ସାମାଜିକ ସନ୍ତୁଳନ ବିଗାଡ଼ିଛି କରୋନା : ଆଉ ଜଣେ ମୃତକଙ୍କୁ ମିଳିଲାନି କାନ୍ଧ

କୁକୁଡ଼ାଖଣ୍ଡି : ଗଞ୍ଜାମରେ କରୋନା ଭୂତାଣୁ ସଂକ୍ରମଣ ଯେମିତି ବ୍ୟାପିବାରେ ଲାଗିଛି, ଗାଁ ଗାଁରେ ସାମାଜିକ ସନ୍ତୁଳନ ସେତିକି ବିଗିଡ଼ିବାରେ ଲାଗିଛି। କୁକୁଡାଖଣ୍ଡି ବ୍ଲକ୍‌ ବାଲିପଡ଼ା ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା ଏହା ପ୍ରମାଣିତ କରୁଛି। ଗାଁର କାମେଶ ସୁବୁଦ୍ଧି(୬୫) ନାମକ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ଘଟିଥିଲା। ଶବ ସତ୍କାର ନିମନ୍ତେ କାମେଶଙ୍କ ନାତି ସମସ୍ତଙ୍କୁ ନେ‌ହୁରା ହୋଇଥିଲେ ହେଁ ବନ୍ଧୁବାନ୍ଧବ, ସାହି ପଡ଼ିଶା ଲୋକେ କେହି କରୋନା ଭୟରେ ମୃତଦେହ ଶ୍ମଶାନକୁ ନେବାକୁ ଆସି ନ ଥିଲେ। ସ୍ଥାନୀୟ ତହସିଲଦାର ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ସରପଞ୍ଚଙ୍କୁ କୌଣସି ପ୍ରକାରେ ମୃତକଙ୍କ ଶବକୁ ସତ୍କାର ଲାଗି ଶ୍ମଶାନକୁ ନେବା ପାଇଁ ମନାଇଥିଲେ। କିନ୍ତୁ କୌଣସି ବ୍ୟକ୍ତି ଶବ ନେବାକୁ ରାଜି ହୋଇ ନ ଥିଲେ। ଶେଷରେ ତହସିଲଦାର ମହାପ୍ରୟାଣ ଗାଡ଼ିରେ ମୃତ ପୂରା ଶରୀରକୁ ଆବୃତ୍ତ କରି ଶବକୁ ନିଆ ଯାଇଥିଲା।

ଜିଲ୍ଲାରେ ଏଭଳି ଦୁଃଖଦାୟକ ଘଟଣା ବାରମ୍ବାର ଘଟିବାରେ ଲାଗିଛି। ୧୨ ଦିନ ତଳେ ମୃତ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ରାମଚନ୍ଦ୍ର ସୁବୁଦ୍ଧି କୌଣସି କାରଣବଶତଃ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ଣପୁର ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଶବଦାହ ସମ୍ପନ୍ନ କରିଥିବା ରାମଚନ୍ଦ୍ରଙ୍କ ଜ୍ୱାଇଁ ଅଶେଷ ପାତ୍ର କବିସୂର୍ଯ୍ୟନଗରରେ ପ୍ରାଣ ହରାଇଥିଲେ। ଏହି ଦୁଇ ଜଣଙ୍କ ମୃତ୍ୟୁ ପରେ ଆଜି କାମେଶଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପରିବାରର ୩ଜଣ ମୃତ୍ୟୁ ଯୋଗୁଁ ଲୋକେ ଭୟଭୀତ ହୋଇ ଶବ ସତ୍କାର କରିବାକୁ ନେଇ ନଥିବା କୁହାଯାଉଛି। ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁକୁ ନେଇ ବାଲିପଡ଼ା ଗ୍ରାମରେ ଭୟର ବାତାବରଣ ଲାଗି ରହିଛି। ହେଲେ ଏ ସମସ୍ତଙ୍କ ମୃତ୍ୟୁ କରୋନାଜନିତ ବୋଲି ପ୍ରଶାସନ ସ୍ପଷ୍ଟ କରି ନଥିଲେ ମଧ୍ୟ ଲୋକ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି।

ସମ୍ବନ୍ଧିତ ଖବର