ବିବାହ ବେଳେ ସାମାଜିକ ଦୂରତ୍ୱ ସହ କୋଭିଡ଼ ନିୟମର ଉଲ୍ଲଂଘନ ମହଙ୍ଗା ପଡ଼ିଲା; ଜରିମାନା କଷିବା ସହ ମାମଲା ରୁଜ୍ଜୁକଲା ପ୍ରଶାସନ

ବ୍ରହ୍ମପୁର: ବ୍ରହ୍ମପୁରର ଜଣେ ବଡ଼ ବ୍ୟବସାୟୀଙ୍କ ପୁଅ ବାହାଘରରେ କୋବିଡ଼ ନିୟମକୁ ଜଳାଞ୍ଜଳି ଦିଆଯାଇଥିବାର ଭିଡ଼ିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।  ଜିଲ୍ଲାପାଳଙ୍କ ଟୁଇଟ୍ ଅନୁସାରେ ଏକ ଟିଭି ଚାନେଲରୁ ବିବାହ ଶୋଭାଯାତ୍ରା ସମୟରେ କୋଭିଡ୍ ନିୟମ ଭାଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ଉଭୟ ପକ୍ଷ ବିରୋଧରେ ମାମଲା ରୁଜ୍ଜୁ ହେବା ସହ ୫୦,୦୦୦ ଟଙ୍କା ଜରିମାନା କରାଯାଇଛି। ବରଯାତ୍ରୀ ଶୋଭାଯାତ୍ରାରେ ବ୍ୟବହୃତ ଗାଡ଼ିକୁ ଆରଟିଓ ଜବତ କରିଛନ୍ତି। ଏଥିସହ ଏହି ଟୁଇଟରେ ଜିଲ୍ଲାପାଳ ଜନସାଧାରଣଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନୁରୋଧ କରିବା ସହ ନିଜ ଖୁସି ଲାଗି ଅନ୍ୟମାନଙ୍କ ଜୀବନକୁ ବିପଦରେ ନ ପକାଇବାକୁ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ଏହି ବିବାହ ଉତ୍ସବ ଗୋପାଳପୁରସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଥିଲା । ବରଯାତ୍ରୀମାନେ  ବିନା ମାସ୍କରେ ସାମାଜିକ ଦୂରତ୍ୱ ନ ରଖି ଡିଜେ ଗୀତରେ ନାଚିଥିଲେ । ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସାଧାରଣତଃ  ଲୋକଙ୍କୁ ବିବାହ ପାଇଁ ଅନୁମତି ମିଳୁ ନଥିବା ବେଳେ ଏଠି ଏହି ହୋଟେଲ ଭିତରେ କରାଯାଉଥିବା ବିବାହରେ ସବୁ ନିୟମ ଭଙ୍ଗ ହୋଇଥିଲା । ଏକ ଛାତଖୋଲା କାରରେ ଯାଉଥିବା ବର  ନାଚ କରୁଥିବା ବେଳେ ଡିଜେ ଶବ୍ଦରେ ଅଂଚଳ କମ୍ପିଥିଲା। ବର ପାଖରେ ବହୁ ଲୋକ ରହିଥିବା ବେଳେ କାହା ମୁହଁରେ ମାସ୍କ ନ ଥିଲା । କରୋନା ସମୟରେ ଯେ କୌଣସି ବିବାହ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ବେଳେ ସବୁ କୋଭିଡ଼ ନିୟମକୁ ମାନିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡା ନିୟମ ଥିବା ବେଳେ ଡିଜେ ଲଗାଇ ଡ୍ୟାନ୍ସ କରିବା, ଏତେ ମାତ୍ରାରେ  ଲୋକଙ୍କୁ ଡାକି ସାମାଜିକ ଦୂରତା ଭାଙ୍ଗିବା, ବିନା ମାସ୍କରେ ଡ୍ୟାନ୍ସ କରିବା ପାଇଁ କିଏ ଅନୁମତି ଦେଲା ଏବେ ପ୍ରଶ୍ନ ଉଠିଛି। ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବା ପରେ ଲୋକେ ଜିଲ୍ଲା ପ୍ରଶାସନର କଡା ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି।

ବାହାଘର ଉତ୍ସବ ଶୋଭାଯାତ୍ରାରେ କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୋପାଳପୁର ଥାନାରେ ମାମଲା ରୁଜୁ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

ସମ୍ବନ୍ଧିତ ଖବର

Comments are closed.