ଗଞ୍ଜାମ: ୩ ବର୍ଷରେ ୧୧୪୧ ଶିଶୁଙ୍କୁ ଅପପୁଷ୍ଟି

୩ ଏନ୍‌ଏଆର୍‌ସିରେ ଚିକିତ୍ସା ପରେ ୮୮୩ ସୁସ୍ଥ, ଜିଲ୍ଲାରେ ପୁଷ୍ଟିକର ଖାଦ୍ୟ ଅଭାବ

ବ୍ରହ୍ମପୁର: ଗଞ୍ଜାମରେ ଶିଶୁଙ୍କୁ ମିଳୁ ନାହିଁ ପୁଷ୍ଟିକର ଖାଦ୍ୟ। ଏ କଥା ‌କାହାରି ଅଭିଯୋଗ ନୁହେଁ, ବରଂ ବୟାନ କରୁଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ରେକର୍ଡ଼। ବିଶେଷକରି ବସ୍ତି ଓ ଦୁର୍ଗମ ଇଲାକାରେ ରହୁଥିବା ଶିଶୁମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ଶିଶୁମାନେ ଦୁଇଓଳା ଭଲ ଖାଦ୍ୟ ମୁଠାଏ ପାଇପାରୁ ନାହାନ୍ତି। ଫଳରେ ପ୍ରତିବର୍ଷ ଶହ ଶହ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ଗତ ୩ବର୍ଷ ମଧ୍ୟରେ ୧୧୪୧ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରକାଶ। ଏହା ସରକାରୀ ତଥ୍ୟ ହୋଇଥିବାବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଢେର‌୍ ଅଧିକ।

ଶିଶୁ ଓ ମା’ର ସୁରକ୍ଷା ପାଇ ସରକାର ନାନା ଯୋଜନା କରିଛନ୍ତି। ଗର୍ଭଧାରଣ ଠାରୁ ଜନ୍ମ ପରେ ୫ବର୍ଷ ପର୍ଯ୍ୟନ୍ତ ଶିଶୁ ପାଇଁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ଏହି ସବୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଶିଶୁମାନେ କିପରି ପୁଷ୍ଟିକର ଖାଦ୍ୟ ପାଇବେ ସେଥିପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ବିଭିନ୍ନ ସମୟରେ ଏ ଦିଗରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। କିନ୍ତୁ ବିଭିନ୍ନ କାରଣରୁ ଅପପୁଷ୍ଟିକୁ ମୂଳପୋଛ କରାଯାଇ ପାରିନାହିଁ।

ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ଶହ ଶହ ଅପପୁଷ୍ଟି ଶିକାର ଶିଶୁ ଚିହ୍ନଟ ହେଉଛନ୍ତି। ଏଭଳି ଶିଶୁଙ୍କ ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାରେ ୩ଟି ଏନ୍‌ଆର୍‌ସି(ପୁଷ୍ଟିକର ପୁନର୍ବାସ କେନ୍ଦ୍ର) ରହିଛି। ବ୍ରହ୍ମପୁର ସିଟି ହସ୍ପିଟାଲ୍‌, ଭଞ୍ଜନଗର ଓ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଏହି କେନ୍ଦ୍ର ରହିଛି। ଏଠାରେ ଅପପୁଷ୍ଟି ଶିକାର ହୋଇଥିବା ଶିଶୁଙ୍କୁ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଥାଏ। ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ, ନଚେତ ଶିଶୁକୁ ଆଡ୍‌ମିଟ୍‌ କଲା ସମୟରେ ଥିବା ଓଜନ ୧୫ ପ୍ରତିଶତ ବଢ଼ିବା ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିଥା’ନ୍ତି।

ଗୋଟିଏ ଶିଶୁ ଅତି କମ୍‌ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏନ୍ଆର୍‌ସିରେ ଚିକିତ୍ସିତ ହୋଇଥାଏ। ଏଠାରେ ୬ମାସ ଠାରୁ ଆରମ୍ଭ କରି ୫ବର୍ଷ ପର୍ଯ୍ୟନ୍ତ ଶିଶୁ ଚିକିତ୍ସିତ ହୁଅନ୍ତି। ୨୦୧୯ରେ ଜିଲ୍ଲାରେ ମୋଟ ୪୫୦ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବାବେଳେ ୨୦୨୦ରେ ୩୨୬ ଓ ୨୦୨୧ରେ ୩୬୫ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ସେହିପରି ଚିକିତ୍ସା ପରେ ୨୦୧୯ରେ ୩୮୧ ଶିଶୁ ସୁସ୍ଥ ହୋଇଥିବା ବେଳେ ୨୦୨୦ରେ ୨୧୯ ଓ ୨୦୨୧ରେ ୨୮୩ ଶିଶୁ ସୁସ୍ଥ ହୋଇ ଏନ୍‌ଆର୍‌ସିରୁ ଡିସ୍‌ଚାର୍ଜ ହୋଇଛନ୍ତି।

ଜିଲ୍ଲାରେ ଗତ ୩ବର୍ଷରେ ମୋଟ ୧୧୪୨ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ୮୮୩ ସୁସ୍ଥ ହୋଇ ସାରିଛନ୍ତି। ‌େତବେ, ଏତେ ସଂଖ୍ୟକ ଶିଶୁ ଅପପୁଷ୍ଟି ହେବା ଘଟଣା ସରକାରୀ ଯୋଜନା କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି।

ଛୋଟ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ପିଲାମାନଙ୍କୁ ଛତୁଆ, ଅଣ୍ଡା ସହିତ ପୁଷ୍ଟିକର ରନ୍ଧାଖାଦ୍ୟ ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି। ହେଲେ ଏହି ପୁଷ୍ଟିକର ଖାଦ୍ୟ ସବୁ ପିଲାଙ୍କ ନିକଟରେ ପହଞ୍ଚି ପାରୁ ନଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରମାଣ ମିଳୁଛି। ଫଳରେ ଶିଶୁ ଅପପୁଷ୍ଟି ସମସ୍ୟା ବଢୁଛି, ଯାହାକି ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର