ବ୍ରହ୍ମପୁର : ଗଞ୍ଜାମର ସ୍ଥିତି ଦୋହଲାଇ ଦେଇଛି କରୋନା। ଜିଲ୍ଲାରେ ଏହି ମହାମାରୀ ନିୟନ୍ତ୍ରଣକୁ ଆସିପାରୁନି, ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ଘଡ଼ିସନ୍ଧି ସମୟରେ ଜ୍ବର, କାଶ, ଥଣ୍ଡା ଭଳି ସାଧରଣ ରୋଗରେ ଉପଯୁକ୍ତ ଚିକିତ୍ସା ନ ପାଇ ଲୋକଙ୍କ ଜୀବନ ଯାଉଛି। ଋତୁ ବଦଳୁଥିବାରୁ ଜ୍ବର, ଥଣ୍ଡା ଆକ୍ରାନ୍ତଙ୍କ ସଂଖ୍ୟା ବି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଢ଼ିବାରେ ଲାଗିଛି। କିନ୍ତୁ ଗତ ୨୦ ଦିନ ମଧ୍ୟରେ ଜ୍ବର, ଥଣ୍ଡା ଓ କାଶରେ ଜିଲ୍ଲାର ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ଉଦ୍ବେଗର କାରଣ ହୋଇଛି। ଆଉ ଏହି ମୃତ୍ୟୁର ହିସାବ ପ୍ରଶାସନ ପାଖରେ ବି ନାହିଁ। ମରିଥିବା କୌଣସି ବ୍ୟକ୍ତିଙ୍କ ମେଡିକାଲରେ ତାଲିକା ବି ନାହିଁ। ସନ୍ଦିଗ୍ଧ କୋଭିଡ୍ ମୃତ୍ୟୁ ଗଣତିରେ ବି ଏମାନେ ଆସୁନାହାନ୍ତି।
ବର୍ତ୍ତମାନ କରୋନା ମହାମାରୀ ବ୍ୟାପିଥିବା ବେଳେ ଜ୍ବର, ଥଣ୍ଡା ହେବା କ୍ଷଣି ଲୋକେ ଭୟରେ ଥରୁଛନ୍ତି। କରୋନା ଭାବି ଜ୍ବର, ଥଣ୍ଡାକୁ ଲୁଚାଉଛନ୍ତି। ଔଷଧ ଦୋକାନ, କ୍ବାକ୍ଠାରୁ ଔଷଧ ଖାଇ ଜ୍ବର ଭଲ କରିବା ଲାଗି ଉଦ୍ୟମ କରୁଛନ୍ତି। ଶେଷରେ ଜ୍ବର, ଥଣ୍ଡା ଭୟଙ୍କର ରୂପ ନେଇ ଜୀବନ ନେଉଛି। ଅନ୍ୟପକ୍ଷରେ ଯେଉଁମାନେ ଚିକିତ୍ସା ଚାହୁଁଛନ୍ତି ତାଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରୁନି। ଫଳ ସ୍ବରୂପ ଜିଲ୍ଲାରେ ଜ୍ବର ଓ ଥଣ୍ଡା ଜନିତ ମୃତ୍ୟୁ ବୃଦ୍ଧି ପାଉଛି।
/sambad/media/post_attachments/wp-content/uploads/2020/06/dead-1.jpg)
ସଂଗୃହୀତ ତଥ୍ୟ ଅନୁଯାୟୀ, କବିସୂର୍ଯ୍ୟନଗର ନୂଆ ସାହିର ସୋମନାଥ ପାତ୍ର ଜ୍ବରରେ ପୀଡ଼ିତ ଥିଲେ। ଗତ ୧ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଚଳିତ ମାସ ପ୍ରଥମ ସପ୍ତାହରେ ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ଗ୍ରାମରେ ଜ୍ବର ବ୍ୟାପିଥିଲା। ଶତାଧିକ ଲୋକ ପୀଡ଼ିତ ହୋଇଥିଲେ। ୧ରୁ ୭ତାରିଖ ସାତ ଦିନ ମଧ୍ୟରେ ଜ୍ବର ଓ ଥଣ୍ଡାରେ ବ୍ରାହ୍ମଣଛାଇ ଗାଁର ୫ଜଣଙ୍କ ମୃତ୍ୟୁ ଘଟିଥିଲା। ଭଞ୍ଜନଗର ଆର୍ଟିଓ କାର୍ଯ୍ୟାଳୟର ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କ ଗତ ୮ତାରିଖରେ ଜ୍ବରରେ ମୃତ୍ୟୁ ଘଟିଥିଲା। ରଙ୍ଗେଇଲୁଣ୍ଡା ବ୍ଲକ୍ ଅଞ୍ଚଳର ବିଜେପି ନେତା ଏସ୍.ମହେନ୍ଦ୍ରି ସ୍ବାମୀଙ୍କ ଗତ ୧୦ତାରିଖରେ ଜ୍ବରରେ ମୃତ୍ୟୁ ଘଟିଥିଲା। ସେହିପରି ଗତ ୧୧ତାରିଖରେ ଜ୍ବରରେ ପୀଡ଼ିତ ପାତ୍ରପୁର ବ୍ଲକ୍ ହୁକୁମା ଗାଁର ସୁରେନ୍ଦ୍ର ରଣା ଓ ଚିକିଟି ଗଡ଼ର ଛାତ୍ରୀ ଆରତୀ ଚୌଧୁରୀ(୧୬)ଙ୍କ ମୃତ୍ୟୁ ଘଟିଥିଲା। ଗତ ୧୨ ତାରିଖରେ ଦିଗପହଣ୍ଡି ଚାଞ୍ଚଡ଼ାପଲ୍ଲୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ପାତ୍ରଙ୍କ ଜ୍ବରରେ ବ୍ରହ୍ମପୁର ବଡ଼ ଡାକ୍ତରରେ ମୃତ୍ୟୁ ଘଟିଥିଲା। ସେହିପରି ଗତ ୧୬ତାରିଖରେ ସାନଖେମୁଣ୍ଡି ବ୍ଲକ୍ ଚୁଡ଼ଙ୍ଗପୁର ଗାଁ ଅୁରଣ କୁମାର ବାଡ଼ତ୍ୟା(୪୯)ଙ୍କ ଜ୍ବରରେ ମୃତ୍ୟୁ ଘଟିଥିଲା। ଗତ ୧୬ତାରିଖ ଠାରୁ ୧୮ତାରିଖ ତିନି ଦିନ ମଧ୍ୟରେ କବିସୂର୍ଯ୍ୟନଗର ସହରର କୁମୁଟିସାହି, ବୃନ୍ଦାବନପୁର ଶାସନ, ଦୁଆରସାହି, ଦେଶୀ ବେହେରାସାହି, ପଟେଲ ଲେନ ଓ ଗଣେଶ୍ବରସାହିର ଜଣେ ଲେଖାଏଁ ଏହିପରି ୬ଜଣଙ୍କ ଜ୍ବରରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପାତ୍ରପୁର ବ୍ଲକ୍ ସାହସପୁର ଗ୍ରାମରେ ଜ୍ବରରେ ପୀଡ଼ିତ ସାଇକ୍ରିଷ୍ଣା ନାମକ ଶିଶୁଙ୍କ ୧୯ ତାରିଖରେ ମୃତ୍ୟୁ ଘଟିଥିଲା। ଏହା କିଛିଦିନ ପୂର୍ବରୁ ଉକ୍ତ ଗ୍ରାମର ନାରାୟଣ ନାୟକଙ୍କ ବି ଜ୍ବରରେ ମୃତ୍ୟୁ ଘଟିଥିଲା। ଗତ ୨୦ତାରିଖରେ ବୁଗୁଡ଼ାର ସାଇରାମ ହୋଟେଲ ମାଲିକଙ୍କ ପୁଅ ଏବଂ ଶେରଗଡ଼ ବଡ଼ଦାଣ୍ଡସାହିର ପୀତାମ୍ବର ପାଢୀ(୭୦)ଙ୍କର ବି ଜ୍ବରରେ ମୃତ୍ୟୁ ଘଟିଥିଲା। ଗତ ଦୁଇ ଦିନ ତଳେ ଗୋଟିଏ ଦିନରେ ବ୍ରହ୍ମପୁର ସହରର ଶ୍ରୀରାମନଗର ଅଞ୍ଚଳର ୪ଜଣଙ୍କ ଜ୍ବରରେ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିଲା।
