ମାସକ ପରେ ଦ୍ୱିତୀୟ ସ୍ଥାନକୁ ଖସିଲା ଗଞ୍ଜାମ, ସୁସ୍ଥରେ ବି ରେକର୍ଡ଼

ଆଜି ୩ ମୃତ, ୨୭୯ ସଂକ୍ରମିତ, ଦିନକରେ ୭ଶହ ସୁସ୍ଥ, ସଂଖ୍ୟା ୧୨ହଜାର ପାର୍

ବ୍ରହ୍ମପୁର : କରୋନା ମହାମାରୀ ସହ ଲଢ଼ୁଛି ସାରା ରାଜ୍ୟ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୯୮ ଏବଂ ଗଞ୍ଜାମରୁ ୨୭୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩ ମାସ ଧରି କରୋନା ଗଞ୍ଜାମରେ ବିତ୍ପାତ ଚଳାଇଆସିଛି। ଏହି ସମୟ ମଧ୍ୟରେ ଜୁଲାଇ ମାସରେ ରାଜ୍ୟର ସର୍ବାଧିକ ପଜିଟିଭ୍ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ହେଲେ ଆଜି ପ୍ରାୟ ୧ମାସର ବ୍ୟବଧାନ ପରେ କରୋନା ପଜିଟିଭ୍‌ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ଦ୍ବିତୀୟ ସ୍ଥାନକୁ ଖସିଥିବା ବେଳେ ଖୋର୍ଦ୍ଧା ପ୍ରଥମ ସ୍ଥାନକୁ ଯାଇଛି। ଫଳରେ ଗଞ୍ଜାମରେ କରୋନା ସଂକ୍ରମଣରେ ସୁଧାର ଆସୁଥିବା କୁହାଯାଉଛି। ଏଥିସହ ଗଞ୍ଜାମ ଆଜି ଏକ ରେକର୍ଡ ସୃ‌ଷ୍ଟି କରିଛି। ଦିନକରେ ରାଜ୍ୟରେ ୧୮୧୦ଜଣ ସୁସ୍ଥ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାର ୭ଶହ ସୁସ୍ଥ ହୋଇଛନ୍ତି। ଗୋଟିଏପଟେ କରୋନା ସଂକ୍ରମଣ ହ୍ରାସ ଓ ଅଧିକ ସଂଖ୍ୟକ ସଂକ୍ରମିତ ସୁସ୍ଥ ହେବା କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପାଇଁ ବଡ଼ ବଳ ବୋଲି କୁହାଯାଉଛି।

ଗଞ୍ଜାମ ଜିଲ୍ଲାରେ ଆଜି ୨୭୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ୨୭ ଜଣ, ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ଜଣେ ଏବଂ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୫୧ ଜଣ ରହିଛନ୍ତି। ସଂକ୍ରମିତ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ବେଲଗୁଣ୍ଠାର ୪ଜଣ, ବ୍ରହ୍ମପୁର ମହାନଗରର ୬ଜଣ, ଭଞ୍ଜନଗର ଓ ପୋଲସରାର ୨ଜଣ ଲେଖାଏଁ, ଛତ୍ରପୁର ଓ ଖଲ୍ଲିକୋଟର ଜଣେ ଲେଖାଏଁ, ଚିକିଟି ଓ ସୋରଡ଼ାର ୩ଜଣ ଲେଖାଏଁ ଓ ରଙ୍ଗେଇଲୁଣ୍ଡାର ୫ଜଣ ରହିଛନ୍ତି। ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ବେଲଗୁଣ୍ଠାର ଜଣେ ରହିଛନ୍ତି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା, ଗଞ୍ଜାମ ଓ ବୁଗୁଡ଼ାର ୨ଜଣ ଲେଖାଏଁ, ବେଲଗୁଣ୍ଠାର ୨୫ଜଣ, ବ୍ରହ୍ମପୁର ମହାନଗରର ୩୨ଜଣ, ଭଞ୍ଜନଗରର ୧୫ଜଣ, ଛତ୍ରପୁରର ୨୦ଜଣ, ଚିକିଟିର ୧୬ଜଣ, ଦିଗପହଣ୍ଡିର ୮ଜଣ, ହିଞ୍ଜିଳିକାଟୁର ଜଣେ, ଜଗନ୍ନାଥପ୍ରସାଦ, ପୋଲସରା ଓ କବିସୂର୍ଯ୍ୟନଗରର ୩ଜଣ ଲେଖାଏଁ, ଖଲ୍ଲିକୋଟର ୧୭ଜଣ, କୁକୁଡ଼ାଖଣ୍ଡିର ୬ଜଣ, ପାତ୍ରପୁରର ୧୫ଜଣ, ପୁରୁଷୋତ୍ତମପୁରର ୨୩ଜଣ, ରଙ୍ଗେଇଲୁଣ୍ଡାର ୧୯ଜଣ, ସାନଖେମୁଣ୍ଡିର ୨୨ଜଣ, ଶେରଗଡ଼ ଓ ସୋରଡ଼ାର ୫ଜଣ ଲେଖାଏଁ ରହିଛନ୍ତି। ଅନ୍ୟାନ୍ୟ ଅଞ୍ଚଳର ୭ଜଣ ରହିଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ମୃତ୍ୟୁହାରରେ ବିଶେଷ ସୁଧାର ଆସିପାରିନାହିଁ। ଚଳିତ ମାସରେ ୭ ଦିନ ମଧ୍ୟରେ ଜିଲ୍ଲାରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଗତ ୨୪ଘଣ୍ଟା ମଧ୍ୟରେ ୩ ଜଣ ପ୍ରାଣ ହରାଇଛନ୍ତି। କୋଭିଡ୍‌ରେ ମୃତକଙ୍କ ମଧ୍ୟରେ ଉଚ୍ଚରକ୍ତଚାପରେ ପୀଡ଼ିତ ଜଣେ ୬୨ ବର୍ଷୀୟ ବୃଦ୍ଧ, ମଧୁମେହ ରୋଗରେ ପୀଡ଼ିତ ଜଣେ ୫୦ ବର୍ଷୀୟ ପୁରୁଷ ଓ ଜଣେ ୫୨ବର୍ଷୀୟ ପୁରୁଷ ଅଛନ୍ତି। ଅଣକୋଭିଡ଼୍‌ରେ ଏକାଧିକ ରୋଗରେ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୩୧ରେ ପହଞ୍ଚିଛି। ଏଥିରୁ କୋଭିଡ୍‌ରେ ୧୨୩ ଜଣ ଓ ଅଣକୋଭିଡ୍‌ରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ହଜାର ୩୫୯ରେ ପହଞ୍ଚିଛି। ସମୁଦାୟ ସୁସ୍ଥ ସଂଖ୍ୟା ୯ହଜାର ପାର ହୋଇ ୯୬୧୧ରେ ପହଞ୍ଚିଛି। ଜିଲ୍ଲାରେ ୨୬୨୫ଜଣ ସଂକ୍ରମିତ ରହିଛନ୍ତି।

ସମ୍ବନ୍ଧିତ ଖବର