ଗଞ୍ଜାମରେ ଚାଷ ପାଇଁ ପାଗ ଅନୁକୂଳ : ଚାଷୀ ଚାହୁଥିବା ବିହନ ମିଳୁନି

ବ୍ରହ୍ମପୁର : ଅନୁକୂଳ ପାଗ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଚାଷ କାର୍ଯ୍ୟ ଏବେ ସୁରୁଖୁରୁରେ ଚାଲିଛି। ଚାଷୀ ତଳି କା ଓ ଧାନବୁଣା ଆରମ୍ଭ କରିଛି। ଚାଷୀ ନିକଟରେ ବିହନ ବି ପ୍ରାୟ ପହଞ୍ଚି ସାରିଛି। ତେବେ, ଚାହୁଥିବା ବିହନ ଚାଷୀଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି।

ଚଳିତ ଖରିଫ୍‌ରେ ଜିଲ୍ଲାରେ ୪ଲକ୍ଷ ୮ହଜାର ୮୧୩ ହେକ୍ଟର ଜମିରେ ଫସଲ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏଥିମଧ୍ୟରୁ ୨ଲକ୍ଷ ୯୩ହଜାର ୭୮୦ ହେକ୍ଟରରେ ଧାନ ଜାତୀୟ ଫସଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ୨ଲକ୍ଷ ୧୫ହଜାର ହେକ୍ଟରରେ କେବଳ ଧାନ ହେବ। ଗଞ୍ଜାମରେ ୮୦ ପ୍ରତିଶତ ଜମିରେ ଧାନ ରୁଆ ହେଉଥିବାବେଳେ ୨୦ ପ୍ରତିଶତ ଜମିରେ ବୁଣା ଯାଇଥାଏ। ଜିଲ୍ଲାର ୬୭୭୮ ହେକ୍ଟର ଜମିରେ ଧାନ ବୁଣା ସରିଛି। ଏଥିସହ ୧୯୧୨ ହେକ୍ଟର ଜମିରେ ରୁଆ ଲାଗି ଧାନ ତଳି ପକା ଯାଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଚଳିତବର୍ଷ ଜିଲ୍ଲାରେ ୫୨ହଜାର ୧୫୫ କ୍ବିଣ୍ଟାଲ ଧାନ ବିହନର ଚାହିଦା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୫ ହାଜର ୯୯୧ କ୍ବିଣ୍ଟାଲ ବିହନ ଆସିଛି। ୩୫୦ଟି ସୋସାଇଟି ଏବଂ ୧୪୪ଟି ପ୍ରାଇଭେଟ୍‌ ଡିଲର୍‌ଙ୍କୁ ବିହନ ବିକ୍ରି ଦାୟିତ୍ବ ଦିଆଯାଇଛି। ସେଥିରୁ ୮୦ ପ୍ରତିଶତ ବିହନ ଚାଷୀଙ୍କୁ ବିକ୍ରି ସରିଲାଣି। ବାକି ବିହନ ଖୁବଶୀଘ୍ର ପହଞ୍ଚିବ ବୋଲି କୃଷି ବିଭାଗ କହିଛି। ତେବେ ଚାଷୀଙ୍କ ଅଭିଯୋଗ ହେଲା ସ୍ବର୍ଣ୍ଣ, ପୂଜା ଭଳି ବିହନ ‌ସୋସାଇଟିରେ ପର୍ଯ୍ୟାପ୍ତ ମିଳୁନାହିଁ। ଚାଷୀ ଚାହୁଁଥିବା ବିହନ ପ୍ରାଇଭେଟ୍‌ ଡିଲର୍‌କୁ ଦିଆଯାଉଛି। ଫଳରେ ଡିଲର୍‌ ମାନେ ବିହନ କଳାବଜାରକୁ ପ୍ରୋତ୍ସାହିତ କରୁଛନ୍ତି। କିନ୍ତୁ କୃଷି ବିଭାଗର କହିବା କଥା, ଚଳିତ ବର୍ଷ ୧୩ହଜାର ୩ଶହ କ୍ବିଣ୍ଟାଲ ପୂଜା ଧାନ ଚାଷୀଙ୍କୁ ଯୋଗାଇବା ଲାଗି ଟାର୍ଗେଟ ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୯ହଜାର ୪୮୯କ୍ବିଣ୍ଟାଲ ଦିଆଗଲାଣି। ସେହିପରି ୧୨ହଜାର ୫ଶହ କ୍ବିଣ୍ଟାଲ ସ୍ବର୍ଣ୍ଣ ଧାନ ଦେବାକୁ ଟାର୍ଗେଟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ହଜାର ୮ଶହ କ୍ବିଣ୍ଟାଲ ଦିଆଯାଇଛି।