ଏପରିକି ଗତ ଜୁନ୍ ୨୯ ତାରିଖରେ ଡାକ୍ତରୀ ଚିଠା ବିନା ପାରାସିଟାମଲ୍ ଭଳି କିଛି ଔଷଧ ବିକ୍ରି ନ କରିବାକୁ ଜିଲ୍ଲା ପ୍ରଶାସନ ଏକ ନିର୍ଦ୍ଦେଶନାମା ଜାରି କରିଥିଲା। ଫଳରେ ଜ୍ବର, ଥଣ୍ଡା ଓ କାଶ ଔଷଧ ଲୋକମାନେ ଚାହିଁଲେ ବି କିଣିପାରିଲେ ନାହିଁ। ଅନପକ୍ଷରେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓପିଡିକୁ ଗତ ୧୨ତାରିଖଠାରୁ ବନ୍ଦ କରି ଦିଆଯାଇଥିବାରୁ ଲୋକମାନେ ମୌଳିକ ସ୍ବାସ୍ଥ୍ୟସେବା ସୁବିଧା ପାଇଲେ ନାହିଁ। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବି ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରୁନି। ଔଷଧ ଓ ଉପଯୁକ୍ତ ଚିକିତ୍ସା ଅଭାବ ଜ୍ବରାକ୍ରାନ୍ତ ରୋଗୀଙ୍କ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ଦିନକୁ ଦିନ ଜ୍ବରରେ ପୀଡ଼ିତ ଲୋକଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ବିଭିନ୍ନ ସ୍ତରରେ ପ୍ରତିବାଦ ହେବା ପରେ ଜିଲ୍ଲା ପ୍ରଶାସନ ୨୯ତାରିଖର ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରି ପାରାସିଟାମଲ୍ ବ୍ରିକ୍ରି ଉପରୁ କଟକଣା ହଟାଇଛି।
ଅନ୍ୟପକ୍ଷରେ ବର୍ତ୍ତମାନ ଜିଲ୍ଲାରେ ପ୍ରତ୍ୟହ ଜ୍ବର, ଥଣ୍ଡା ,କାଶ ଆଦିରେ ଲୋକଙ୍କ ମୃତ୍ୟୁ ଘଟୁଛି। ଜ୍ବର, ଥଣ୍ଡା, କାଶରେ ଅଦ୍ୟାବଧି ଜିଲ୍ଲାରେ କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁନାହିଁ। ଗତ କିଛି ଦିନ ତଳେ ଜିଲ୍ଲାପାଳ ସମସ୍ତ ବିଡିଓ ଓ ତହସିଲଦାରମାନଙ୍କୁ ଏକ ଚିଠି ଲେଖି ଜିଲ୍ଲାରେ ଯେ କୌଣସି ମୃତ୍ୟୁ ଘଟିଲେ ଜିଲ୍ଲା ପ୍ରଶାସନ ନଜରକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରତି ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ରହିଛନ୍ତି। ପ୍ରତ୍ୟହ ଜିଲାରେ କେତେ ଜଣଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ଦ୍ବାରା ପ୍ରଶାସନ ତଥ୍ୟ ହାସଲ କରିପାରିବ। କିନ୍ତୁ ପ୍ରଶାସନ ବଦନାମ ହେବା ଭୟରେ ଜ୍ବର, ଥଣ୍ଡା ଓ କାଶ ଜନିତ ମୃତ୍ୟୁ ଲୁଚାଇଥିବା ଅଭିଯୋଗ ହେଉଛି।