପାଣିଗ୍ରାହୀଙ୍କ ପୁଅ ସୁଦର୍ଶନ ପାଣିଗ୍ରାହୀ (୨୮) ଓ ମାଛକୁଣ୍ଡ ସୁରୁମି ଗାଁର ନୀଳକଣ୍ଠ ନିରିକାଙ୍କ ଗୋପିନାଥ ନରିକା (୨୩)ଙ୍କର ୮ଟି ଆକାଉଣ୍ଟ ସିଜ କରିଛି ପୁଲିସ।
କୋରାପୁଟ ଜିଲା ଜଲାପୁଟ ଠାରୁ ବିହାର ଟ୍ରକ୍ ଓ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ଥାନା ଅଧିକାରି ଆଦିତ୍ୟ ମହାକୁର ସୂଚନା ପାଇଁ ପାତ୍ରପୁଟ ଠାରେ ସଦଳବଳେ ଚଢ଼ଉ କରିଥିଲେ । ଟ୍ରକ୍ ନଂ ଡବ୍ଲୁ ବି-୦୨୦ଜି ୬୭୩୨ ସହ ବୋଲେରୋ ନଂ ଓଡି-୩୩-ଡବ୍ଲୁ-୩୬୯୦ ଉପରେ ଚଢ଼ଉ କରାଯାଇଥିଲା । ଯାଂଚ୍ ବେଳେ ଗାଡିରୁ ୧୮୧ ପ୍ୟାକେଟରେ ଥିବା ୯୩୭.୨୦୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏହି ଟ୍ରକଟି ପଶ୍ଚିମବଙ୍ଗର ହୋଇଥିବା ବେଳେ ବୋଲେରୋ ଓଡିଶାର ବୋଲି ଜଣାଯାଇଛି । ପୋଲିସ ଲକ୍ଷାଧିକ ଟଙ୍କା ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲା । ଗିରଫ ଅଭିଯୁକ୍ତ ଠାରୁ ପୋଲିସ ୭ଟି ମୋବାଇଲ, ୩ ଲକ୍ଷ୧୦ ହଜାର ଟଙ୍କା, ସହ ଚାଲାଣରେ ବ୍ୟବହୃତ ହେଉଥିବା ଟ୍ରକ ଓ ବଲେରୋକୁ ସଦର ପୋଲିସ ଜବତ କରିଥିଲା। ତେବେ କେଉଁ ଆକାଉଣ୍ଟରୁ ଏହି ଅର୍ଥ ଦେଣନେଣ ହୋଇଛି ତାହାର ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/ganjei-accout-freze.jpg)