ଗଞ୍ଜାମ ସଙ୍ଗିନ, କରୋନାରେ ଆଉ ଦୁଇ ମୃତ

ଦିନକରେ ୨୪୫ ଚିହ୍ନଟ, ୨୦୩ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ବିଗିଡ଼ାବାକୁ ବସିଛି। ଜୁନ୍ ମାସ ରାଜ୍ୟ ପାଇଁ ଏକପ୍ରକାର ବିପଦ ଡାକି ଆଣିଛି। ଗତ ୩ଦିନ ହେବ ଲଗାତାର ଭାବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ଆଉ ୨ଜଣ ବ୍ୟକ୍ତି କରୋନାରେ ପ୍ରାଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଘୋଷଣା ହୋଇଛି।

ଗଞ୍ଜାମ ଜିଲ୍ଲାରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ୪୮ ଓ ୫୨ବର୍ଷ ରହିଛି। ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଯାହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି। ଗଞ୍ଜାମ‌ରେ କେବଳ ୧୨ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୪୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୨୧୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ସରକାରୀ ଭାବେ କୁହାଯାଇଛି। ଗଞ୍ଜାମରେ ୯୬ ରୋଗୀଙ୍କ ମଧ୍ୟରୁ ୧୮ଜଣ କରୋନା ଯୋଦ୍ଧା ରହିଛନ୍ତି। ଯାଜପୁର ୪୦, ଖୋର୍ଧା ୨୮, ବରଗଡ଼ ୧୦, ଜଗତସିଂହପୁର ୯, କେନ୍ଦ୍ରାପଡ଼ା ୮, ନବରଙ୍ଗପୁର, କଟକ ଓ ଗଜପତିରେ ୭ଜଣ ଲେଖାଏ, ସୁନ୍ଦରଗଡ଼ରୁ ୬, ମୟୂରଭଞ୍ଜ ୫, ନୟାଗଡ଼ ଓ ଢେଙ୍କାନାଳ ୩ଜଣ ଲେଖାଏ, ଭଦ୍ରକ, ବାଲେଶ୍ବର ଓ ଏନ୍‌ଡିଆରଏଫ୍‌ର ୨ଜଣ, ସୋନପୁର, ରାୟଗଡ଼ା, ଝାରସୁଗୁଡ଼ାରୁ ଜଣେ ଲେଖାଏ ସଂକ୍ରମିତ ବାହାରିଛନ୍ତି। ରାଜ୍ୟରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଛି।

ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ମଧ୍ୟରେ ଗଞ୍ଜାମ ଜିଲ୍ଲା ରହିଛି। ଏଠାରୁ ୧୩୬୭, ଖୋର୍ଧା ୮୧୪, କଟକ ୫୫୭, ଯାଜପୁର ୪୮୬, ଗଜପତି ୪୩୫, ବାଲେଶ୍ବର ୩୪୬, ଜଗତସିଂହପୁର ୨୮୧, ପୁରୀ ୨୫୫, କେନ୍ଦ୍ରାପଡ଼ା ଓ ପୁରୀ ୨୪୩, ଭଦ୍ରକ ୨୨୮, ମୟୂରଭଞ୍ଜ ୨୦୧, ସୁନ୍ଦରଗଡ଼ ୧୯୧, ‌କନ୍ଧମାଳ ୧୭୮, ବଲାଙ୍ଗୀର ୧୬୭, ନୟାଗଡ଼ ୧୪୩, କେନ୍ଦୁଝର ୧୩୯, ଝାରସୁଗୁଡ଼ା ୧୦୦ ରୋଗୀ ଚିହ୍ନଟ ହେଲେଣି।

The Verge

ଆଜି ୨୦୩ ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଏଥିରେ ଗଞ୍ଜାମର ସର୍ବାଧିକ ୬୦ଜଣ ଥିବା ବେଳେ ଗଜପତି ୨୦, ଖୋର୍ଧା ୧୯, କଟକ ୧୮, ଭଦ୍ରକ ୧୪, କେନ୍ଦୁଝର ୧୩, ନୟାଗଡ଼ ୧୨, ମୟୂରଭଞ୍ଜ ୧୦, ଯାଜପୁର ୯, ବାଲେଶ୍ବର ୮, କେନ୍ଦ୍ରାପଡ଼ା ୭, ଅନୁଗୁଳ ୪, ଢେଙ୍କାନାଳ ୩, ବଲାଙ୍ଗୀର ଓ ଜଗତସିଂହପୁରରୁ ୨ଜଣ ଲେଖାଏ, ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୯୪୫ ‌ରୋଗୀ ସୁସ୍ଥ ହୋଇ ସାରିଲେଣି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୬୦ହଜାର ୪୨୮ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩‌ ରହିଛି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୮୬ ଜଣଙ୍କୁ ପୃଥକବାସରେ ରଖାଯାଇଛି।

ସମ୍ବନ୍ଧିତ ଖବର