ଜିଲ୍ଲା ପରିଷଦ ସଭାପତି: ଗଞ୍ଜାମରେ ଗଣତି ସରିନି, ଗଣିତ ଆରମ୍ଭ

ବ୍ରହ୍ମପୁର/ଫୁଲବାଣୀ/ପାରଳାଖେମୁଣ୍ଡି : ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାର ଜିଲ୍ଲା ପରିଷଦ କ୍ଷମତା ଶାସକ ବିଜେଡି କବ୍‌ଜାକୁ ଚାଲିଗଲାଣି। ତିନି ଜିଲ୍ଲାରେ ଦଳ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ପାଇସାରିଥିବା ବେଳେ ଗଣତି ସରିବା ଆଗରୁ ସଭାପତି ଆସନ ପାଇଁ ଅଙ୍କକଷା ବେଶ୍‌ ରୋଚକ ମୋଡ଼ରେ ରହିଛି। ତେବେ, ଗଞ୍ଜାମରେ କ୍ଲିନ୍‌ ସ୍ବିପ୍‌ ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ଇସାରାକୁ ଅପେକ୍ଷା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ୬୯ ଜୋନ୍‌। ଦୁଇ ପର୍ଯ୍ୟାୟରେ ୪୪ ଜୋନ୍‌ର ଗଣତି ସରିଥିଲା। ଏଥିରୁ ୪୩ ବିଜେଡି ସପକ୍ଷରେ ଯାଇଥିଲା ବେଳେ ବିଜେପି ମୁଣିରେ ଗୋଟିଏ ପଡ଼ିଛି। ଆଜି ତୃତୀୟ ପର୍ଯ୍ୟାୟରେ ଏକାବେଳେ ବଳକା ୨୫ ଜୋନ୍‌ର ଗଣତି ଚାଲିଛି। ଏଥିରୁ ମଧ୍ୟ ପ୍ରାୟତଃ ୨୪ ଜୋନ୍‌ ବିଜେଡି କବ୍‌ଜା କରିବା ସ୍ପଷ୍ଟ ହୋଇସାରିଛି। କିନ୍ତୁ ଗଣତି ସରି ନଥିବା ବେଳେ ଗତକାଲି ଠାରୁ ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ଦଳ ଭିତରେ ରେସ୍‌ ଆରମ୍ଭ ହୋଇଯାଇଛି। ସଭାପତି ଚୟନରେ କେଉଁ ବିଧାୟକ ବା ନିର୍ବାଚନମଣ୍ଡଳୀକୁ ଗୁରୁତ୍ବ ଦିଆଯିବ, ସେ ନେଇ ସମସ୍ତେ ସନ୍ଦେହରେ। ଏହା ସବୁଥର ଭଳି ଦଳ ସୁପ୍ର‌ିମୋଙ୍କ ଇସାରା ଉପରେ ନିର୍ଭର କରୁଛି। ଏଥର ଜିଲ୍ଲା ପରିଷଦ ସଭାପତି ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ପାଳି ଥିବାରୁ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୁକୁଟ ପିନ୍ଧିବ ତାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି।

ଏଣେ ଗଜପତିରେ ୧୪ରୁ ୧୧ ଜୋନ୍‌ ହାତେଇ ବିଜେଡି କ୍ଷମତା ସିଲ୍‌ କରିସାରିଛି, କେବଳ ଔପଚାରିକତା ବାକି। ଏଠାରେ ଦଳକୁ ନୂଆ ରାହା ଦେଇଥିବା ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ବରେ ବିଜେଡି ଜିଲ୍ଲାର ଦୁଇ ଅଣବିଜେଡି ବିଧାୟକଙ୍କୁ ଝଟ୍‌କା ଦେଇ ସଫଳତା ହାସଲ କରିଛି। ଏଣୁ ସଭାପତି ଚୟନରେ ତିରୁପତିଙ୍କ ନିର୍ବାଚନମଣ୍ଡଳୀ ପାରଳାଖେମୁଣ୍ଡିକୁ ଏଥର ଗୁରୁତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ମୋହନା ନିର୍ବାଚନମଣ୍ଡଳୀରେ କଂଗ୍ରେସ ବିଧାୟକ ଥିବା ସତ୍ତ୍ବେ ସର୍ବାଧିକ ବ୍ୟବଧାନରେ ଜିତି ସଭାପତି ପଦ ଲାଗି ପ୍ରମୁଖ ଦାବିଦାର୍‌ ଅଛନ୍ତି ଚନ୍ଦ୍ରଗିରି ଜୋନ୍‌ ୧୦ର ବିଜୟୀ ସୁନୀଲ ବିଷୋୟୀ।

ସେଭଳି କନ୍ଧମାଳ ଜିଲ୍ଲାରେ ୧୮ଟି ଜୋନ୍‌ରୁ ବିଜେଡି ୧୩ଟି ଜୋନ୍‌ ହାତେଇ ଜିଲ୍ଲା ପରିଷଦ ଗଠନ ପାଇଁ ଆଗୁଆ ଦାବିଦାର୍‌ ହୋଇସାରିଛି। ଜିଲ୍ଲା ପରିଷଦ ସଭାପତି ଆସନ ଏଥର ଅନୂସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଆଗ ଧାଡ଼ିର ଦାବିଦାର୍‌ ଅଛନ୍ତି ଜୟଶ୍ରୀ କହଁର, ନନ୍ଦିନୀ ମଳିକ ଓ ଚନ୍ଦ୍ରମା ମଳିକ। ନନ୍ଦିନୀ ପ୍ରଥମ ପସନ୍ଦ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ସେପଟେ ଫିରିଙ୍ଗଆରୁ ଜୟଶ୍ରୀ ମଧ୍ୟ ଏହି ପଦ ଲାଗି ବଡ଼ ଦାବିଦାର୍‌ ଭାବେ ଉଭା ହୋଇଛନ୍ତି।

ସମ୍ବନ୍ଧିତ ଖବର