କରୋନା ସନ୍ଦିଗ୍ଧ ବ୍ଲକ୍ ଉପାଧ୍ୟକ୍ଷଙ୍କ ମୃତ୍ୟୁ : ପରିବାରକୁ ଶବ ଦେଲେନି, କୋଭିଡ୍‌ ହସ୍‌ପିଟାଲ୍‌ ଦାହ

ଧରାକୋଟ : ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆଇସୋଲେସନ୍‌ ୱାର୍ଡ଼ରେ ଗୁରୁବାର ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଉପାଧ୍ୟକ୍ଷ ଭଗବାନ ସ୍ବାଇଁ(୭୮)ଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ଆଜି ସରକାରଙ୍କ ଗାଇଡ଼୍‌ଲାଇନ୍‌ ଅନୁସାରେ ତାଙ୍କର ଶବକୁ ଶୀତଳାପଲ୍ଲୀ କୋଭିଡ଼୍‌ ହସ୍‌ପିଟାଲରେ ସତ୍କାର କରା ଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ୮ ଦିନ ପୂର୍ବେ ଭଗବାନଙ୍କୁ ଜ୍ବର ହେବା ସହ ଅସୁସ୍ଥତା ଅନୁଭବ କରିଥିଲେ। ୨୩ ତାରିଖ ଦିନ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ସ୍ବାବ୍ ପରୀକ୍ଷା କରା ଯାଇଥିବାବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ତାଙ୍କ ପୁଅ ତ୍ରିବିକ୍ରମ ସ୍ବାଇଁ କହିଛନ୍ତି। ତେବେ ସେ ଦୀର୍ଘ ଦିନଧରି ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଗତକାଲି ତାଙ୍କର ମୃତ୍ୟୁ ପରେ ସ୍ବାବ୍‌ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରା ଯାଇଥିଲା। ଏଥିପାଇଁ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରା ନଯାଇ ସଂରକ୍ଷିତ ରଖା ଯାଇଥିଲା। ଭଗବାନ ଧରାକୋଟ ବ୍ଲକ୍ ଜାହାଡ଼ା ଗ୍ରାମର ମୂଳ ବାସିନ୍ଦା ହୋଇଥିବାବେଳେ ଜାହାଡ଼ା ପଞ୍ଚାୟତର ୨ଥର ସରପଞ୍ଚ, ୨ଥର ସମିତିସଭ୍ୟ ଓ ୨ଥର ଜାହାଡ଼ା ସେବା ସମବାୟ ସମିତିର ସଭାପତି ଦାୟିତ୍ବ ତୁଲାଇଥିଲେ। ବର୍ତ୍ତମାନ ସେ ଧରାକୋଟ ବ୍ଲକ୍‌ ଉପାଧ୍ୟକ୍ଷ ଥିଲେ। ଭଲ ମଣିଷ ଓ ସଫଳ ରାଜନେତା ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖ୍ୟାତି ରହିଥିଲା।

ସମ୍ବନ୍ଧିତ ଖବର