ସେହିପରି ଜିଲ୍ଲା ଲାଗି ୭୩ହଜାର ୪ଶହ ମେଟ୍ରିକ୍‌ ଟନ୍‌ ସାର ଦରକାର। ପ୍ୟାକ୍ସ ଓ ପ୍ରାଇଭେଟ୍‌ ଡିଲର୍‌ ମିଶି ୭୮୭ ଜଣଙ୍କୁ ସାର ବିକ୍ରି ଦାୟିତ୍ବ ଦିଆଯାଇଛି। ସାର ଟ୍ରେନ୍‌ ଯୋଗେ ଆସି ଜଗନ୍ନାଥପୁର ଷ୍ଟେସନରେ ଲାଗିବା ପରେ ବିଭିନ୍ନ ଡିଲର୍‌ଙ୍କ ପାଖକୁ ପଠା ଯାଇଥାଏ। ଚଳିତ ବର୍ଷ କରୋନାକୁ ନେଇ ସବୁ କିଛି ବିଗିଡ଼ି ଯାଇଛି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେସନ୍‌ରେ ଲାଗୁଥିବାରୁ ସାର ରେକ୍‌ ଲାଗିପାରୁ ନ ଥିଲା। ବର୍ତ୍ତମାନ ସାର ଆସିବା ସ୍ବାଭବିକ ହେବ ବୋଲି କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି। ଜିଲ୍ଲା ପାଇଁ ଆବଶ୍ୟକ ସାରର ସିଂହ ଭାଗ ୟୁରିଆ ସାର ଜିଲ୍ଲା ପାଇଁ ଦରକାର। ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୧୭ହଜାରର ଏମ୍‌ଟି ସାର ଆସିଛି। ଜିଲ୍ଲାକୁ ଏ ଯାଏ ପର୍ଯ୍ୟାପ୍ତ ସାର ଆସି ନ ଥିବାରୁ ସମସ୍ୟା ସୃ‌ଷ୍ଟି ହେବାର ଆଶଙ୍କା ରହିଛି।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାଶୀନାଥ ଖୁଣ୍ଟିଆ କହିଛନ୍ତି, ‘ ବିହନ ଚାଷୀଙ୍କ ପାଖରେ ପହଞ୍ଚି ସହିତ ଚାଷୀ ତଳି ଓ ବୁଣା କାମ ଆରମ୍ଭ କଲେଣି। ବର୍ତ୍ତମାନ ସାର ଆସିବା ଆରମ୍ଭ ହୋଇଛି। ଠିକଣା ସମୟ ମଧ୍ୟରେ ବାକି ସାର ଆସିଯିବ ବୋଲି ଆଶା ରହିଛି। ବର୍ତ୍ତମାନ ସାର ଓ ବହିନର କଳାବଜାରୀ ରୋକିବା ଲାଗି ୪ଜଣ ଅଧିକାରୀଙ୍କୁ ନେଇ ଜିଲ୍ଲାସ୍ତରରେ ଏକ ସ୍କ୍ବାଡ୍‌ ଗଠନ କରାଯାଇଛି।’

ସମ୍ବନ୍ଧିତ ଖବର