ବ୍ରହ୍ମପୁର : ସୁରତ ଫେରନ୍ତାଙ୍କୁ ନେଇ ଗାଁରେ ଉତ୍ତେଜନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅର୍ନ୍ତଗତ ବଡକୁଶସ୍ଥଳୀ ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ବେଗୁନିଆପଡ଼ା ଅଞ୍ଚଳର ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ରଖିବା ନିଷ୍ପତ୍ତିକୁ ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ଏହାକୁ ନେଇ ଆଜି ରାତିରେ ଉତ୍ତେଜନା ଦେଖାଦେବା ସହ ସୁରତ ଫେରନ୍ତାଙ୍କୁ ନେଇ ଆସିଥିବା ଏକ ବସ୍‌କୁ ଗ୍ରାମବାସୀ ଅଟକାଇଛନ୍ତି। ରାସ୍ତା ଉପରେ ପଥର ରଖି ଅବରୋଧ କରିବା ସହ ଧାରଣା ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା, ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଜଗନ୍ନାଥପୁର ଷ୍ଟେସନ୍‌ ଠାରେ ସୁରତରୁ ଆସିଥିବା ଏକ ଟ୍ରେନ୍ ପହଞ୍ଚିଥିଲା। ସେଥିରୁ ଓହ୍ଲାଇଥିବା ବେଗୁନିଆପଡ଼ା ଅଞ୍ଚଳର ୫୧ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍‌ ବଡ଼କୁଶସ୍ଥଳୀ ଗ୍ରାମ ଅଭିମୁଖେ ବାହାରି ଥିଲା। ସେଠାରେ ଥିବା ୧୬୪ ଶଯ୍ୟା ବିଶିଷ୍ଟ ଏକ ଘରୋଇ କମ୍ପ୍ୟୁଟର୍ ସେଣ୍ଟର୍‌ରେ ସେମାନଙ୍କୁ ରଖିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସେଠାରେ ବେଗୁନିଆପଡ଼ା ଅଞ୍ଚଳର ପ୍ରବାସୀଙ୍କୁ ରଖାଯାଇଥିବାରୁ ସ୍ଥାନୀୟ ଗ୍ରାମବାସୀ ପ୍ରତିବାଦ କରିଥିଲେ। ରାସ୍ତା ଉପରେ ପଥର ପକାଇ ବସ୍‌ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଗୋପାଳପୁର ଥାନା ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ସେମାନେଙ୍କ ଜିଦ୍‌ରେ ଅଟଳ ରହିଛନ୍ତି।

ଅନ୍ୟପକ୍ଷରେ ଭାବିନୀପୁର ନିକଟରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ଉକ୍ତ କେନ୍ଦ୍ରକୁ ପ୍ରବାସୀ ଓଡ଼ିଆ ନେଇ ଏକ ବସ୍‌ ଯାଇଥିବା ବେଳେ ସେଠାରେ ସ୍ଥାନୀୟ କିଛି ଲୋକ ବିରୋଧ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର