ବ୍ରହ୍ମପୁର : ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳ ଶ୍ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଂଜେଇ ମଧ୍ୟ ଚୋରା ଚାଲାଣ ହେଉଛି। ଏକ ଟ୍ରକ୍ରେ ସୁରତକୁ ଗଂଜେଇ ଚାଲାଣ ବେଳେ ଧରିଛି ସୁରତ କ୍ରାଇମ୍ବ୍ରାଞ୍ଚ୍। ଟ୍ରକ୍ ଡ୍ରାଇଭର୍ଙ୍କ କ୍ୟାବିନ୍ ପଛପଟେ ଗୁପ୍ତ ଚାମ୍ବର୍ କରି ଚାଲାଣ ହେଉଥିଲା ୫୬୪ କେଜି ଗଂଜେଇ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୬ଲକ୍ଷ ଟଙ୍କା ହେବ । ଏହି ରାକେଟ୍ର ଚେର ଗଞ୍ଜାମ ଜିଲ୍ଲାକୁ ଲମ୍ବିଥିବା ଜଣାପଡ଼ିଛି। ସୁରତ କ୍ରାଇମ୍ବ୍ରାଞ୍ଚ୍ ୩ଜଣ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମର ଆସିକା ଅଞ୍ଚଳର ମିଥୁନ ସ୍ବାଇଁ, ଟୁକୁନା ଗୌଡ଼ ଓ ବସନ୍ତ ସ୍ବାଇଁ। ତେବେ ଏହି ରାକେଟ୍ର ମାଷ୍ଟର୍ମାଇଣ୍ଡ୍ ତଥା ଗଂଜେଇ ମାଫିଆ ଦିଲ୍ଲୀପ ଗୌଡ଼ ଫେରାର୍ ଥିବା ସୁରତ କ୍ରାଇମ୍ବ୍ରାଞ୍ଚ ଗଣମାଧ୍ୟମକୁ ସୂଚନା ଦେଇଛି।
ଦିଲ୍ଲୀପ ସୁରତର ପାଣ୍ଡେସରା ଅଞ୍ଚଳରେ ରହୁଥିବା ବେଳେ କିଛିଦିନ ହେଲା ଓଡ଼ିଶା ଆସିଥିବା ପୁଲିସ ଅନ୍ୟ ଅଭିଯୁକ୍ତଙ୍କୁ ଜେରା ବେଳେ ଜାଣିବାକୁ ପାଇଛି। ଦିଲ୍ଲୀପ ଗଞ୍ଜାମରେ ଲୁଚିଥିବା ନେଇ ସୁରତ କ୍ରାଇମ୍ବ୍ରାଞ୍ଚ୍ ସନ୍ଦେହ କରୁଛି। ସୁରତ ପୁଲିସ ଗଞ୍ଜାମ ଆସିବ ବୋଲି ଜଣାପଡ଼ିଛି।
ସୁରତ କ୍ରାଇମ୍ବ୍ରାଞ୍ଚ ଟିମ୍ କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ସଂଧ୍ୟାରେ ପୁନେ-ସରୋଲି ରାସ୍ତାରେ ଚଢ଼ଉ କରି ଏକ ଟ୍ରକ୍କୁ ସନ୍ଦେହରେ ଅଟକ ରଖିଥିଲା। ଯାଞ୍ଚ୍ ପରେ ଡ୍ରାଇଭର୍ ସିଟ୍ ପଛପଟେ କରା ଯାଇଥିବା ଏକ ଗୁପ୍ତ ଚାମ୍ବର୍ରୁ ବିପୁଳ ୧୫ଟି ପ୍ଲାଷ୍ଟିକ୍ ବ୍ୟାଗ୍ରେ ପ୍ୟାକିଂ ଗଂଜେଇ ଜବତ ହୋଇଥିଲା। ପୁଲିସ ଡ୍ରାଇଭର୍ ସମେତ ୩ଜଣଙ୍କୁ ଗିରଫ କରିଥିଲା। ଜେରା ବେଳେ ଜଣାପଡ଼ିଛି ଯେ ଗଂଜେଇ ମାଫିଆ ଦିଲୀପ ପ୍ରଥମେ ମିଥୁନକୁ ଯୋଗାଯୋଗ କରି ଟ୍ରକ୍ ଦେଇଥିଲା। ମିଥୁନ ଟ୍ରକ୍ରେ ଗୁପ୍ତ ଚାମ୍ବର କରି ଗଂଜେଇ ଧରି ଅନ୍ୟ ଦୁଇ ସହଯୋଗୀଙ୍କ ସହିତ ଆସିକାରୁ ସୁରତ ବାହାରିଥିଲା। ଏଥିପାଇଁ ଦିଲୀପ ମିଥୁନକୁ ୮୦ହଜାର ଟଙ୍କା ଦେଇଥିଲା। ମିଥୁନ ସେହି ଟ୍ରକ୍କୁ ପାଣ୍ଡେସରାରେ ଜଣେ ବ୍ୟକ୍ତିଙ୍କୁ ଦେଇଥାନ୍ତା। କିନ୍ତୁ ଏହା ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ସେମାନଙ୍କୁ ମାଡ଼ି ବସିଥିଲା।
ଲକ୍ଡାଉନ୍, ସଟ୍ଡାଉନ୍ ପାଇଁ ଟ୍ରେନ୍ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଚାଲାଣକାରୀ ବିଭିନ୍ନ ଗାଡ଼ିରେ ଏବେ ଗଂଜେଇ ଚାଲାଣ କରୁଛନ୍ତି। ଅନ୍ୟ ରାଜ୍ୟରେ ଗଂଜେଇ ମିଳୁ ନଥିବାରୁ ମାଫିଆମାନେ ଓଡ଼ିଶାରୁ ଏଭଳି ବିଭିନ୍ନ ଉପାୟ କରି ସେଠାକୁ ଗଂଜେଇ ପଠାଉଛନ୍ତି ବୋଲି ପୁଲିସ ତଦନ୍ତରେ ଜାଣିବାକୁ ପାଇଛି।